ଦେଶର ସବୁଠାରୁ ଶସ୍ତା ଗାଡ଼ି ‘ନାନୋ’ର ଉତ୍ପାଦନ ଓ ବିକ୍ରୟକୁ ୨୦୨୦ ଅପ୍ରେଲରୁ ବନ୍ଦ କରିବ ଟାଟା ମୋଟର୍ସ

ହାଇଦ୍ରାବାଦ/ ନୂଆଦିଲ୍ଲୀ: ଦେଶର ସବୁଠାରୁ ଶସ୍ତା ଗାଡ଼ି ଭାବେ ପରିଚିତ ଥିବା ‘ନାନୋ’ର ଉତ୍ପାଦନ ଓ ବିକ୍ରୟକୁ ୨୦୨୦ ଅପ୍ରେଲରୁ ବନ୍ଦ କରାଯିବ ବୋଲି ଟାଟା ମୋଟର୍ସ ପକ୍ଷରୁ ଘୋଷଣା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଟାଟା କମ୍ପାନିର ଅଧ୍ୟକ୍ଷ ରତନ ଟାଟାଙ୍କର ମାନସ ସନ୍ତାନ ବୋଲି କହୁଯାଉଥିବା ଟାଟା ମୋଟର୍ସ ଦ୍ୱାରା ନିର୍ମିତ ଏହି ନାନୋ ଗାଡ଼ିର ବଜାର ପ୍ରବେଶ ବିଗତ ୨୦୦୯ରେ ହୋଇଥିଲା। ସେ ସମୟରେ ପ୍ରାୟ ୧ ଲକ୍ଷ ଟଙ୍କାରେ ଉପଲବ୍ଧ ହେଉଥିବା ଏହି ନାନୋ ଗାଡ଼ି ଦେଶର ସବୁଠାରୁ ଶସ୍ତା ଗାଡ଼ିର ମାନ୍ୟତା ମଧ୍ୟ ଲାଭ କରିଥିଲା। ତେବେ, ‘ନାନୋ’ର ଉତ୍ପାଦନ ଓ ବିକ୍ରୟକୁ ଆସନ୍ତା ୨୦୨୦ ଅପ୍ରେଲରୁ ବନ୍ଦ କରାଯିବ ବୋଲି ଆଜି ଟାଟା ମୋଟର୍ସ ପକ୍ଷରୁ ଘୋଷଣା କରାଯାଇଛି।

ଏସଂପର୍କରେ ନାନୋ ନିର୍ମାଣକାରୀ ଟାଟା ମୋଟର୍ସ ପକ୍ଷରୁ କୁହାଯାଇଛି ଯେ ଜାନୁଆରି ମାସ ଠାରୁ ଯାତ୍ରୀ ଓ ଗାଡ଼ି ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର କେତେକ ନୂଆ ନିୟମ ପ୍ରଣୟନ କରିଛନ୍ତି। ଏଥିସହ ଆସନ୍ତା ଅପ୍ରେଲ ଓ ଅକ୍ଟୋବର ମାସରେ ସରକାର ଯାତ୍ରୀ ଓ ଗାଡ଼ି ସୁରକ୍ଷା କ୍ଷେତ୍ରରେ ଆହୁରି କିଛି ନୂଆ ନିୟମ ଲାଗୁ କରିବା ପାଇଁ ଯାଉଛନ୍ତି। ଏହାବାଦ ୨୦୨୦ ଅପ୍ରେଲ ୧ ତାରିଖ ଠାରୁ ପ୍ରତ୍ୟେକ ଗାଡ଼ିରେ ସରକାରଙ୍କର ବିଏସ୍‌-୪ ନିୟମ ଲାଗୁ ହୋଇଯିବ।

ତେବେ, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଏସବୁ ସୁରକ୍ଷା ନିୟମକୁ ପାଳନ କରିବାକୁ ନାନୋ ସମର୍ଥ ନୁହେଁ। ନାନୋରେ ଏସବୁ ସୁରକ୍ଷା ବ୍ୟବସ୍ଥା ଦେବାକୁ ହେଲେ କମ୍ପାନିର ଆଧୁନିକୀକରଣ କରିବାକୁ ହେବ। ଏବଂ ଏବାବଦରେ ପ୍ରର୍ଯ୍ୟାପ୍ତ ପୁଞ୍ଜି ନିବେଶର ମଧ୍ୟ ଆବଶ୍ୟକତା ରହିଛି। ତେବେ, ନାନୋ ଗାଡ଼ି କ୍ଷେତ୍ରରେ ଆଉ ଅଧିକ ପୁଞ୍ଜି ନିବେଶ ପାଇଁ ଟାଟା ମୋଟର୍ସ ପ୍ରସ୍ତୁତ ନଥିବାରୁ ‘ନାନୋ’ର ଉତ୍ପାଦନ ଓ ବିକ୍ରୟକୁ ଆସନ୍ତା ୨୦୨୦ ଅପ୍ରେଲରୁ ବନ୍ଦ କରିଦେବା ପାଇଁ ଟାଟା କମ୍ପାନି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କମ୍ପାନିର ଜନୈକ ଅଧିକାରୀ।

ସମ୍ବନ୍ଧିତ ଖବର