ତାମିଲ ରାଜନୀତିରେ ରେକର୍ଡ: ଦିନାକରନ୍‌ ଜିତିଲେ ଆର୍‌କେନଗର ଆସନ

-ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଜିତିବାରେ ପ୍ରଥମ:ଜୟଲଳିତାଙ୍କ ଅସଲ ରାଜନୈତିକ ଉତ୍ତରାଧିକାରୀ!

ନୂଆଦିଲ୍ଲୀ: ସାମ୍ପ୍ରତିକ ସ୍ଥିତିରେ ତାମିଲନାଡୁର ସବୁଠୁୁ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ଭାବେ ବିବେଚନା କରାଯାଉଥିବା ଆର୍‌କେନଗର ପାଇଁ ହୋଇଥିବା ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଟିଟିଭି ଦିନାକରନ୍‌ ବାଜି ମାରିନେଇଛନ୍ତି। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶାସକ ଦଳ ଏଆଇଏଡିଏମ୍‌କେ ପ୍ରାର୍ଥୀ ମଧୁସୂଦନନ୍‌ଙ୍କୁ ୪୦ ହଜାର ୭୦୦ରୁ ଅଧିକ ଭୋଟ ବ୍ୟବଧାନରେ ହରାଇ ଦିନାକରନ୍‌ ନିଜକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍‌କେର ଅଦ୍ୱିତୀୟା ନେତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ପ୍ରକୃତ ରାଜନୈତିକ ଉତ୍ତରାଧିକାରୀ ବୋଲି ଦାବି କରିଛନ୍ତି।

ଏହି ଆସନ ପାଇଁ ଗତ ୨୧ ତାରିଖରେ ମତଗ୍ରହଣ ହୋଇଥିବା ମୋଟ ୧,୭୬,୮୯୦ ଭୋଟ ମଧ୍ୟରୁ ଦିନାକରନ୍‌ଙ୍କୁ ୮୯,୦୧୩ଟି ମିଳିଥିବା ବେଳେ ମଧୁସୂଦନନ୍‌ଙ୍କ ସପକ୍ଷରେ ୪୮,୩୦୬ ଖଣ୍ଡ ଯାଇଛି। ଅପରପକ୍ଷେ, ୨୪,୬୫୧ଟି ଭୋଟ ପାଇ ତୃତୀୟ ସ୍ଥାନରେ ଥିବା ଡିଏମ୍‌କେର ଏନ୍‌ ମାରୁଥୁ ଗଣେଶଙ୍କ ସମେତ ଅନ୍ୟ ସମସ୍ତ ପ୍ରାର୍ଥୀ ସେମାନଙ୍କ ଅମାନତ ରାଶି ହରାଇଛନ୍ତି। ଏପରିକି ଏଠାରେ ବିଜେପି ପ୍ରାର୍ଥୀ କାରୁ ନାଗାରାଜନଙ୍କୁ ମାତ୍ର ୧,୪୧୭ଟି ଭୋଟ ମିଳିଥିବା ବେଳେ ନୋଟା ସପକ୍ଷରେ ୨,୨୦୩ଟି ପସନ୍ଦ ଯାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ମାସରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ଏହି ଗୁରୁତ୍ୱପୂର୍ଣ୍ଣ ଆସନ ଲାଗି ପୂର୍ବରୁ ଏପ୍ରିଲ ୧୨ ତାରିଖରେ ନିର୍ବାଚନ ହେବାକୁ ତାରିଖ ଘୋଷଣା ହୋଇଥିଲା। ମାତ୍ର ନିର୍ବାଚନମଣ୍ଡଳୀରେ ଅନେକ ସଂଖ୍ୟାରେ ଭୋଟରଙ୍କୁ ଟଙ୍କା ଦ୍ୱାରା ପ୍ରଲୋଭିତ କରାଯାଉଥିବା ଅଭିଯୋଗରେ ସେଠାରେ ନିର୍ବାଚନ ବାତିଲ ହୋଇଯାଇଥିଲା।

ବହୁ ପ୍ରତୀକ୍ଷା ପରେ ଗତ ୨୧ ତାରିଖରେ କଡ଼ା ସୁରକ୍ଷା ବଳୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ନିର୍ବାଚନରେ ଏଆଇଏଡିଏମ୍‌କେର ଇ ମଧୁସୁଧନନ୍‌, ଡିଏମ୍‌କେର ଏନ ମାରୁଢ଼ୁ ଗଣେଶ ଏବଂ ପ୍ରଥମ ଥର ପାଇଁ ସ୍ୱାଧୀନ ଭାବେ ଲଢ଼ୁଥିବା ଟିଟିଭି ଦିନାକରନଙ୍କ ସମେତ ମୋଟ ୫୯ ଜଣ ପ୍ରାର୍ଥୀ ଭାଗ୍ୟପରୀକ୍ଷା କରିଥିଲେ। ତେବେ ଶାସକ ଦଳ ଏଆଇଏଡିଏମ୍‌କେରେ ବିଦ୍ରୋହ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢୁଥିବା ଦିନାକରନ୍‌ଙ୍କ ପାଇଁ ଏହା ସବୁଠୁ ମହତ୍ୱ ରହିଛି। ଉଲ୍ଲେଖ ଥାଉ କି, ଏଆଇଡିଏମ୍‌କେର ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଏବଂ ଉପମୁଖ୍ୟମନ୍ତ୍ରୀ ପନ୍ନିରସେଲଭାମ୍‌ଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ସହ ଦଳୀୟ ଚିହ୍ନ ପାଇବାକୁ ଲଢ଼େଇ କରି ଅଦାଲତରେ ହାରିଯାଇଥିବା ଦିନାକରନ୍‌ ଶେଷରେ ବିଦ୍ରୋହ କରି ଦଳ ଛାଡ଼ିବା ସହ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ।

ସମ୍ବନ୍ଧିତ ଖବର