‘ସମ୍ବାଦ’ ସହଯୋଗରେ ତିନିଦିନିଆ ଟାଟା ଷ୍ଟିଲ୍‌ ସାହିତ୍ୟ ମହୋତ୍ସବ ୧୦ରୁ, ଉଦ୍‌ଘାଟନ କରିବେ ଲର୍ଡ ମେଘନାଦ ଦେଶାଇ, ପେରୁମଲ ମୁରୁଗାନ

ମଞ୍ଚସ୍ଥ ହେବ ଅମୋଲ ପାଲେକରଙ୍କ ଅଭିନୀତ ନାଟକ, ପଣ୍ଡିତ ହରିପ୍ରସାଦ ଚୌରାସିଆ ବଖାଣିବେ ଜୀବନ ସ୍ମୃତି

ଭୁବନେଶ୍ବର : ଗତ କିଛି ବର୍ଷ ଧରି ‘ସମ୍ବାଦ’ ସହଯୋଗରେ ସଫଳତାର ସହ ଅନୁଷ୍ଠିତ ହୋଇଆସୁଥିବା ଟାଟା ଷ୍ଟିଲ୍‌ ଭୁବନେଶ୍ୱର ସାହିତ୍ୟ ମହୋତ୍ସବ ଆସନ୍ତା ୧୦ରୁ ୧୨ ତାରିଖ ତିନି ଦିନ ଧରି ସ୍ଥାନୀୟ ଜାଭିୟର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ପରିସର‌‌ରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ବ୍ରିଟିସ୍‌ ଅର୍ଥନୀତିଜ୍ଞ ଲର୍ଡ ମେଘନାଦ ଦେଶାଇ ଓ ବିଶିଷ୍ଟ ତାମିଲ ଔପନ୍ୟାସିକ ପେରୁମଲ ମୁରୁଗାନ ଆସନ୍ତା ୧୦ ତାରିଖ ଅପରାହ୍‌ଣରେ ଉଦ୍‌ଘାଟନ କରିବେ। ବିଶିଷ୍ଟ ଅଭିନେତା ଅମୋଲ ପାଲେକରଙ୍କୁ ରବୀନ୍ଦ୍ର ମଣ୍ଡପ ମଞ୍ଚରେ ଦେଖିବାର ସୁଯୋଗ ଦେବ ଏହି ସାହିତ୍ୟ ଉତ୍ସବ। ଏଠାରେ ତାଙ୍କ ଅଭିନୀତ ନାଟକ ‘କସୁର’ ଦେଖିବାର ସୁଯୋଗ ମିଳିବ। ଏହା ବ୍ୟତୀତ ବିଶିଷ୍ଟ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆ ଏହି ଅବସରରେ ନିଜର ଜୀବନ ଓ ସଂଗୀତର ସ୍ମୃତି ବଖାଣିବେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ନାଟ୍ୟ ନିର୍ଦେଶକ ଅନନ୍ତ ମହାପାତ୍ର, ଭାରତୀୟ ସାମ୍ବାଦିକତାର ଜଣାଶୁଣା ଚେହେରା ବାଚି କାରକାରିଆ, ଜଣାଶୁଣା ଚଳଚ୍ଚିତ୍ର ଅଭିନେତ୍ରୀ ଓ ନିର୍ଦ୍ଦେଶିକା ନନ୍ଦିତା ଦାସ, ଷ୍ଟାଣ୍ଡଅପ୍‌ କମେଡିଆନ ବିଶ୍ବ କଲ୍ୟାଣ ରଥଙ୍କ ସମେତ ବହୁ ବିଶିଷ୍ଟ ଲେଖକ/ଲେଖିକା ଏହି ୩ ଦିନିଆ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଟାଟା ଷ୍ଟିଲ୍‌ କର୍ପୋରେଟ୍‌ ସର୍ଭିସ୍‌ର ଉପାଧ୍ୟକ୍ଷ ଚାଣକ୍ୟ ଚୌଧୁରୀ ଏହି ଉତ୍ସବ ବାବଦରେ ମତ ରଖି କହିଛନ୍ତି ଯେ ଓଡ଼ିଶା ତା’ର ସମୃଦ୍ଧ ସଂସ୍କୃତି, ସାହିତ୍ୟ ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଜରିଆରେ ଭାରତୀୟ ସୃଜନ ଜଗତକୁ ବହୁ ଅବଦାନ ଦେଇ ଆସିଛି। ଗୋଟିଏ ମଞ୍ଚରେ ଶୀର୍ଷ ସ୍ତରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏକାଠି କରି ଭୁବନେଶ୍ବରର ରସଗ୍ରାହୀ ଦର୍ଶକଙ୍କୁ ମନୋରଂଜନ ଦେବା ପାଇଁ ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ ଆୟୋଜନ ହେଉଛି। ଲୋକଙ୍କ ଉତ୍ସାହ ଆମକୁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆକର୍ଷିତ କରୁଛି। ଏଥରର କାର୍ଯ୍ୟକ୍ରମ ମଧ୍ୟ ଦର୍ଶକ ଓ ଅତିଥିମାନଙ୍କ ଦ୍ବାରା ଆଦୃତ ହେବ ବୋଲି ସେ କହିଛନ୍ତି। ଗେମ୍‌ପ୍ଲାନ୍‌ ସ୍ପୋର୍ଟସର ନିର୍ଦେଶିକା ମାଳବିକା ବାନାର୍ଜୀ କହିଛନ୍ତି ଯେ ‘ସମ୍ବାଦ’ ସହଯୋଗରେ ଅନୁଷ୍ଠିତ ହେଉଥିବା ଏହି ସାହିତ୍ୟ ଉତ୍ସବ ସାହିତ୍ୟପ୍ରେମୀଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ସହ ଭାବ ଆଦାନପ୍ରଦାନର ପରିବେଶ ସୃଷ୍ଟି କରିଆସୁଛି। ଆଗକୁ ଏହି କାର୍ଯ୍ୟକ୍ରମ ବିଶ୍ବସ୍ତରୀୟ ହେବା ସହ ବିଶ୍ବର ବିଶିଷ୍ଟ ସାହିତ୍ୟିକଙ୍କ ସମାଗମ କରିବାକୁ ଲକ୍ଷ୍ୟ ରଖିଛି। ତେଣୁ ସବୁବର୍ଷ ପରି ଓଡ଼ିଶାର ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସମେତ ସାହିତ୍ୟପ୍ରେମୀମାନେ ଏବ‌ର୍ଷ ସମର୍ଥନ ଓ ସହଯୋଗ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର