ନୂଆଦିଲ୍ଲୀ: ଭାରତୀୟ ଲଢ଼ୁଆ ବିମାନ ଯେଉଁ ୩ଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲେ ସେଥିରେ ମୁଖ୍ୟ ଟାର୍ଗେଟ ଥିଲା ବାଲାକୋଟ୍। ଏହା ପାକିସ୍ତାନ ସୀମା ଭିତରେ ରହିଛି। ନିୟନ୍ତ୍ରଣ ରେଖାର ୮୦ କିଲୋମିଟର ଦୂରରେ ଥିବା ଏହି କ୍ୟାମ୍ପରେ ଜୈସ ଆତଙ୍କବାଦୀମାନେ ତାଲିମ ନେଉଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଖାଇବର ପ୍ରଦେଶରେ ଥିବା ବାଲକୋଟ୍ ହେଉଛି ଜୈସ ଅାତଙ୍କବାଦୀଙ୍କ ମୁଖ୍ୟ ତାଲିମ କେନ୍ଦ୍ର। ଗତ ୧୪ ତାରିଖ ପୁଲୱାମା ଆକ୍ରମଣ ପରେ ଜୈସ ଆତଙ୍କବାଦୀମାନେ ପାକିସ୍ତାନ ଅଧିକୃତ କଶ୍ମୀର ଛାଡ଼ି ଏଠାରେ ଆସି ତାଲିମ ନେଉଥିଲେ। ପାହାଡ଼ ଉପରେ ଏହି ଶିବିର ଥିଲା ଏବଂ ଅନ୍ୟତମ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ମଧ୍ୟ ଏହାର ବ୍ୟବହାର କରୁଥିଲା। ପଞ୍ଚତାରକା ରେସର୍ଟ ଶୈଳିରେ ନିର୍ମିତ ଏହି ଶିବିରରେ ସୁଇମିଂ ପୁଲ୍ ମଧ୍ୟ ରହିଥିଲା। ୫୦୦ରୁ ୭୦୦ ଲୋକ ରହିବା ପାଇଁ ଏଥିରେ ବ୍ୟବସ୍ଥା ଥିଲା। ଆକ୍ରମଣ ବେଳେ ଏଠାରେ ୩୨୫ ଆତଙ୍କବାଦୀ ଏବଂ ୨୫ ଜଣ ପ୍ରଶିକ୍ଷକ ଥିଲେ। ଆକ୍ରମଣରେ ସମସ୍ତେ ସଫା ହୋଇଯାଇଛନ୍ତି।
ଏହି ଶିିିବିରର ମୁଖ୍ୟ ଥିଲା ମୌଲାନା ୟୁସୁଫ ଆଝାର। ସେ ହେଉଛି ମାସୁଦ ଆଝାରର ଶାଳକ। କାନ୍ଦାହାର ବିମାନ ଅପହରଣର ମୁଖ୍ୟ ୟୁସୁଫକୁ ଧରିବା ଲାଗି ଭାରତ ୨୦୦୦ ମସିହାରୁ ଇଣ୍ଟରପୋଲର ସହାୟତା ନେଇଛି। ଆଜିର କାର୍ଯ୍ୟାନୁଷ୍ଠାନରେ ସେ ମଧ୍ୟ ପ୍ରାଣ ହରାଇଥିବା କୁହାଯାଉଛି। ଅବସରପ୍ରାପ୍ତ ସେନା ଅଧିକାରୀମାନେ ଏଠାରେ ରହି ଆତଙ୍କବାଦୀମାନଙ୍କୁ ତାଲିମ ଦେଉଥିଲେ। ସେମାନେ ପୁଣି ଥରେ ଭାରତରେ ଆତ୍ମଘାତୀ ଆକ୍ରମଣ କରିବା ଲାଗି ପ୍ରସ୍ତୁତ ହେଉଥିବା ନେଇ ଗୁଇନ୍ଦା ରିପୋର୍ଟ ମିଳିଥିଲା। ବାୟୁସେନା ପାକିସ୍ତାନର ବାଲାକୋଟ ସମେତ ପାକ୍ ଅଧିକୃତ କଶ୍ମୀରର ଚକୋଟି