ଜୟପୁର/ନୂଆଦିଲ୍ଲୀ : ପଦପଦବି ଆଶାରେ ନୁହେଁ, କଂଗ୍ରେସ ବଞ୍ଚାଇବାକୁ ଦିଲ୍ଲୀ ଆସିଛୁ। ୨୦୨୪ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ କିପରି ଭଲ ପ୍ରଦର୍ଶନ କରିବ ସେ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦେଇଛୁ। ବିନା ଆଲୋଚନାରେ ମୀନାକ୍ଷୀ ବାହିନୀପତିଙ୍କୁ ସଭାପତି ପଦବିରୁ ହଟାଯାଇଛି। ଆଉ ଇଚ୍ଛା ନାହିଁ ସେ ପଦବିକୁ ଫେରିବାକୁ। ଦିଲ୍ଲୀରେ ଏଆଇସିସି ସାଧାରଣ ସଂପାଦକ କେ. ସି. ବେଣୁଗୋପାଳଙ୍କୁ ସାକ୍ଷାତ କରିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।
ଏଆଇସିସି କାର୍ଯ୍ୟାଳୟରେ ୨୦ମିନିଟ୍ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତାରାଙ୍କ ସହ ମୀନାକ୍ଷୀ ବାହିନୀପତି, କୋରାପୁଟ, ରାୟଗଡ଼ା ଜିଲ୍ଲାର କଂଗ୍ରେସ ସମର୍ଥକ, ପୂର୍ବତନ ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ୍ ଅଧ୍ୟକ୍ଷ, ବ୍ଲକ୍ ସଭାପତି ପ୍ରମୁଖ ଆଲୋଚନା ସମୟରେ ଉପସ୍ଥିତ ଥିଲେ। ଆଲୋଚନା ସାରି ଫେରିବା ପରେ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ କର୍ମୀ ‘ତାରା ବାହିନୀପତି ଓ ମୀନାକ୍ଷ ବାହିନୀପତି ଜିନ୍ଦାବାଦ୍’, ‘କୋରାପୁଟ କଂଗ୍ରେସ ଜିନ୍ଦାବାଦ୍’ ନାରା ଦେଇଥିଲେ।
ଅନ୍ୟପକ୍ଷରେ, କଂଗ୍ରେସକୁ କୋରାପୁଟ ଜିଲ୍ଲାରେ ମୂଳପୋଛ କରିବାକୁ ସାଂସଦ ସପ୍ତଗିରି ଉଲାକା ପ୍ରୟାସ କରୁଥିବା ନେଇ ପୂର୍ବରୁ ତାରା ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ କାହା ବିରୋଧରେ କହିବାକୁ ଆମେ ଦିଲ୍ଲୀ ଆସିନୁ ବୋଲି ମତ ଦେଇଥିଲେ। ଦଳ ଛାଡ଼ିବେ କି ବୋଲି ପ୍ରଶ୍ନର ଉତ୍ତରରେ ତାରା କହିଥିଲେ, ‘ ଆମେ ମର୍ଦ୍ଦ ପିଲା। ଆତ୍ମସମ୍ମାନକୁ ବାଧିଛି। କଂଗ୍ରେସରେ ଅଛି, ରହିବୁ, କଂଗ୍ରେସ ପାଇଁ କାମ କରିବୁ।’ ଦଳବଳ ହୋଇ ନୂଆଦିଲ୍ଲୀ ଆସିବା ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, ‘ ପଞ୍ଚାୟତ, ପୌର ନିର୍ବାଚନରେ ବିଜୟୀ ହୋଇଥିବା ଦଳୀୟ ନେତାଙ୍କୁ ଦିଲ୍ଲୀ ବୁଲାଇବାକୁ ପ୍ରତିଶ୍ରୁତି ଦେଇଥିଲି। ଏବେ ସେମାନଙ୍କୁ ନେଇ ଆସିଛି। ଦିଲ୍ଲୀ ପରେ ରାମେଶ୍ବର ସହ ଅନ୍ୟ କିଛି ଜାଗା ବୁଲିବା ପରେ କୋରାପୁଟ ଫେରିଯିବୁ।’ ଏଠାରେ ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସର ଜାତୀୟ ସଭାପତି, ଏଆଇସିସିର ଓଡ଼ିଶା ପ୍ରଭାରୀଙ୍କ ଭଳି କିଛି ତୁଙ୍ଗ କେନ୍ଦ୍ରୀୟ ନେତୃତ୍ବଙ୍କୁ ତାରା ସାକ୍ଷାତ କରିବାକୁ ଯୋଜନା କରିଥିବା ବେଳେ ଅଧିକାଂଶ ନେତା ଦିଲ୍ଲୀରେ ନଥିବା ଜଣାପଡ଼ିଛି।