ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ସଂଘଟିତ ହିମପ୍ରବାହ ବିଭୀଷିକାର ଆଜି ଷଷ୍ଠ ଦିନରେ କାଦୁଅ ପଥରରେ ପୋତି ହୋଇ ରହିଥିବା ତପୋବନ ଜଳବିଦ୍ୟୁତ୍ କେନ୍ଦ୍ରର ଅବରୁଦ୍ଧ ଭଗ୍ନ ସୁଡ଼ଙ୍ଗ ଭିତରେ ଫସିଥିବା କିଛି ବିପନ୍ନଙ୍କୁ ତଥାପି ମୁକୁଳାଇବା ଆଶା ବଳବତ୍ତର ରହିଛି। ମୁହଁରୁ କାଦୁଅ କାଢ଼ି ମୁଖ୍ୟ ସୁଡ଼ଙ୍ଗକୁ ପଶିବା ଲାଗି ଉଦ୍ୟମ ବିଫଳ ହେବା ପରେ ଅନ୍ୟ ବାଟ ଦେଇ ତାହା ଭିତରେ ପଶିବାକୁ ଉଦ୍ଧାରକାରୀ ଦଳ ପ୍ରୟାସ ଜାରି ରଖିଛନ୍ତି। ଏହି ମୁଖ୍ୟ ସୁଡ଼ଙ୍ଗର ୧୨ ଫୁଟ ତଳେ ରହିଥିବା ଏକ ଛୋଟ ସୁଡ଼ଙ୍ଗକୁ ବାଟ ଖୋଳି ସେହି ବାଟେ ଉପର ସୁଡ଼ଙ୍ଗକୁ ପଶିପାରିବେ ବୋଲି ସେମାନେ ଆଶା ରଖିଛନ୍ତି।
ସୂଚନା ଥାଉ କି, ଏହି ଦୁର୍ବିପାକରେ ଅଦ୍ୟାବଧି ୩୬ଟି ଶବ ଉଦ୍ଧାର ହୋଇଥିବା ବେଳେ ତଥାପି ୨୦୦ରୁ ଅଧିକ ନିଖୋଜ ଅଛନ୍ତି। ଅପରପକ୍ଷେ, ଗତକାଲି ଦୁଇଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଉଛି। ସୁତରାଂ ଉକ୍ତ ସୁଡ଼ଙ୍ଗ ଭିତରେ ଫସିଥିବା ଅତି କମ୍ରେ ୩୫ ଜଣଙ୍କ ମଧ୍ୟରେ ତଥାପି କେହି ଜୀବିତ ଥାଇପାରନ୍ତି ବୋଲି ଆଶା କରାଯାଉଛି। ତେବେ ଋଷିଗଙ୍ଗା ନଦୀର ଉପରମୁଣ୍ଡରେ ଜଳସ୍ତର ବଢ଼ିବା କାରଣରୁ ଗୁରୁବାର କିଛି ସମୟ ପାଇଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଉପରମୁଣ୍ଡରେ ରୈନି ଗାଁ ନିକଟରେ ପାଣି ବଢୁଥିବା ଖବର ପାଇ ଏକ ୮ ଜଣିଆ ଦଳ ପରିସ୍ଥିତି ଅନୁଧ୍ୟାନ ପାଇଁ ପାଦରେ ଚାଲି ଚାଲି ଘଟଣାସ୍ଥଳକୁ ଯାଇଛନ୍ତି। ତେବେ ଉଦ୍ଧାରକାରୀମାନେ ଏବେ ଆଉ ସୁଡ଼ଙ୍ଗ ମୁହଁରୁ ଅତଡ଼ା ଖଲାସ କରିବା ବଦଳରେ ଗଦା ହୋଇଥିବା ପଥର ଓ କାଦୁଅକୁ ଖୋଳି ଭିତରକୁ ପଶିବା ଯୋଜନା କରୁଛନ୍ତି। ତେବେ ପ୍ରାଥମିକତା ଭିତ୍ତିରେ ସୁଡ଼ଙ୍କ ଭିତରକୁ ଅମ୍ଳଜାନ ପଠାଇବା ଅପରିହାର୍ଯ୍ୟ ହୋଇପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Tapovan.jpg)