ଚଣ୍ଡିଗଡ଼ : ପଞ୍ଜାବ ନୂଆ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ଆପ୍ ନେତା ଭଗଓ୍ବନ୍ତ ମାନ ଦଳର ନବନିର୍ବାଚିତ ବିଧାୟକମାନଙ୍କୁ କେତେକ ପରାମର୍ଶ ଦେଇଛନ୍ତି । ଅହଂକାରୀ ନହୋଇ ସମସ୍ତଙ୍କ ପ୍ରତି ସମାନ ଭାବ ରଖିବାକୁ ଓ ସମସ୍ତଙ୍କୁ ସମ୍ମାନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଯେଉଁମାନେ ଆପକୁ ଭୋଟ ଦେଇନାହାନ୍ତି ସେମାନଙ୍କ ପ୍ରତି ମଧ୍ୟ ସମାନଭାବ ରଖିବାକୁ ସେ କହିଛନ୍ତି । ଆହୁରିମଧ୍ୟ, କେବଳ ଚଣ୍ଡିଗଡ଼ରେ ନ ରହି ନିଜ ନିଜ ନିର୍ବାଚନ କ୍ଷେତ୍ରରେ ରହି ବିକାଶ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ମାନ ଆସନ୍ତା ମାର୍ଚ୍ଚ ୧୬ରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ । ତେବେ ସେ ଚଣ୍ଡିଗଡ଼ରେ ଶପଥ ଗ୍ରହଣ ନ କରି ନିଜର ପୈତୃକ ଗାଁ ଖଟକର କଲାନଠାରେ ଶପଥ ନେବେ । ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଉପସ୍ଥିତ ରହିବେ ।
୧୧୭ ଆସନ ବିଶିଷ୍ଟ ପଞ୍ଜାବ ନିର୍ବାଚନରେ ଆପ୍ ୯୨ଟି ଆସନରେ ଜିତି ଐତିହାସିକ ସଫଳତା ହାସଲ କରିଛି । ଆପକୁ ପ୍ରାୟ ୪୨ ପ୍ରତିଶତ ଭୋଟ ମିଳିଛି । ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପଂଜାବର ଧୁରି ଆସନରୁ ବିପୁଳ ଭୋଟ ବ୍ୟବଧାନରେ ଜିତିଛନ୍ତି । ସେ ନିଜର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଦଲବୀର ସିଂ ଗୋଲଡିଙ୍କୁ ୫୮ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।