ଦଳିତ ମହିଳା ପାଣି ପିଇବାରୁ ଗୋମୂତ୍ରରେ ପବିତ୍ର ହେଲା ଟାଙ୍କି

ବେଙ୍ଗାଲୁରୁ: ପାଣିଟାଙ୍କିରେ ଲାଗିଥିବା ଟ୍ୟାପ୍‌ରୁ ଜଣେ ଦଳିତ ମହିଳା ପାଣି ପିଇବା ଅଭିଯୋଗ ହେବା ପରେ କର୍ଣ୍ଣାଟକର ଗୋଟାଏ ଗାଁର ତଥାକଥିତ ଉଚ୍ଚବର୍ଣ୍ଣର ଲୋକେ ପାଣି ନିଗାଡ଼ି ଦେଇ ଉକ୍ତ ଟାଙ୍କିକୁ ଗୋମୂତ୍ରରେ ପବିତ୍ର ବା ଶୋଧନ କରିଛନ୍ତି।

କର୍ଣ୍ଣାଟକର ଚମରାଜନଗର ଜିଲ୍ଲା ଅନ୍ତର୍ଗତ ହେଗ୍ଗୋତାରା ଗାଁକୁ ବିବାହ ଅନୁଷ୍ଠାନରେ ଯୋଗ ଦେବାକୁ ଆସିଥିବା ଅନୁସୂଚିତ ଜାତିର ଜଣେ ମହିଳା ନଭେମ୍ବର ୧୮ ତାରିଖ ଦିନ ତଥାକଥିତ ଉଚ୍ଚବର୍ଣ୍ଣର ଲୋକେ ବସବାସ କରୁଥିବା ଅଞ୍ଚଳରେ ଥିବା ପାନୀୟ ଜଳ ଟାଙ୍କିରୁ ପାଣି ପିଇଥିଲେ। ଏକଥା ଜାଣିବା ପରେ ସେମାନେ ଉତ୍ତ୍ୟକ୍ତ ହୋଇ ଟାଙ୍କିରେ ଥିବା ସମସ୍ତ ଜଳ ନିଗାଡ଼ି ଦେଇ ତାହାକୁ ଗୋମୂତ୍ରରେ ଶୋଧନ କରିଥିଲେ।

ସ୍ଥାନୀୟ ଅଞ୍ଚଳର ତହସିଲ୍‌ଦାର୍‌ ଆଇ.ଇ. ବସବରାଜ ଗଣମାଧ୍ୟମକୁ କହିଛନ୍ତି, ପାଣିଟାଙ୍କି ସଫା କରାଯାଇଛ, କିନ୍ତୁ ଗୋମୂତ୍ରରେ କି, ନୁହେଁ ମୁଁ ନିଶ୍ଚିତ ନୁହେଁ। ମହିଳାଜଣକ ସେ ଟାଙ୍କିରୁ ପାଣି ପିଇଥିବା କେହି ଦେଖିନାହାନ୍ତି କିଂବା ତାଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ।

ସେ ମହିଳାଙ୍କୁ ଚିହ୍ନଟ କରିବା ପାଇଁ ଆମେ ଉଦ୍ୟମ କରୁଛୁ। ସେ ମିଳିଗଲେ ଆମେ ବର୍ଣ୍ଣବୈଷମ ମାମଲା ଦାଏର କରିବୁ।

ସମସ୍ତେ ପାଣି ପିଇପାରିବେ ଲେଖା ଥାଇ ସେ ଗାଁରେ କେତେଗୁଡ଼ିଏ ପାଣିଟାଙ୍କି ରହିଛି। ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ ବି ଦଳିତ ଓ ଅନ୍ୟାନ୍ୟ ପଛୁଆ ବର୍ଗ ସମ୍ପ୍ରଦାୟରୁ କେତେକ ଗ୍ରାମବାସୀଙ୍କୁ ନେଇ ସମସ୍ତ ପାଣିଟାଙ୍କିରୁ ପାଣି ପିଆଇଛନ୍ତି।

ଅଧିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ତହସିଲ୍‌ଦାର୍‌ ଏବେ ଜିଲ୍ଲାପାଳଙ୍କୁ ସାମଗ୍ରିକ ରିପୋର୍ଟ ପଠାଇବେ।

ସମ୍ବନ୍ଧିତ ଖବର