ମୁସ୍‌ଲିମ୍‌ ନାଁକୁ ଟା‌େର୍ଗଟ୍‌ ଯୋଗୀଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନବାଚୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଫୈଜାବାଦ ଜିଲ୍ଲାକୁ ଅଯୋଧ୍ୟା ଭାବେ ନାମିତ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ୍‌ର ମଂଜୁରିକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୈଜାବାଦ ସମେତ ଅନ୍ୟ ସହର, ବିମାନ ବନ୍ଦର, ସରକାରୀ ହସ୍ପିଟାଲ ଏବଂ ଶିକ୍ଷାନୁଷ୍ଠାନର ମଧ୍ୟ ନାମ ବଦଳାଇବାକୁ ସଙ୍କେତ ଦେଇଥିବାରୁ ଏହାକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଲାଣି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯୋଗୀଙ୍କ ଏଭଳି ଆଭିମୁଖ୍ୟ ସଂପୂର୍ଣ୍ଣ ରାଜନୈତିକ ପ୍ରଣୋଦିତ ଏବଂ ଇତିହାସ ପ୍ରତି ଅବମାନନା ବୋଲି ଅନେକ ମହଲ ମତ ଦେଇଛନ୍ତି। ଯୋଗୀ ଯେଉଁ ସମୟରେ ସହର, ଜିଲ୍ଲା ଏବଂ ଅନୁଷ୍ଠାନଗୁଡ଼ିକର ନାମ ପରିବର୍ତ୍ତନ ପାଇଁ ଆଗଭର ହୋଇଛନ୍ତି ତାହାକୁ ନେଇ ବିଜେପିର ଅନ୍ୟ ସହଯୋଗୀ ଦଳଗୁଡ଼ିକ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏବେ ଅଯୋଧ୍ୟା ଜମି ବିବାଦକୁ ନେଇ ରାଜ୍ୟରେ ସରଗରମ ସ୍ଥିତି ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ସାଂପ୍ରଦାୟିକ ବିଦ୍ବେଷ ବଢ଼ାଉଛି।
ଯୋଗୀ ଆଦିତ୍ୟନାଥ ସାଂସଦ ଥିବା ସମୟରୁ ହିଁ ଅନେକ ମୁସ୍‌ଲିମ ନାମକୁ ପରିବର୍ତ୍ତନ କରି ବିବାଦ ଘେରରେ ରହିଛନ୍ତି। ତାଙ୍କ ସଂସଦୀୟ କ୍ଷେତ୍ର ଗୋରଖପୁରରେ ଉର୍ଦ୍ଦୁ ବଜାରକୁ ହିନ୍ଦୀ ବଜାର, ଅଲି ନଗରକୁ ଆର୍ଯ୍ୟ ନଗର, ମିୟା ବଜାରକୁ ମାୟା ବଜାର, ଇସ୍‌ଲାମପୁରକୁ ଈଶ୍ବରପୁର ଏବଂ ହୁମାୟୁନ ନଗରକୁ ହନୁମାନ ନଗରରେ ପରିଣତ କରାଯାଇଛି।

ସମ୍ବନ୍ଧିତ ଖବର