ନ୍ୟୁଜ ଆଙ୍କର ଭାବେ କିନ୍ନର ତନଶୁଭା ଆରମ୍ଭ କଲେ ନୂଆ ଜୀବନ, ନ୍ୟୁଜ ପଢିବା ପରେ ଆଖିରୁ ଝରିପଡ଼ିଲା ଲୁହ  

ଢାକା: ମଙ୍ଗଳବାର ମହିଳା ଦିବସ ଅବସରରେ ବାଂଲାଦେଶରେ ଏମିତି ଏକ ଚେହେରାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା, ଯାହା ଉପରେ ସାରା ବିଶ୍ୱର ନଜର ପଡିଛି | କିନ୍ନର ତନଶୁଭା ଅନାନ ଶିଶିର ବାଂଲାଦେଶର ଏକ ଟିଭି ଚ୍ୟାନେଲରେ ନ୍ୟୁଜ ପଢିବା ଆରମ୍ଭ କରିଛନ୍ତି | ତନଶୁଭା ବାଂଲାଦେଶର ପ୍ରଥମ କିନ୍ନର ନ୍ୟୁଜ ଆଙ୍କର ହୋଇପାରିଛନ୍ତି | ତେବେ ନ୍ୟୁଜ ପଢିସାରିବା ପରେ ତାଙ୍କ ଆଖିରୁ ଦି ଟୋପା ଲୁହ ମଧ୍ୟ ଝରିପଡିଥିଲା | କାରଣ କିନ୍ନର ଭାବେ ଜଣାପଡିବା ପରେ ସମାଜର ନିନ୍ଦା ଅପବାଦ ସହି କିଭଳି ନ୍ୟୁଜ ପଢ଼ିଛନ୍ତି ତାହାର କାହାଣୀ ସେ ବଖାଣିଥିଲେ |

୨୯ ବର୍ଷୀୟ ତନଶୁଭାଙ୍କ କହିବା ମୁତାବକ କିଶୋରାଵସ୍ଥାରେ ଯେତେବେଳେ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ ଅନୁଭବ ହୋଇଥିଲା, ସେତେବେଳେ ସେ ଘରେ ଏ ବାବଦରେ କହିଥିଲେ | ଆଉ ଅନେକ ବର୍ଷ ଧରି ସେ ଯୌନ ଶୋଷଣର ଶିକାର ହୋଇଥିଲେ | ପରିବାର ସଦସ୍ୟ ତାଙ୍କୁ ଚୁପ ରହିବାକୁ ବାଧ୍ୟ କରୁଥିଲେ | ବାପା, ତାଙ୍କ ସହ କଥାବାର୍ତ୍ତା କରିବା ବନ୍ଦ କରିଦେଇଥିବାବେଳେ ମନରେ ଅନେକ ଥର ଆତ୍ମହତ୍ୟା କରିବାକୁ ବି ଭାବନା ଆସିଥିଲା | ପରିବାରର ନିର୍ଯାତନା ବଢିବା ପରେ ସେ ଘର ଛାଡି ଢାକା ଚାଲିଆସିଥିଲେ | ଏହାପରେ ଥିଏଟରରେ କାମ କରିବା ଆରମ୍ଭ କରିଥିଲେ |

photo-AFP/Getty Images

ଜାନୁୟାରୀ ମାସରେ ପବ୍ଲିକ ହେଲଥରେ ମାଷ୍ଟର ଡିଗ୍ରୀ ହାସଲ କରିଥିବାବେଳେ ଅଢେଇ ମାସ ତଳେ ବୋଏସାଖୀ ଟିଭିରେ ନ୍ୟୁଜ ଆଙ୍କର ଭାବେ ଅଡିସନ ଦେଇଥିଲେ | ନିର୍ଭୁଲ ଉଚ୍ଚାରଣ ପାଇଁ ତାଙ୍କୁ ଚୟନ କରାଯାଇଥିଲା | ସୂଚନା ମୁତାବକ ବାଂଲାଦେଶରେ ପାଖାପାଖି ୧୫ ଲକ୍ଷ କିନ୍ନର ଥିବାବେଳେ ସମାଜରେ ସେତେଟା ସମ୍ମାନ ମିଳିପାରୁନାହିଁ | ଭେଦଭାବ ଓ ହିଂସାର ଶିକାର ହେବା ଯୋଗୁଁ ଅଧିକାଂଶ କିନ୍ନରଙ୍କ ଜୀବନ ଦୁର୍ବିସହ ହୋଇପଡିଛି |

ସମ୍ବନ୍ଧିତ ଖବର