ସାଇରସ ମିସ୍ତ୍ରୀଙ୍କ ପରଲୋକରେ ଟାଟା ଗ୍ରୁପ ଅଧ୍ୟକ୍ଷଙ୍କ ଶୋକ

ମୁମ୍ବାଇ :  ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ସାରା ବ୍ୟବସାୟ ଜଗତ ସ୍ତବ୍ଧ ହୋଇଯାଇଛି । ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଶୋକ ପ୍ରକଟ କରିଛନ୍ତି ।

ମିସ୍ତ୍ରୀଙ୍କ ମୃତ୍ୟୁରେ ଟାଟା ଗ୍ରୁପ ପକ୍ଷରୁ ମଧ୍ୟ ଶୋକ ପ୍ରକଟ କରାଯାଇଛି । ଟାଟା ଗ୍ରୁପ ଅଧ୍ୟକ୍ଷ ଏନ.ଚନ୍ଦ୍ର ଶେଖରନ ନିଜ ଶୋକବାର୍ତ୍ତାରେ କହିଛନ୍ତି ଯେ ସେ ତାଙ୍କ ମୃତ୍ୟୁରେ ଅତ୍ୟନ୍ତ ଦୁଃଖିତ । ଜୀବନ ପ୍ରତି ତାଙ୍କର ଏକ ସକାରାତ୍ମକ ଦୃଷ୍ଟିଭଙ୍ଗୀ ରହିଥିଲା । ଏତେ କମ ବୟସରୁ ତାଙ୍କର ପରଲୋକ ହେବା ବେଶ ଯନ୍ତ୍ରଣାଦାୟକ ।

ସାଇରସ ଗତ ୨୦୧୬ରୁ ଟାଟା ଗ୍ରୁପ ବିରୋଧରେ ଏକ ଲମ୍ବା ଆଇନଗତ ଲଢେଇ ଲଢୁଥିଲେ । ୨୦୧୬ ଅକ୍ଟୋବର ମାସରେ ଟାଟା ସନ୍ସର ବୋର୍ଡ ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବାକୁ ଭୋଟ  ଦେଇଥିଲା । ଏହା ପରେ ମିସ୍ତ୍ରୀଙ୍କୁ ହଟାଇଦିଆଯାଇଥିଲା । ବୋର୍ଡ ନିଷ୍ପତ୍ତି  ବିରୋଧରେ ସେ ପ୍ରଥମେ ଜାତୀୟ କମ୍ପାନି ଲ’ ଟ୍ରିବୁନାଲଙ୍କ  ଆଶ୍ରୟ ନେଇଥିଲେ । କିନ୍ତୁ ଟ୍ରିବୁନାଲଙ୍କ ରାୟ ତାଙ୍କ ବିରୋଧରେ ଯାଇଥିଲା । ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ । ସେଠାରୁ ମଧ୍ୟ ସେ ନିରାଶ ହୋଇଥିଲେ ।

ସୂଚନାଯୋଗ୍ୟ ଯେ ଏକ ସଡ଼କ ଦୁର୍ଘଟଣାରେ ରବିବାରଦିନ ସାଇରସଙ୍କ ମୃତ୍ୟୁ ହୋଇଥିଲା । ମୁମ୍ବାଇ ଅହମ୍ମଦାବାଦ ରାସ୍ତାରେ ଥିବା ପାଲଘର ଜିଲ୍ଲାରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ଗୁରୁତରଭାବେ ଆହତ ହୋଇଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

 

 

ସମ୍ବନ୍ଧିତ ଖବର