ଜମ୍ମୁକଶ୍ମୀରରେ ଥମୁନାହିଁ ଟାର୍ଗେଟ କିଲିଂ, ଗତ ୫ ବର୍ଷରେ ଏତିକି ପ୍ରବାସୀ ଶ୍ରମିକଙ୍କର ଗଲାଣି ଜୀବନ

ଶ୍ରୀନଗର: ଆତଙ୍କବାଦୀମାନେ ଶନିବାର ଦିନ ଜମ୍ମୁକଶ୍ମୀରର ପୁଲୱାମା ଜିଲ୍ଲାର ଖାରପୋରା ରତ୍ନିପୋରାରେ ଦୁଇଜଣ ଶ୍ରମିକଙ୍କୁ ଗୁଳି ମାରିଥିଲେ | ଉଭୟ ଶ୍ରମିକ ବିହାର ବେତିୟା ଅଞ୍ଚଳର ହୋଇଥିବାବେଳେ ଆହତ ଅବସ୍ଥାରେ ଉଭୟକୁ ଡାକ୍ତରଖାନା ନିଆଯାଇଥିଲା | ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର ରହିଛି | ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ କେତେ ଦିନ ଯାଏଁ ଆତଙ୍କବାଦୀ ଏଭଳି ଟାର୍ଗେଟ କିଲିଂ କରୁଥିବେ ? ମିଳିଥିବା ତଥ୍ୟ ମୁତାବକ ଚଳିତ ବର୍ଷ ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ଆତଙ୍କବାଦୀମାନେ ୨୭ ଜଣଙ୍କୁ ହତ୍ୟା କରିଥିଲେ । ମୃତକଙ୍କ ମଧ୍ୟରେ କାଶ୍ମୀରୀ ପଣ୍ଡିତ, ସୁରକ୍ଷାକର୍ମୀ ଏବଂ ପ୍ରବାସୀ ଶ୍ରମିକ ଥିଲେ। ନିକଟରେ କାଶ୍ମୀରୀ ପଣ୍ଡିତମାନେ ମଧ୍ୟ ଉପତ୍ୟକାରେ ଟାର୍ଗେଟ କିଲିଂ ବିରୋଧରେ ପ୍ରଦର୍ଶନ କରିଥିଲେ |

ଚଳିତ ବର୍ଷ ୨୬ ଜୁଲାଇରେ ଭାରତ ସରକାର ସଂସଦରେ ସୂଚନା ଦେଇ କହିଥିଲେ ଯେ ଜାନୁୟାରୀ ୨୦୧୭ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜମ୍ମୁକଶ୍ମୀରରେ ୨୮ ଜଣ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି | ଏମାନଙ୍କ ମଧ୍ୟରୁ ୭ଜଣ ବିହାରର, ଦୁଇଜଣ ମହାରାଷ୍ଟ୍ର ଏବଂ ଜଣେ ଝାଡଖଣ୍ଡର ଥିଲେ । ସେତେବେଳେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ ଟାର୍ଗେଟ କିଲିଂ ଘଟଣାରେ ସଂଖ୍ୟାଲଘୁ ତଥା ପ୍ରବାସୀ ଶ୍ରମିକଙ୍କ ଉପରେ ହୋଇଥିବା କେତେକ ଆକ୍ରମଣ ସୀମା ଆରପାରିରୁ ପ୍ରାୟୋଜିତ ହୋଇଥିଲା। ଉଲ୍ଲେଖ ଥାଉ କି ଆତଙ୍କବାଦୀମାନେ ଗତ କିଛି ଦିନ ମଧ୍ୟରେ କଶ୍ମୀରର ଅଣ-କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରି ଅନେକ ଆକ୍ରମଣ କରିଛନ୍ତି। ଅଗଷ୍ଟ ୧୬ରେ, ଶୋପିୟାନର ଏକ ସେଓ ବଗିଚାରେ କାମ କରୁଥିବା ଦୁଇ କଶ୍ମୀରୀ ପଣ୍ଡିତ ଭାଇଙ୍କୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ। ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

୧୧ ଅଗଷ୍ଟ ରାତିରେ ବିହାରର ଜଣେ ଶ୍ରମିକଙ୍କୁ ବାନ୍ଦିପୋରାରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଜୁନ୍ ୨ ରେ କୁଲଗାମରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଆକ୍ରମଣ କରାଯାଇଥିଲା। ମେ ୩୧ରେ କୁଲଗାମରେ କଶ୍ମୀରୀ ହିନ୍ଦୁ ମହିଳା ଶିକ୍ଷୟତ୍ରୀ ରଜନୀବାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ମେ ୧୨ ରେ ରାଜସ୍ୱ ବିଭାଗରେ କାର୍ଯ୍ୟ କରୁଥିବା ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀମାନେ ତାଙ୍କ କାର୍ଯ୍ୟାଳୟରେ ପଶି ହତ୍ୟା କରିଥିଲେ | ସେହିପରି ମେ ମାସରେ ବଡଗାମ ଜିଲ୍ଲାରେ ଟିଭି ଅଭିନେତ୍ରୀ ଅମ୍ରିନ୍ ବଟଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର