କାଶ୍ମୀରରେ ଟା‌ର୍ଗେଟ୍‌ କିଲିଂ: ପୁଣି ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା, ଶ୍ରୀନଗରରେ କାଶ୍ମୀର ପଣ୍ଡିତଙ୍କ ଆନ୍ଦୋଳନ

ରାହୁଲ, ଅମରୀନଙ୍କ ପରେ ରଜନୀ ବାଳା

ନୂଆଦିଲ୍ଲୀ : କାଶ୍ମୀରରେ ଆତଙ୍କବାଦୀମାନେ ଏବେ ଗୋଟିଏ ପରେ ଗୋଟିଏ ଟା‌ର୍ଗେଟ୍‌ କିଲିଂ ଦ୍ବାରା ଆତଙ୍କ ସୃଷ୍ଟି କରିଚାଲିଛନ୍ତି। କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ୍‌ କରି କାଶ୍ମୀରରେ ହତ୍ୟା ଏବଂ ଆକ୍ରମଣ ବଢ଼ିଛି। କୁଲଗାମ ଜିଲ୍ଲାରେ ଆଜି ଜଣେ ପ୍ରବାସୀ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ଜଣେ ହାଇସ୍କୁଲ୍‌ ଶିକ୍ଷୟିତ୍ରୀ । କୁଲଗାମ୍‌ ଜିଲ୍ଲାର ଗୋପାଳପୁରା ଅଞ୍ଚଳର ଏକ ହାଇସ୍କୁଲ୍‌ ପରିସରରେ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ତାଙ୍କ ଉପରକୁ ଗୁଳି କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ହତ୍ୟାର ଶିକାର ହୋଇଥିବା ଶିକ୍ଷୟିତ୍ରୀଙ୍କ ନାଁ ରଜନୀ ବାଳା। ଜମ୍ମୁର ସାମ୍ବାରେ ସେ ତାଙ୍କ ସ୍ବାମୀ ଏବଂ ଝିଅଙ୍କ ସହ ରହନ୍ତି। ଦୁଇ ଜଣ ଆତଙ୍କବାଦୀ ତାଙ୍କୁ ଗୁଳି ମାରି ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଥିଲେ। ରଜନୀବାଳା କିଛି ଦିନ ହେଲ ଆତଙ୍କବାଦୀଙ୍କ ହିଂସା ଦେଖି ନିଜକୁ ଅସୁରକ୍ଷିତ ମଣୁଥିଲେ ବୋଲି ତାଙ୍କର ଜଣେ ସଂପର୍କୀୟ କହିଛନ୍ତି। ଆଜି ତାଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା କାଶ୍ମୀର ପଣ୍ଡିତ ସଂପ୍ରଦାୟକୁ ସ୍ତବ୍ଧ କରିଦେଇଛି। ଉଲ୍ଲେଖଯୋଗ୍ୟ, କାଶ୍ମୀରରେ ଲଗାତାର ଭାବେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ୍‌ କରି ହତ୍ୟା କରାଯାଉଛି। ଗତ ମେ’ ୧୨ ତାରିଖରେ ରାଜସ୍ବ ବିଭାଗର ଜଣେ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଏହାର କିଛିଦିନ ପରେ ଟିଭି ଆର୍ଟିଷ୍ଟ ଅମରିନ୍‌ ଭଟ୍ଟଙ୍କୁ ମଧ୍ୟ ଆତଙ୍କବାଦୀମାନେ ନିକଟ‌ରେ ଗୁଳି କରି ହତ୍ୟା କରିଥିଲେ।

ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ଶିକ୍ଷୟିତ୍ରୀଙ୍କ ହତ୍ୟା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶିକ୍ଷୟିତ୍ରୀଙ୍କ ହତ୍ୟାକାରୀଙ୍କୁ ନିସ୍ତାର ମିଳିବନି ବୋଲି ସେ କହିଛନ୍ତି। ହତ୍ୟାକାଣ୍ଡକୁ ବିରୋଧ କରି ଆଜି କାଶ୍ମୀର ପଣ୍ଡିତମାନେ ଶ୍ରୀନଗରରେ ଆନ୍ଦୋଳନ କରିଛନ୍ତି। କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ୍‌ କରି ଆତଙ୍କବାଦୀମାନେ ହତ୍ୟା କରରୁଥିବାରୁ ସରକାର ଏଦିଗରେ ଜରୁରୀ ପଦ‌କ୍ଷେପ ଗ୍ରହଣ କରିବା ଏବଂ ପ୍ରବାସୀ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି ହୋଇଛି। ଏବେ ପ୍ରତ୍ୟେକ କାଶ୍ମୀର ପଣ୍ଡିତ ଆତଙ୍କ ଭିତରେ ବଞ୍ଚିବାକୁ ବାଧ୍ୟ ହେଉଥିବାରୁ ସରକାର ଏହାକୁ ଗମ୍ଭୀରତାର ସହ ନେବାକୁ ଆନ୍ଦୋଳନକାରୀମାନେ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶିକ୍ଷୟିତ୍ରୀଙ୍କ ହତ୍ୟାକୁ ନିନ୍ଦନୀୟ ବୋଲି କହିଛନ୍ତି। ପିଡିପି ସଭାପତି ମେହବୁବା ମୁଫ୍‌ତି କହିଛନ୍ତି, କାଶ୍ମୀରରେ ସବୁକିଛି ସ୍ବାଭାବିକ ଅଛି ବୋଲି ସରକାର କହୁଥିଲେ ସୁଦ୍ଧା ଟାର୍ଗେଟ୍‌ କିଲିଂ ବଢ଼ିଚାଲିଛି।

ସମ୍ବନ୍ଧିତ ଖବର