ତାମିଲନାଡ଼ୁ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାସ କଲା ଏନ୍‌ଆଇଏ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଆଜି ତାମିଲନାଡ଼ୁରୁ ପରିଚାଳିତ ହେଉଥିବା ଏକ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାସ କରିଛି। ଏହି ଗୁପ୍ତ ଆତଙ୍କବାଦୀ ସଂଗଠନ ଦେଶରେ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲା। ଦେଶରେ ଇସ୍‌ଲାମିକ୍‌ ଶାସନ ପାଇଁ ତାମିଲନାଡ଼ୁରୁ ଏହି ଆତଙ୍କବାଦୀ ସଂଗଠନର ପରିଚାଳନା ହେଉଥିଲା। ଆଜି ଚେନ୍ନାଇ ଏବଂ ନାଗପଟ୍ଟିନମ୍‌ ଜିଲ୍ଲାରେ ଏହି ସଂଗଠନର ୩ ଜଣ ସଦସ୍ୟଙ୍କ ବାସଭବନରେ ଚଢ଼ଉ ହୋଇଛି। ଏନ୍‌ଆଇଏ ଦ୍ବାରା ଗତ ୯ ତାରିଖରେ ରୁଜୁ ହୋଇଥିବା ମାମଲା ଅନୁଯାୟୀ ଏହି ସଂଗଠନ ସହ ଜଡ଼ିତ ଅଭିଯୁକ୍ତମାନେ ଚେନ୍ନାଇ ଏବଂ ନାଗପଟ୍ଟିନମ୍‌ର। ସେହିପରି ଦେଶ ବାହାରୁ କିଛି ସଦସ୍ୟ ମଧ୍ୟ ଏଥିରେ ସାମିଲ ଥିଲେ। ‘ଅଂସାରୁଲ୍ଲା’ ନାମକ ଏକ ଆତଙ୍କୀ ସଂଗଠନ ପ୍ରତିଷ୍ଠା କରି ଏମାନେ ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିବାପାଇଁ ଲଗାତାର ପ୍ରୟାସ ଜାରି ରଖିଥିଲେ। ଆଜି ଏନ୍‌ଆଇଏ ପକ୍ଷରୁ ୩ ଜଣ ଅଭିଯୁକ୍ତ ସୟଦ ମହମ୍ମଦ ବୁଖାରି, ହାସନ ଅଲି ଜୁନୁସମନିକାର ଏବଂ ମହମ୍ମଦ ୟୁସୁଫଉଦ୍ଦିନ୍‌ ହରିଶର ବାସଭବନରେ ଚଢ଼ଉ ସମୟରେ ୯ଟି ମୋବାଇଲ୍‌, ୧୫ ସିମ୍‌ କାର୍ଡ, ୭ ମେମୋରି କାର୍ଡ, ୩ ଲ୍ୟାପଟପ୍‌, ୫ ହାର୍ଡଡିସ୍କ, ୬ ପେନ୍‌ ଡ୍ରାଇଭ୍‌, ୨ ଟାବଲେଟ୍‌ ଏବଂ ୩ ସିଡି/ଡିଭିଡି ଜବତ କରିଥିଲା। ଏହାବାଦ୍‌ ମାଗାଜିନ୍‌, ବ୍ୟାନର, ନୋଟିସ୍‌ ପୋଷ୍ଟର ଏବଂ କିଛି ପୁସ୍ତକ ମଧ୍ୟ ଜବତ କରାଯାଇଛି। ଉଲ୍ଲେଖଯୋଗ୍ୟ ଗତ ୯ ତାରିଖରେ ଉପରୋକ୍ତ ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଆଇ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର