ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ

ଗୌହାଟୀ : ଗତ ଅଗଷ୍ଟମାସରେ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ତରୁଣ ଗୋଗୋଇଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଗୋଗୋଇଙ୍କ ପରଲୋକ ହୋଇଥିବା ଆସାମର ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ସୂଚନା ଦେଇଛନ୍ତି ।

ଆଜି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଗୁଆହାଟୀ ମେଡିକାଲ କଲେଜ ଯାଇ ଗୋଗୋଇଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।

ଅଗଷ୍ଟ ମାସରେ କରୋନା ଆକ୍ରାନ୍ତ ହେବା ପରେ ଗୋଗୋଇଙ୍କର ପ୍ଲାଜମା ଥେରାପି କରାଯାଇଥିଲା । ଏହା ପରେ ସେ ସୁସ୍ଥ ହୋଇଥିଲେ । କିନ୍ତୁ ଅକ୍ଟୋବର ଶେଷ ସପ୍ତାହ ବେଳକୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ପୁଣି ଅବନତି ଦେଖାଦେଇଥିଲା । ଏହା ପରେ ନଭେମ୍ବର  ୨ ତାରିଖରୁ ତାଙ୍କୁ ଗୁଆହାଟୀ ମେଡିକାଲ କଲେଜରେ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା । ତେବେ ଗତ ଶନିବାରଠାରୁ ତାଙ୍କର ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା । ଏପରିକି ତାଙ୍କର କେତେ ଅଂଗ କାମ କରୁ ନଥିଲା ବୋଲି ହେମନ୍ତ ବିଶ୍ବ ଶର୍ମା ସୂଚନା ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ଗୋଗୋଇ ୨୦୦୧ରୁ ୨୦୧୬ ମସିହା ପର୍ଯ୍ୟନ୍ତ ୩ ଥର ଲଗାତର ଭାବେ ଆସାମର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ସେ ଜୋର୍‌ହାଟ୍‌ ଜିଲ୍ଲାର ବାସିନ୍ଦା।

ସମ୍ବନ୍ଧିତ ଖବର