ନୂଆଦିଲ୍ଲୀ : ମାତୃତ୍ୱର ବୟସ, ମାତୃ ମୃତ୍ୟୁ ହାର (ଏମ୍‌ଏମ୍‌ଆର) ହ୍ରାସର ଆବଶ୍ୟକତା, ପୋଷଣ ସ୍ତର ଏବଂ ତତସଂକ୍ରାନ୍ତ ପ୍ରସଙ୍ଗଗୁଡ଼ିକର ଅନୁଧ୍ୟାନ ପାଇଁ ଭାରତ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଜୟା ଜେଟଲ୍‌ଙ୍କୁ ଏହି ଟାସ୍କଫୋର୍ସର ଅଧ୍ୟକ୍ଷା କରାଯାଇଥିବାବେଳେ ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ବିନୋଦ ପଲ, ସ୍ବାସ୍ଥ୍ୟ ସଚିବ, ଉଚ୍ଚ ଶିକ୍ଷା ବିଭାଗ ସଚିବ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ, ନଜମା ଅଖତର, ବସୁଧା କାମାଥ, ଡ ଦୀପ୍ତି ଶାହା ପ୍ରମୁଖଙ୍କୁ ସଦସ୍ୟଭାବେ ନିଆଯାଇଛି। ଏ ସମ୍ପର୍କରେ ଗତ ୪ ତାରିଖରେ ଏକ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ବିବାହ ଏବଂ ମାତୃତ୍ୱ ଲାଭର ବୟସ ମଧ୍ୟରେ ରହିଥିବା ପାରସ୍ପରିକ ସମ୍ପର୍କର ଅନୁଧ୍ୟାନ; ଗର୍ଭାବସ୍ଥା, ସନ୍ତାନ ଜନ୍ମ ଏବଂ ଏହାର ପରବର୍ତ୍ତୀ ଅବସ୍ଥାରେ ମା’ ଓ ଶିଶୁର ସ୍ୱାସ୍ଥ୍ୟ, ଚିକିତ୍ସା ଯତ୍ନ ଏବଂ ପୋଷଣ ସ୍ଥିତି; ଶିଶୁ ମୃତ୍ୟୁ ହାର (ଆଇଏମଆର), ମାତୃ ମୃତ୍ୟୁହାର (ଏମଏମଆର), ମୋଟ ଗର୍ଭଧାରଣ ହାର (ଟିଏଫ୍‌ଆର୍‌), ଜନ୍ମିତ ଶିଶୁର ଲିଙ୍ଗ ଅନୁପାତ (ଏସ୍‌ଆରବି), ଶିଶୁ ଲିଙ୍ଗ ଅନୁପାତ (ସିଏସ୍‌ଆର) ଆଦି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଅନୁଧ୍ୟାନ କରିବ। ସୁପାରିସକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ଆଇନ ପ୍ରଣୟନ କିମ୍ବା ପ୍ରଚଳିତ ଆଇନରେ ସଂଶୋଧନ ପାଇଁ ପରାମର୍ଶ ଦେବ। ଆବଶ୍ୟକ ହେଲେ ଅନ୍ୟ ବିଶେଷଜ୍ଞମାନଙ୍କୁ ଟାସ୍କଫୋର୍ସ ନିଜର ବୈଠକକୁ ଡାକିପାରିବ।

Advertisment

ନିତି ଆୟୋଗ ପକ୍ଷରୁ ଟାସ୍କଫୋର୍ସକୁ ସଚିବସ୍ତରୀୟ ସହାୟତା ଯୋଗାଇ ଦିଆଯିବ ଏବଂ ୩୧ ଜୁଲାଇ, ୨୦୨୦ ସୁଦ୍ଧା ଟାସ୍କଫୋର୍ସ ଏହାର ରିପୋର୍ଟ ଉପସ୍ଥାପନ କରିବ। ଅର୍ଥମନ୍ତ୍ରୀ ଗତ ବଜେଟ ଭାଷଣରେ କହିଥିଲେ, ୧୯୭୮ରେ ଝିଅମାନଙ୍କର ବିବାହ ବୟସ ୧୫ ବର୍ଷରୁ ୧୮ ବର୍ଷକୁ ବୃଦ୍ଧି କରାଯାଇଥିଲା। ଏଥିପାଇଁ ଶାରଦା ଆଇନ ୧୯୨୯ର ସଂଶୋଧନ କରାଯାଇଥିଲା। ଭାରତ ଆହୁରି ପ୍ରଗତି ହାସଲ କରିବା ପରେ ଏସବୁରେ ସୁଧାର ଆଣିବାର ଆବଶ୍ୟକତା ରହିଛି। ତେଣୁ ସେ ବଜେଟରେ ଟାସ୍କଫୋର୍ସ ଗଠନ ପ୍ରସ୍ତାବ ରଖିଥିଲେ।