ନୂଆଦିଲ୍ଲୀ: କୋଭିଡ୍-୧୯ ଚିହ୍ନଟ କରିବାକୁ ଟାଟା ଗ୍ରୁପ୍ ଏକ ନୂତନ ପରୀକ୍ଷା କିଟ୍ ଲଞ୍ଚ କରିଛି। ଏହା ସାହାଯ୍ୟରେ ନମୁନା ପରୀକ୍ଷା କଲେ ମାତ୍ର ୯୦ ମିନିଟରେ କୋଭିଡ୍-୧୯ ପରୀକ୍ଷଣର ଫଳାଫଳ ଜଣା ପଡ଼ିଯିବ। ନାସା ବା ନାକରୁ ସ୍ୱାବ୍ ସଂଗ୍ରହ କରି ଏହି କିଟ୍ରେ ପରୀକ୍ଷା କଲେ ମାତ୍ର ୯୦ ମିନିଟରେ ଜଣାପଡ଼ିଯିବ ଜଣେ ବ୍ୟକ୍ତି କୋଭିଡ୍-୧୯ ସଂକ୍ରମିତ କି ନୁହେଁ। ଟାଟା ଗ୍ରୁପ୍ ଏବଂ ଭାରତ ସରକାରଙ୍କ ପକ୍ଷରୁ ମିଳିତ ଭାବରେ ଏହି ପରୀକ୍ଷା କିଟ୍କୁ ବିକଶିତ କରାଯାଇଛି। ଦ୍ରୁତ ଆଣ୍ଟିଜେନ୍ ପରୀକ୍ଷା ଅପେକ୍ଷା ଏହି କିଟ୍ ଦ୍ୱାରା ହୋଇଥିବା ପରୀକ୍ଷା ସଠିକ ବୋଲି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ବର୍ତ୍ତମାନ ଚେନ୍ନାଇ ସ୍ଥିତ ଟାଟା ମେଡିକାଲ୍ ଏବଂ ଡାଇଗ୍ନୋଷ୍ଟିକ୍ସ ପ୍ଲାଣ୍ଟରେ ମାସକୁ 1 ମିଲିୟନ୍ (୧୦ ଲକ୍ଷ) ଏହି କିଟ୍ ଉତ୍ପାଦନ ଆରମ୍ଭ କରାଯିବ। ଏବଂ ଉତ୍ପାଦନ ସଂଖ୍ୟାକୁ ଆଗାମୀ ଦିନରେ ଦ୍ରୁତ ଗତିରେ ବୃଦ୍ଧି କରାଯିିବ ବୋଲି ସିଇଓ ଗିରିଶ କୃଷ୍ଣମୂର୍ତ୍ତି କହିଛନ୍ତି।
ଟାଟାଏମଡି ଚେକ୍ ନାମରେ ନାମିତ ଏହି ଉତ୍ପାଦ ମାତ୍ର ୯୦ ମିନିଟରେ ଫଳାଫଳ ପ୍ରଦାନ କରିପାରିବ ଏବଂ ଘରୋଇ ବଜାର ଉପରେ ପ୍ରାଥମିକ ଧ୍ୟାନ ଦିଆଯିବା ସହିତ ଆସନ୍ତା ମାସରୁ ଡାକ୍ତରଖାନା ଏବଂ ଲାବୋରେଟୋରି ମାଧ୍ୟମରେ ଏହାର ବିକ୍ରି ହେବ ବୋଲି ସିଇଓ କୃଷ୍ଣମୂର୍ତ୍ତି କହିଛନ୍ତି।
ସେ କହିଛନ୍ତି, ଏହି ଉତ୍ପାଦ ଏବେ ବଜାରକୁ ଆସିବା ପରେ କୋଭିଡ୍-୧୯ ପରୀକ୍ଷା କରିବା ପାଇଁ ଆପଣଙ୍କୁ ବଡ ଆଉ ମହଙ୍ଗା ଉପକରଣର ଆବଶ୍ୟକତା ନାହିଁ। ତେଣୁ ଏହାକୁ ବଜାରରେ ଅଧିକ ମାତ୍ରାରେ ଉପଲବ୍ଧ କରାଇବା ଦିଗରେ କମ୍ପାନି କାର୍ଯ୍ୟ କରିବ।