ସତ କହିବାରୁ ‘ଫେସ୍‌ବୁକ୍‌ ଆକାଉଣ୍ଟ୍‌’ ସପ୍ତାହକ ପାଇଁ ନିଷିଦ୍ଧ ହୋଇଥିବା ଅଭିଯୋଗ କଲେ ତସ୍‌ଲିମା ନସ୍‌ରୀନ୍‌

ନୂଆଦିଲ୍ଲୀ: ସତ କହିବାରୁ ତାଙ୍କର ‘ଫେସ୍‌ବୁକ୍‌ ଆକାଉଣ୍ଟ୍‌’ ପୁଣି ୭ ଦିନ ପାଇଁ ନିଷିଦ୍ଧ କରାଯାଇଥିବା କଥା ଆଜି ବାଂଲାଦେଶୀ ଲେଖିକା ତସ୍‌ଲିମା ନସରୀନ୍‌ କହିଛନ୍ତି।
ଟୁଇଟ୍‌ କରି ତସ୍‌ଲିମା ଲେଖିଛନ୍ତି, ହନୁମାନଙ୍କ ଜାନୁ ଉପରେ ହିନ୍ଦୁମାନେ କୋରାନ୍‌ ରଖିଛନ୍ତି ବୋଲି ବିଚାରି ଇସ୍‌ଲାମୀୟମାନେ ବାଂଲାଦେଶୀ ହିନ୍ଦୁମାନଙ୍କ ଘରଦ୍ୱାର ଏବଂ ମନ୍ଦିର ଭାଙ୍ଗିଥିବା କଥା ଲେଖିବାରୁ ମୋ ଲାଗି ‘ଫେସ୍‌ବୁକ୍‌’ ନିଷେଧ କରାଯାଇଛି। କିନ୍ତୁ, ହିନ୍ଦୁମାନେ ନୁହନ୍ତି, ଇକ୍‌ବାଲ୍‌ ହୋସେନ୍‌ ସେ କାମ କରିଥିବା କଥା ଜଣାପଡ଼ିବା ପରେ, ଇସ୍‌ଲାମୀୟ ମାନେ ନିରବ ହୋଇଗଲେ। ଇକ୍‌ବାଲ୍‌ଙ୍କ ବିପକ୍ଷରେ କିଛି କହିଲେ ନାହିଁ କି, କୌଣସି ପଦକ୍ଷେପ ନେଲେନାହିଁ।

ସୂଚନାଯୋଗ୍ୟ, ‘ଫେସ୍‌ବୁକ୍‌’ଦ୍ୱାରା ତସ୍‌ଲିମାଙ୍କ ଆକାଉଣ୍ଟ୍‌ ନିଷିଦ୍ଧ (ବ୍ୟାନ୍‌) ହେବାରେ ଏଇଟା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ, ଚଳିତ ବର୍ଷ ମାର୍ଚ ୧୬ ତାରିଖରେ ମଧ୍ୟ ‘ଫେସ୍‌ବୁକ୍‌’ ତାଙ୍କ ଆକାଉଣ୍ଟ୍‌କୁ ୧୨ ଘଣ୍ଟା ପାଇଁ ବନ୍ଦ କରିଥିବା କଥା ନସ୍‌ରୀନ୍‌ ଅଭିଯୋଗ କରିଥିଲେ।

Image Courtesy of The Economic Times

ସେ ସମ୍ପର୍କରେ ମଧ୍ୟ ସେ ଟୁଇଟ୍‌ କରି ଲେଖିଥିଲେ, ‘ଫେସ୍‌ବୁକ୍‌’ ମତେ ୨୪ ଘଣ୍ଟା ପାଇଁ ନିଷିଦ୍ଧ କରିଛି। ମୋର ଅପରାଧ ଥିଲା, ବାଂଲଦେଶୀ ହସ୍ତଶିଳ୍ପ ଭଣ୍ଡାର ‘ଆରୋଙ୍ଗ୍‌’ର ନିଷ୍ପତ୍ତିକୁ ପସନ୍ଦ କରିବା। ‘ଆରୋଙ୍ଗ୍‌’ର ନିୟମ ମାନୁ ନ ଥିବା ‘ଜିହାଦି’ମାନଙ୍କୁ ସେଠାରେ ଚାକିରି ମିଳବ ନାହିଁ ବୋଲି ନିୟମ ହୋଇଥିଲା। ‘ଆରୋଙ୍ଗ୍‌’ରେ ସେଲ୍‌ସ୍‌ମ୍ୟାନ୍‌ ଭାବେ ଚାକିରି କରିବାକୁ ହେଲେ ଦାଢ଼ି କ୍ଷୌର ହେବାକୁ ପଡ଼ିବ ବୋଲି ଉକ୍ତ ନିୟମାବଳୀରେ ଥିଲା। ଇସ୍‌ଲାମୀୟମାନେ ‘ଆରୋଙ୍ଗ୍‌’ ବିରୋଧରେ ପ୍ରତିବାଦ କରିଥିଲେ।
୨୦୧୫ରେ ମଧ୍ୟ ତସ୍‌ଲିମାଙ୍କ ‘ଫେସ୍‌ବୁକ୍‌’ ଆକାଉଣ୍ଟ୍‌ ଅଚଳ କରାଯାଇଥିବା ଅଭିଯୋଗ ହୋଇଥିଲା।

‘ହେଟ୍‌ ସ୍ପିଚ୍‌’ ନୀତି ଉଲ୍ଲଂଘନକାରୀଙ୍କ ଆକାଉଣ୍ଟ୍‌ ନିଷିଦ୍ଧ କରାଯିବ ବୋଲି ‘ଫେସ୍‌ବୁକ୍‌’ ଘୋଷଣା କରିଛି।

ସେହିଭଳି, ମାର୍ଚ ୧୭ରେ ତସ୍‌ଲିମା ନସ୍‌ରୀନ୍‌ କହିଥିଲେ ଯେ, ବାଂଲାଦେଶୀ ସରକାର ତାଙ୍କ ପୁସ୍ତକ ଉପରେ ନିଷେଧାଜ୍ଞା ଜାରି କରିଛନ୍ତି।

ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ‘ଲଜ୍ଜା’ ଶୀର୍ଷକ ଉପନ୍ୟାସ ଲେଖିବା ସହ ନିର୍ଭୟରେ ଧର୍ମକୁ ସମାଲୋଚନା କରି ନସ୍‌ରୀନ୍‌ ଚର୍ଚ୍ଚିତା ହୋଇଥିଲେ। ତାଙ୍କର ଇସ୍‌ଲାମ୍‌-ବିରୋଧୀ ଦୃଷ୍ଟିକୋଣ ହେତୁ ମୌଳବାଦୀ ସଙ୍ଗଠନଙ୍କ ମୃତ୍ୟୁ ଧମକ ପାଇ ସେ ୧୯୯୪ରେ ବାଂଲାଦେଶ ପରିତ୍ୟାଗ କରିଥିଲେ। ସେବେଠାରୁ ସ୍ୱଦେଶରୁ ନିର୍ବାସିତା ହୋଇଥିବା ତସ୍‌ଲିମା ସମ୍ପ୍ରତି ନୂଆ ଦିଲ୍ଲୀରେ ବାସ କରୁଛନ୍ତି।

ସମ୍ବନ୍ଧିତ ଖବର