ଏବଂ ମୁଜାଫରାବାଦ ସ୍ଥିତ ଜୈସ୍ କ୍ୟାମ୍ପ୍ ଧ୍ବଂସ କରିବା ପାଇଁ ମାତ୍ର ୨୧ ମିନିଟ୍ ସମୟ ନେଇଥିଲା। ୧୨ ମିରେଜ୍ ବିମାନ ଦ୍ବାରା ଏହି ଅପରେସନ ସଂପନ୍ନ କରାଯାଇଥିବା ବେଳେ ଏଥିରେ କେହି ସାଧାରଣ ନାଗରିକ ନିହତ ହୋଇନଥିବାରୁ ଏହା ବାୟୁସେନାର ଏକ ଅତ୍ୟନ୍ତ ସଫଳ ଅପରେସନ ଭାବେ ପରିଗଣିତ ହେଉଛି। ତେବେ କେବଳ ବାଲାକୋଟ୍ ଅପରେସନ ପାଇଁ ଭାରତୀୟ ସେନା ଦୁଇ ଶହ ଘଣ୍ଟାର ଯୋଜନା କରିଥିଲା ଏବଂ ବିଭିନ୍ନ ପର୍ଯ୍ୟାୟରେ ଏହି ରଣନୀତିର ସମୀକ୍ଷା କରାଯାଇଥିଲା। ଏହାକୁ ସାକାର କରିବା ପାଇଁ ମିରାଜ-୨୦୦୦ ବିମାନ ଚୟନଠାରୁ ଆରମ୍ଭ କରି ପାଇଲଟ୍ ଚୟନ ପର୍ଯ୍ୟନ୍ତ ପ୍ରତ୍ୟେକଟି କାର୍ଯ୍ୟ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ହୋଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବାଲାକୋଟରେ ୩ଟା ୪୫ରୁ ବୋମାମାଡ଼ ଆରମ୍ଭ ହୋଇଥିଲା ଏବଂ ଏହା ୩ଟା ୫୩ ପର୍ଯ୍ୟନ୍ତ ଚାଲିଥିଲା। ମୁଜାଫରାବାଦରୁ ବାଲାକୋଟର ଦୂରତା ହେଉଛି ୨୪ କିମି। ମୁଜାଫରାବାଦରେ ୩ଟା ୪୮ରୁ ୩ଟା ୫୫ ଭିତରେ ଆକ୍ରମଣ ହୋଇଥିଲା। ଏହାପରେ ଚକୋଟିରେ ୩ଟା ୫୮ରୁ ୪ଟା ୪ ପର୍ଯ୍ୟନ୍ତ ଆକ୍ରମଣ ଚାଲିଥିଲା। ବାଲାକୋଟ ଆକ୍ରମଣ ଏତେ ପ୍ରଚଣ୍ଡ ଥିଲା ଯେ ସମଗ୍ର ସହର ଥରି ଉଠିଥିଲା । ଏକ ପାହାଡ଼ ଉପରେ ମଦ୍ରାସା ଆଳରେ ଚାଲିଥିବା ଆତଙ୍କବାଦୀ ତାଲିମ କେନ୍ଦ୍ର ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିବା ସହରବାସୀ କହିଛନ୍ତି। ୨୦୦୫ରୁ ଏଠାରେ ଚାଲିଥିବା ଅନେକ ତାଲିମ କେନ୍ଦ୍ର ମାଟିରେ ମିଶିଯାଇଛି ବୋଲି କେତେକ ବାସିନ୍ଦା କହିଛନ୍ତି। ବାଲାକୋଟ କ୍ୟାମ୍ପ୍ ହିଁ ଜୈସ୍ର ସମସ୍ତ ନେଟ୍ୱର୍କର ସଂଚାଳନ କେନ୍ଦ୍ର ରହିଥିବାରୁ ବାୟୁସେନା ଏହାକୁ ଟାର୍ଗେଟ୍ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/Untitled-12-20.jpg)