ଟାଟା ଷ୍ଟିଲର ଐତିହାସିକ ଘୋଷଣା: କରୋନାରେ ମୃତ କର୍ମଚାରୀଙ୍କ ନୋମିନଙ୍କୁ ୬୦ ବର୍ଷ ହେବା ପର୍ଯ୍ୟନ୍ତ ମିଳିବ ଦରମା

ନୂଆଦିଲ୍ଲୀ: ଦେଶରେ କାୟାବିସ୍ତାର କରିଥିବା କରୋନା ମହାମାରୀ ଭିତରେ ଅନେକ କମ୍ପାନି ସେମାନଙ୍କ କର୍ମଚାରୀମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ଏହି କ୍ରମରେ ଦେଶର ସବୁଠାରୁ ବଡ ଷ୍ଟିଲ କମ୍ପାନି ଟାଟା ତା’ର କର୍ମଚାରୀମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଛି । ଏହି ଯୋଜନା ଅଧିନରେ ଟାଟା ଷ୍ଟିଲରେ କାମ କରୁଥିବା କୌଣସି କର୍ମଚାରୀଙ୍କର ଯଦି କରୋନା ସଂକ୍ରମଣରେ ମୃତ୍ୟୁ ହୋଇଯାଏ ତେବେ କମ୍ପାନି ପକ୍ଷରୁ ମୃତ କର୍ମଚାରୀଙ୍କ ନୋମିନଙ୍କୁ ୬୦ ବର୍ଷ ହେବା ଯାଏ ଦରମା ପ୍ରଦାନ କରାଯିବ ।

କମ୍ପାନି ତା’ର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ଏକ ସର୍କୁଲାର ଜାରି କରିଛି, ଯେଉଁଥିରେ ଏହାର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି । କମ୍ପାନି ତରଫରୁ କରାଯାଇଥିବା ଟ୍ୱିଟରେ ଲେଖାଯାଇଛି କି, ଯଦି ଜଣେ କର୍ମଚାରୀଙ୍କର ମୃତ୍ୟୁ କରୋନା ସଂକ୍ରମଣ ଦ୍ୱାରା ହୁଏ ତେବେ ମୃତ କର୍ମଚାରୀଙ୍କ ନୋମିନଙ୍କୁ ୬୦ ବର୍ଷ ହେବା ଯାଏ ଦରମା ମିଳିବ ।

ଏହି ଦରମା କର୍ମଚାରୀଙ୍କ କାର୍ଯ୍ୟକାଳର ଶେଷ ମାସର ଦରମାରୁ ଆରମ୍ଭ ହେବ ।
ମୃତ କର୍ମଚାରୀଙ୍କ ନୋମିନଙ୍କୁ ୬୦ ବର୍ଷ ହେବା ଯାଏ ଏହି ରାଶି ପ୍ରାପ୍ତ ହେବ ।
ମୃତକଙ୍କ ପରିବାରକୁ ସବୁ ପ୍ରକାର ମେଡିକାଲ ସୁବିଧା ଯୋଗାଇ ଦିଆଯିବ ।
ମୃତକଙ୍କ ପରିବାର ପାଇଁ ଘର ନିର୍ମାଣରେ ସହାୟତା କରିବ କମ୍ପାନି ।
ମୃତ କର୍ମଚାରୀଙ୍କ ପିଲାମାନଙ୍କ ଗ୍ରାଜୁଏସନ ଶେଷ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ କମ୍ପାନି ବହନ କରିବ ।

ଏହା ପୂର୍ବରୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ତା’ର କର୍ମଚାରୀମାନଙ୍କ ପାଇଁ ଏଭଳି ଘୋଷଣା କରିସାରିଛି । କମ୍ପାନି ତରଫରୁ କୁହାଯାଇଛି କି, ଯଦି କୌଣସି କର୍ମଚାରୀଙ୍କର ମୃତ୍ୟୁ ହୁଏ ତେବେ କମ୍ପାନିର ପରିବାର ସହାୟତା କାର୍ଯ୍ୟକ୍ରମ ମାଧ୍ୟମରେ ମୃତ କର୍ମଚାରୀଙ୍କ ପରିବାରକୁ ୫ ବର୍ଷ ଦରମା ଓ ବାର୍ଷିକ ଆୟର ଦୁଇଗୁଣା ରାଶି ପ୍ରଦାନ କରାଯିବ । ଏହାସହ କର୍ମଚାରୀଙ୍କ ପିଲାଙ୍କ ପାଠପଢା ପାଇଁ (+୨) ପର୍ଯ୍ୟନ୍ତ ପିଲାପ୍ରତି ବାର୍ଷିକ ୨ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ ।

ସମ୍ବନ୍ଧିତ ଖବର