୫୫ ହଜାର ଲାଇନ୍‌ମ୍ୟାନ୍‌ ଓ ହେଲ୍‌ପର୍‌ଙ୍କୁ ମିଳିବ ତାଲିମ୍‌

ଭୁବନେଶ୍ୱର: ଦେଶରେ ପ୍ରତ୍ୟେକ ଘରେ ବିଜୁଳି ପହଞ୍ଚାଇବା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ସୌଭାଗ୍ୟ’ ଯୋଜନା ଆରମ୍ଭ ହୋଇଛି। ଏଥି ପାଇଁ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବାକୁ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ଓ ଶକ୍ତି ମନ୍ତ୍ରଣାଳୟ ହାତ ମିଳାଇଛନ୍ତି। ଉଭୟ ବିଭାଗ ମିଳିତ ଭାବେ ଓଡ଼ିଶା ସମେତ ୬ଟି ରାଜ୍ୟ ଆସାମ, ବିହାର, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶରେ ତାଲିମ୍‌ କାର୍ଯ୍ୟକ୍ରମ ଗ୍ରହଣ କରିବେ। ଏହି ୬ଟି ରାଜ୍ୟରୁ ୪୭ ହଜାର ଯୁବକ ଓ ସମଗ୍ର ଦେଶରୁ ୫୫ ହଜାର ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯିବାର ଆକଳନ କରାଯାଇଛି। ମୁଖ୍ୟତଃ ଲାଇନ୍‌ମ୍ୟାନ୍‌ ଓ ଟେକ୍ନିକାଲ୍‌ ହେଲ୍‌ପର୍‌ ପାଇଁ ପ୍ରଶିକ୍ଷଣ ଦିଆଯିବ। ଆଜି ନୂଆଦିଲ୍ଲୀରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ରାଜକୁମାର ସିଂହ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ, ଦେଶର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ବିଜୁଳିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜିର ଏହି ଘୋଷଣା ଦେଶର ବିକାଶରେ ନୂଆ ଅଧ୍ୟାୟ ସୃଷ୍ଟି ହେବ। ସୌଭାଗ୍ୟ ଯୋଜନାରେ ୧୬ ହଜାର କୋଟି ଟଙ୍କା ବ୍ୟୟ ହେବ। ଏଥିରେ ଦକ୍ଷ ମାନବ ସମ୍ବଳ ପାଇଁ ରୋଜଗାରର ସୁବିଧା ମିଳିବ। ସୂଚନାଯୋଗ୍ୟ ଯେ ଏହି ଯୋଜନା ସମଗ୍ର ଦେଶରେ ଲାଗୁ ହେବାକୁ ଥିବା ବେଳେ ୨୦୦ଟି ଜିଲ୍ଲାର ଯୁବକମାନଙ୍କ ଦକ୍ଷତା ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଜିଲ୍ଲା ସ୍ତରରେ ଥିବା ଆଇଟିଆଇ ଭିତ୍ତିଭୂମି ତଥା ରାଜ୍ୟର ବିଜୁଳି ବିତରଣ ବ୍ୟବସ୍ଥା ପାଇଁ ଥିବା ଭିତ୍ତିଭୂମିକୁ ଦକ୍ଷତା ବିକାଶ ନିମନ୍ତେ ବ୍ୟବହାର କରାଯିବ।

ସମ୍ବନ୍ଧିତ ଖବର