ବିରୋଧୀଙ୍କୁ ରାଜ୍ୟସଭାରେ ଟାର୍ଗେଟ୍‌

ଗଣତନ୍ତ୍ରକୁ ଅପମାନିତ କରିଛି କଂଗ୍ରେସ ସାମର୍ଥ୍ୟ ନଥିବାରୁ ବିରୋଧୀ ଇଭିଏମ୍‌ ବାହାନା ଖୋଜୁଛନ୍ତି ଭିଡ଼ ହିଂସା ପାଇଁ ସମଗ୍ର ଝାଡ଼ଖଣ୍ଡକୁ ଦୋଷୀ କରିବା ଠିକ୍‌ ନୁହେଁ ଏନ୍‌ସେଫାଲାଇଟିସ୍‌ ଆମର ବଡ଼ ବିଫଳତାରୁ ଗୋଟିଏ

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଙ୍କ ଉପରେ କଡ଼ା ପ୍ରହାରର ଦିନକ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ରୀ ମୋଦୀ ରାଜ୍ୟସଭାରେ ବି ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ହୋଇଥିବା ମତଦାନ ଉପରେ ପ୍ରଶ୍ନ ଉଠାଇଥିବା କଂଗ୍ରେସକୁ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ଜନମତକୁ ନମ୍ରତାର ସହ ଗ୍ରହଣ କରିବା ବଦଳରେ କଂଗ୍ରେସ ତା’ର ଅହଙ୍କାରରେ ଏହାକୁ ‘ଦେଶର ପରାଜୟ’ ବୋଲି କହିବା ଗଣତନ୍ତ୍ର ପାଇଁ ସବୁଠାରୁ ବଡ଼ ଅପମାନ। ବିରୋଧୀ ଦଳମାନେ ନିଜର ସାମର୍ଥ୍ୟ ଉପରେ ଭରସା କରିବା ବଦଳରେ ଇଭିଏମ୍‌ ଉପରେ ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କଂଗ୍ରେସ ନିଜକୁ ଅହଙ୍କାରରେ ‘ଦେଶ’ ବୋଲି ଧରି ନେଇଛି ଏବଂ ଦଳର ପରାଜୟକୁ ‘ଦେଶର ପରାଜୟ’ ବୋଲି କହିଚାଲିଛି। ଏଭଳି ଚିନ୍ତାଧାରା ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାର ଘୋର ବିରୋଧୀ ବୋଲି ମୋଦୀ କହିଥିଲେ। କଂଗ୍ରେସ ନେତାମାନଙ୍କ ଉଦ୍ଦେଶ୍ୟରେ ମୋଦୀ କହିଥିଲେ- ମୁଁ ଆପଣମାନଙ୍କୁ ପଚାରିବାକୁ ଚାହୁଛି କ’ଣ ୱାୟନାଡ଼ରେ ଦେଶ ହାରିଗଲା, କ’ଣ ରାୟବରେଲି, ବରହମ୍‌ପୁର ଏବଂ ତିରୁବନନ୍ତପୁମରେ ଦେଶ ହାରିଗଲା। କଂଗ୍ରେସ ଯେଉଁଠି ହାରିଛି ସେଠାରେ ଦେଶ ହାରିଗଲା ବୋଲି କହିବା ଦେଶର ଭୋଟର୍‌ଙ୍କ ପ୍ରତି ଅପମାନ । ଏଭଳି ବୟାନ ପାଇଁ ଦେଶ କେବେ କ୍ଷମା ଦେବନାହିଁ।
ଝାଡ଼ଖଣ୍ଡର ଭିଡ଼ ହିଂସା ପ୍ରସଙ୍ଗ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ଘଟଣା ମତେ ବହୁତ କଷ୍ଟ ଦେଇଛି ଏବଂ ସମସ୍ତେ ଏଥିରେ ପୀଡ଼ା ଅନୁଭବ କରୁଛନ୍ତି। କିନ୍ତୁ ଏହି ହିଂସା ପାଇଁ ସମଗ୍ର ରାଜ୍ୟକୁ ଦୋଷୀ ଭାବେ ଦର୍ଶାଇ ସମାଲୋଚନା କରିବା ଠିକ୍‌ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭିଡ଼ହିଂସାକୁ ନେଇ ଏଭଳି ରାଜନୀତି ଯୋଗୁଁ ରାଜ୍ୟକୁ ଅଯଥା ବଦନାମ କରାଯାଉଛି ବୋଲି ସେ କହିଥିଲେ। ବିହାରର ଏନ୍‌ସେଫାଲାଇଟିସ୍‌ ଯୋଗୁଁ ଘଟୁଥିବା ଶିଶୁ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଏହି ମାମଲାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିବାକୁ ହେବ । ଏହି ଘଟଣା ଆମର ସବୁଠାରୁ ବଡ଼ ବିଫଳତା ଏଥିରୁ ମୁକ୍ତି ପାଇବାକୁ ବାଟ ଖୋଜିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଓଡ଼ିଶାର ଭୋଟର୍‌ ପରିପକ୍ବତା ଦେଖାଇଛନ୍ତି
ରାଜ୍ୟସଭାରେ  ଓଡ଼ିଶାର ଭୋଟର୍‌ଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ୨୦୧୯ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନରେ ଓଡ଼ିଶାର ଭୋଟର୍‌ମାନେ ଯଥେଷ୍ଟ ପରିପକ୍ବତା ଦେଖାଇଛନ୍ତି। ରାଜ୍ୟ ଓ କେନ୍ଦ୍ର ପାଇଁ ଅଲଗା ମତଦାନ କରି ସେମାନେ ବିଜ୍ଞତାର ପରିଚୟ ଦେଇଛନ୍ତି। କେତେକ ଲୋକସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ବିଧାନସଭା ଆସନରେ ବିଜେପିର ପରାଜୟ ହୋଇଥିବା ବେଳେ ସାଂସଦ ଭାବେ ବିଜେପି ପ୍ରାର୍ଥୀଙ୍କୁ ଭୋଟର୍‌ ନିର୍ବାଚିତ କରିଛନ୍ତି। ଓଡ଼ିଶା ଏକ ଅତ୍ୟନ୍ତ ଉନ୍ନତ ଓ ବିକଶିତ ରାଜ୍ୟ ହୋଇନଥିଲେ ମଧ୍ୟ ଭୋଟର୍‌ମାନଙ୍କ ଏହି ବିଜ୍ଞତା ଭାରତୀୟ ଗଣତନ୍ତ୍ରର ସଫଳତାକୁ ସୂଚାଉଛି ବୋଲି ମୋଦୀ କହିଥିଲେ।

ସମ୍ବନ୍ଧିତ ଖବର