ନୂଆଦିଲ୍ଲୀ : ଟାଟା ମୋଟର୍ସର ସହାୟକ କମ୍ପାନି ଟାଟା ପାସେଞ୍ଜର ଇଲେକ୍ଟ୍ରିକ ମୋବିଲିଟି ଲିମିଟେଡ (ଟିପିଇଏମଏଲ) ଫୋର୍ଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଏଫଆଇପିଏଲ)ର ଗୁଜରାଟସ୍ଥିତ ସନନ୍ଦ ପ୍ଲାଣ୍ଟ କିଣିବ। ଏଥିପାଇଁ ରବିବାର ଦୁଇ କମ୍ପାନି ମଧ୍ୟରେ ରାଜିନାମା ସ୍ବାକ୍ଷର ହୋଇଛି। ଫୋର୍ଡର ଉକ୍ତ କାରଖାନାକୁ ଟାଟା ୭୨୬ କୋଟି ଟଙ୍କାରେ କିଣିବ। କାରଖାନାର ଜମି ଓ କୋଠା, ଯାନ ନିର୍ମାଣ ୟୁନିଟ, ସେଠାରେ ଥିବା ମେସିନ ଓ ଅନ୍ୟାନ୍ୟ ଉପକରଣ ଆଦିକୁ ଟାଟା ହାସଲ କରିବ। ଏଥିସହିତ ଫୋର୍ଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡରର ଯାନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ତ ଯୋଗ୍ୟ କର୍ମଚାରୀମାନେ ଟାଟା ଅଧୀନକୁ ଆସିବେ।
ତେବେ ନିୟାମକ ସଂସ୍ଥା ଗୁଡ଼ିକର ମଞ୍ଜୁରି ମିଳିବା ପରେ ଉକ୍ତ ରାଜିନାମା କାର୍ଯ୍ୟକ୍ଷମ ହେବ। ଗୁଜରାଟ ସରକାର, ଟିପିଇଏମଏଲ ଏବଂ ଏଫଆଇପିଏଲ ମଧ୍ୟରେ ଗତ ମେ ୩୦ ତାରିଖରେ ଏକ ତ୍ରିପାକ୍ଷିକ ରାଜିନାମା ସ୍ବାକ୍ଷର ହୋଇଥିଲା। ସମସ୍ତ ପ୍ରକାର ମଞ୍ଜୁରି ପାଇଁ ସହାୟତା ଯୋଗାଇବା ଲାଗି ଗୁଜରାଟ ସରକାର ଏଥିରେ ରାଜି ହୋଇଥିଲେ। ଏହି କାରଖାନାରୁ ବାର୍ଷିକ ୩ ଲକ୍ଷ ୟୁନିଟ ଗାଡ଼ି ଉତ୍ପାଦନ ହେଉଥିଲା। ହେଲେ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୪ ଲକ୍ଷ ୨୦ ହଜାରକୁ ବୃଦ୍ଧି ପାଇପାରିବ। ଆଜିର ରାଜିନାମା ଫଳରେ ପାସେଞ୍ଜର ଯାନ କ୍ଷେତ୍ରରେ ଟାଟା ମୋଟର୍ସର ସ୍ଥିତି ମଜଭୁତ ହେବ ବୋଲି ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ ଲିମିଟେଡ ଓ ଟାଟା ପାସେଞ୍ଜର ଇଲେକ୍ଟ୍ରିକ ମୋବିଲିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶୈଳେଶ ଚନ୍ଦ୍ରା କହିଛନ୍ତି।