ନୂଆଦିଲ୍ଲୀ : ତେହେଲକାର ମୁଖ୍ୟ ସମ୍ପାଦକ ତରୁଣ ତେଜପାଲ ୨୦୧୩ ମସିହାର ଏକ ଦୁଷ୍କର୍ମ ମାମଲାରୁ ଦୀର୍ଘ ୮ ବର୍ଷ ପରେ ଦୋଷମୁକ୍ତ ହୋଇଛନ୍ତି। ଉତ୍ତର ଗୋଆର ମପୁସା ସ୍ଥିତ ଏକ ଦୌରା ଅଦାଲତ ତାଙ୍କୁ ଶୁକ୍ରବାର ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ୨୦୧୩ ମସିହାରେ ଗୋଆର ବମ୍ବୋଲିମ୍ରେ ତେହେଲକା ପକ୍ଷରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ଅବସରରେ ଗୋଆର ଏକ ବିଳାସପୂର୍ଣ୍ଣ ହୋଟେଲରେ ରହଣି ବେଳେ ଏକ ଲିଫ୍ଟ ଭିତରେ ତେଜପାଲ ତାଙ୍କର ଜଣେ ମହିଳା କନିଷ୍ଠ ସହଯୋଗୀଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ଉଠିଥିଲା। ସେହିବର୍ଷ ନଭେମ୍ବର ୩୦ରେ ତେଜପାଲଙ୍କୁ ସିବିଆଇ ଗିରଫ କରିଥିଲା।
ତେବେ ୨୦୧୪ ଜୁଲାଇ ପହିଲାରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ୨୦୧୭ ସେପ୍ଟେମ୍ବରରେ ଗୋଆର ଏକ ବିଚାରଣ ଅଦାଲତ ତାଙ୍କୁ ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ଏହି ରାୟ ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଶରଣ ପଶିଥିଲା ବେଳେ ୬ ମାସରେ ଶୁଣାଣି ସାରିବାକୁ ସର୍ବୋଚ୍ଚ ଅଦାଲତ ୨୦୧୯ରେ ନିମ୍ନ ଅଦାଲତକୁ ନିର୍ଦ୍ଦେଶ କରିଥିଲେ। ଏହାର ରାୟ ଗତ ୨୭ ତାରିଖରେ ଶୁଣାଯିବାକୁ ଥିଲା ବେଳେ ତିନି ଥର ଘୁଞ୍ଚି ଶେଷରେ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି।