୧୫ ପୂର୍ବରୁ ଖୋଲିବନି ତାରାପୀଠ, ମସ୍‌ଜିଦ

କୋଲକାତା : ଜୁନ୍‌ ୧୫ ତାରିଖ ପୂର୍ବରୁ ବଂଗର ତାରାପୀଠ ମନ୍ଦିର ଓ ମସ୍‌ଜିଦ୍‌ଗୁଡ଼ିକ ଖୋଲିବ ନାହିଁ। ଦେଶବ୍ୟାପୀ ଲାଗୁ ହୋଇଥିବା ଲକ୍‌ଡାଉନ୍‌କୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ଛାଡ଼ି ଅନ୍ୟ ସମସ୍ତ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ନିୟମ କୋହଳ କରାଯିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଆସନ୍ତା ୮ ତାରିଖରୁ ଧାର୍ମିକ ସ୍ଥଳଗୁଡ଼ିକ ଖୋଲାଯିବ। ହେଲେ ଧାର୍ମିକ ସମାରୋହ, ରାଜନୈତିକ ରାଲି, ଖେଳ, ସାଂସ୍କୃତିକ ସମାରୋହ ଆଦି ହେବା ଉପରେ ବିଚାର କରାଯିବ। ଏହା ପରେ ପଶ୍ଚିମବଙ୍ଗ ତାରାପୀଠ ମନ୍ଦିର ପ୍ରଶାସନ ଦେଇଥିବା ବଡ଼ ବୟାନ ସାମ୍ନାକୁ ଆସିଛି।

ମନ୍ଦିରର ମୁଖ୍ୟ ପୂଜାରୀ କହିଛନ୍ତି, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ୍‌ ୧୫ ତାରିଖ ପର୍ଯ୍ୟନ୍ତ ମନ୍ଦିରକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜୁନ୍‌ ୧୪ ତାରିଖରେ ଏକ ସମୀକ୍ଷା ବୈଠକ ବସିବା ପରେ ମନ୍ଦିର ଖୋଲାଯିବା ନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ। ସେହିଭଳି ମସ୍‌ଜିଦ୍‌ଗୁଡ଼ିକୁ ଏତେ ଶୀଘ୍ର ଖୋଲାଯିବ ନାହିଁ ବୋଲି କହିଛନ୍ତି ବାଂଲା ଇମାମ୍‌ସ ଆସୋସିଏସନ୍‌ ଅଧ୍ୟକ୍ଷ ମହମ୍ମଦ ୟାହିୟା। ୧ ତାରିଖରୁ ରାଜ୍ୟରେ ଥିବା ଧର୍ମସ୍ଥଳୀଗୁଡ଼ିକ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏଭଳି ବିକଟ ସ୍ଥିତିରେ ମସ୍‌ଜିଦ୍‌ଗୁଡ଼ିକୁ ଆଉ ଏକ ମାସ ଖୋଲା ନଗଲେ ଭଲ ହେବ।

ସମ୍ବନ୍ଧିତ ଖବର