ମୋଦୀ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍‌, ବର୍ମାଙ୍କ ଉପରେ ନଜର ରଖାଯାଉଛି: ସୁର୍ଯେୱାଲା

ନୂଆଦିଲ୍ଲୀ: ସିବିଆଇ ଅନ୍ତଃକନ୍ଦଳ ଯୋଗୁ ଛୁଟିରେ ଥିବା ଏହାର ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଘର ନିକଟରୁ ୪ ଜଣ ଆଇବି ଅଧିକାରୀଙ୍କୁ ଠାବ କରାଯିବା ପରେ ରାଜନୀତି ସରଗରମ ହୋଇଉଠିଛି। ବିରୋଧୀ ଦଳଗୁଡ଼ିକ ମୋଦୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବେଆଇନ ଭାବେ ବର୍ମାଙ୍କୁ ଛୁଟିରେ ପଠାଇବା ପରେ ଏବେ ତାଙ୍କ ଉପରେ ନଜର ରଖିବା ପାଇଁ ଉଦ୍ୟମ କରାଯାଉଛି। ସରକାରଙ୍କ ଏଭଳି କାର୍ଯ୍ୟ ନିନ୍ଦନୀୟ ବୋଲି ଦଳଗୁଡ଼ିକ ଦର୍ଶାଇଛନ୍ତି। କଂଗ୍ରେସ ନେତା ରଣଦୀପ ସୁର୍ଯେୱାଲା ଟ୍ବିଟ୍‌ କରି କହିଛନ୍ତି ଯେ ବିଜେପି ସରକାର ବଳପୂର୍ବକ ବର୍ମାଙ୍କୁ ଛୁଟିରେ ପଠାଇବା ପରେ ତାଙ୍କ ସ୍ଥାନରେ ‌ଜଣେ ଅନ୍ତରୀଣ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇଛନ୍ତି। ସିବିଆଇରେ ଏଭଳି କାଣ୍ଡ କରିବା ପରେ ଏବେ ଆଇବି ଅଧିକ‌ାରୀଙ୍କୁ ବ୍ୟବହାର କରି ସରକାର ବର୍ମାଙ୍କ ପଛରେ ଲଗାଇଛନ୍ତି। ସିବିଆଇ ଉପରେ ନିୟନ୍ତ୍ରଣ ରଖିବାକୁ ଉଦ୍ୟମ କରୁଥିବା ମୋଦୀ ସରକାର ଏବେ ଆଇବିକୁ ମଧ୍ୟ ନିଜ କାମ ପାଇଁ ବ୍ୟବହାର କରିବା ଆରମ୍ଭ କଲେଣି।

ଏଜେନ୍ସିଗୁଡ଼ିକୁ ନଚାଇବାକୁ ଉଦ୍ୟମ ହେଉଛି: ସିଙ୍ଘ୍‌ଭି
ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ: ଜେଡିୟୁ

ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ଏକ ସ୍ବତନ୍ତ୍ର କଲେଜିୟମ୍‌ ମାଧ୍ୟମରେ ହୋଇଥାଏ। ସେହିଭଳି ନିର୍ଦ୍ଦେଶକଙ୍କ ବଦଳି, ବହିଷ୍କାର ପାଇଁ ମଧ୍ୟ ଏକ ସ୍ବତନ୍ତ୍ର କଲେଜିୟମ୍‌ର ମଞ୍ଜୁରି ନେବା ନିୟମ ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ମାଙ୍କୁ ହଟାଇବା ପାଇଁ କଲେଜିୟମ୍‌ର ଅନୁମତି ନେଇନାହାନ୍ତି। ସେପଟେ ବିଜେପିର ସହଯୋଗୀ ଦଳ ଜେଡିୟୁ ମଧ୍ୟ ବର୍ମାଙ୍କ ଘର ନିକଟରୁ ୪ ଜଣ ଲୋକ ଧରାପଡ଼ିବା ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବତାଇଛି। କେ ସି ତ୍ୟାଗୀ କହିଛନ୍ତି, ଯଦି ଏହି ୪ ଜଣ ଲୋକ ଆଇବିର ହୋଇଥିବେ ଏବଂ ବର୍ମାଙ୍କ ଉପରେ ନଜର ରଖୁଥିବେ, ତେବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ। ଆମ୍‌ ଆଦ୍‌ମି ପାର୍ଟି ନେତା ସଞ୍ଜୟ ସିଂହ ମଧ୍ୟ ଘଟଣାକୁ ନେଇ ମୋଦୀ ସରକାରଙ୍କୁ ଘେରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘ୍‌ଭି କହିଛନ୍ତି, ବିଭିନ୍ନ ଏଜେନ୍ସିକୁ ବଳପୂର୍ବକ ବିଜେପି ନିଜ ଅଙ୍ଗୁଳିରେ ନଚାଇବାକୁ ଚେଷ୍ଟା କରୁଛି। ସବୁ କ୍ଷେତ୍ରରେ ହସ୍ତକ୍ଷେପ କରିବା ବିଜେପିର ଏବେ ଅଭ୍ୟାସରେ ପରିଣତ ହୋଇଯାଇଛି। ଏଜେନ୍ସିଗୁଡ଼ିକର ଦୈନନ୍ଦିନ କାର୍ଯ୍ୟରେ ଜବରଦସ୍ତ ହସ୍ତକ୍ଷେପ କରି ବିଜେପି ନିଜର ଏକଚ୍ଛତ୍ରବାଦ ନୀତିର ପରିଚୟ ଦେଇଛି। ସିବିଆଇ କାମରେ ହସ୍ତକ୍ଷେପ କରି ସବୁ ନଷ୍ଟ କରିଦେଇଥିବା ବିଜେପି ଏବେ ଆଇବି ଅଧିକାରୀଙ୍କୁ ମଧ୍ୟ ବ୍ୟବହାର କରିବା ଆରମ୍ଭ କରିଦେଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର