ୱାସିଙ୍ଗଟନ ଡିସି: ଚୀନକୁ ଖୋଲା ଧମକ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚୀନ ଉପରେ ଅତିରିକ୍ତ ୫୦ ପ୍ରତିଶତ ଟାରିଫ୍ ଲଗାଇବ ଆମେରିକା । ୩୪ ପ୍ରତିଶତ ଟାରିଫରୁ ନ ଓହରିଲେ ୫୦ ପ୍ରତିଶତ ଲଗାଇବାକୁ ଖୁଲମଖୁଲା ଧମକ ଦେଇଛନ୍ତି ଟ୍ରମ୍ପ ।
ତେବେ ବିଶ୍ବରେ ଟାରିଫକୁ ନେଇ ଯୁଦ୍ଧ ସ୍ଥିତି ଉପୁଜିଥିବା ବେଳେ ଚୀନ-ଆମେରିକା ମୁହାଁମୁହିଁ ହୋଇଛନ୍ତି । ବେଜିଂ ଆମେରିକା ଉପରେ ୩୪ ପ୍ରତିଶତ ଶୁଳ୍କ ଲଗାଇବା ଘୋଷଣା କରିବାର ୪୮ ଘଣ୍ଟା ନ ପୂରୁଣୁ ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ଅତିରିକ୍ତ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଫଳରେ ଚୀନ ସାମଗ୍ରୀ ଉପରେ ଆମେରିକାର ମୋଟ ଟାରିଫ ୯୪ ପ୍ରତିଶତ ଛୁଇଁଛି । ପୂର୍ବରୁ ୩୪ ପ୍ରତିଶତ ଟାରିଫ ସହ ନୂଆ ୫୦ ପ୍ରତିଶତ ଏହାଛଡ଼ା ସବୁ ଦେଶ ଉପରେ ୧୦ ପ୍ରତିଶତ ଗ୍ଲୋବାଲ ଟାରିଫକୁ ମିଶାଇ ଚୀନ ଉପରେ ୯୪ ପ୍ରତିଶତ ଶୁଳ୍କ ଲଗାଇଛି ଆମେରିକା ।
ଯେସାକୁ ତେସା ନୀତିରେ ବିଶ୍ବାସ ରଖୁଥିବା ବିଶ୍ବର ଦୁଇ ଶକ୍ତିଶାଳୀ ନେତାଙ୍କ ଟାରିଫ ଯୁଦ୍ଧ ଆଗକୁ ବିଶ୍ବ ବଜାରକୁ ଅଧିକ ପ୍ରଭାବିତ କରିବ । ସେପଟେ ଜବାବରେ ଜିନପିଙ୍ଗ ପୁଣି ଟାରିଫ ବୃଦ୍ଧି କରିପାରନ୍ତି ବୋଲି କୁହାଯାଉଛି । ଯଦି ଏଭଳି ହୁଏ ଭାରତକୁ ଫାଇଦା ମିଳିବ । ଟ୍ରମ୍ପଙ୍କ ଶୁଳ୍କ ଉପରେ ୯୦ ଦିନର ରୋକ ଲାଗିପାରେ ବୋଲି ଚର୍ଚ୍ଚା ଭିତରେ ଏଭଳି ଘୋଷଣା କରିଛି ଆମେରିକା ।
ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁଁ ବିଶ୍ବର ସବୁ ଦେଶ ପ୍ରଭାବିତ ହୋଇଛନ୍ତି । ଆମେରିକା ସମେତ ଭାରତର ସେୟାର ବଜାର କ୍ରାସ ହୋଇଛି । ଫଳରେ ନିବେଶକମାନେ ଚିନ୍ତାରେ ପଡିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨ରେ ବିଶ୍ୱର ବିଭିନ୍ନ ଦେଶକୁ ଟାର୍ଗେଟ କରି ପାଲଟା ଶୁଳ୍କ ଘୋଷଣା କରିଥିଲେ । ଅଟୋ ମୋବାଇଲ, ଦୁଗ୍ଧ, ଇସ୍ପାତ ଏବଂ ଇଲେକ୍ଟ୍ରୋନିକ୍ସ ଭଳି କ୍ଷେତ୍ର ଏହି ଶୁଳ୍କ ଦ୍ୱାରା ବିପଦରେ ପଡ଼ିଛି । ରାଷ୍ଟ୍ରପତି ଚୀନରୁ ଆମଦାନୀ ଉପରେ ୩୪ ପ୍ରତିଶତ ଏବଂ ୟୁରୋପୀୟ ସଂଘରୁ ଆମଦାନୀ ଉପରେ ୨୦ ପ୍ରତିଶତ ନୂଆ ଶୁଳ୍କ ଲାଗୁ କରିଛନ୍ତି । ଦୁହେଁ ଆମେରିକାର ପ୍ରମୁଖ ବାଣିଜ୍ୟ ସହଯୋଗୀ ।
ଏଥିସହିତ ସେ ଭାରତ ଉପରେ ୨୬ ପ୍ରତିଶତ ରିହାତି ଶୁଳ୍କ ଘୋଷଣା କରିଛନ୍ତି । ଯେଉଁ ସବୁ ଦେଶ ଉପରେ ଆମେରିକା ପ୍ରତିଶୋଧମୂଳକ ଶୁଳ୍କ ଲଗାଇଛି ତାହାର ତାଲିକା ୧୦%ରୁ ୪୯% ପର୍ଯ୍ଯନ୍ତ ରହିଛି। ଚୀନ୍ ଉପରେ ୩୪%, ୟୁରୋପୀୟ ସଂଘ ଉପରେ ୨୦%, ଦକ୍ଷିଣ କୋରିଆ ଉପରେ ୨୫%, ଜାପାନ ଉପରେ ୨୪%, ଭିଏତନାମ ଉପରେ ୪୬%, ତାଇୱାନ ଉପରେ ୩୨%, ଶ୍ରୀଲଙ୍କା ଉପରେ ୪୪% ଏବଂ ପାକିସ୍ତାନ ଉପରେ ୨୯% ରେସିପ୍ରୋକଲ ଟାରିଫ ନେଇ ଘୋଷଣା କରିଛନ୍ତି ଟ୍ରମ୍ପ । ଏହାକୁ ନେଇ ବିଶ୍ବବ୍ୟାପି ଅସନ୍ତୋଷ ଦେଖାଦେଇଛି । ବିରୋଧ ପ୍ରଦର୍ଶନ ବି ହୋଇଛି ।