ନୂଆଦିଲ୍ଲୀ : ବିଶୋଧନ ପ୍ରକ୍ରିୟାରେ ଅପଚୟ ହେଉଥିବା ମଦ ଉପରେ ଟିକସ ଲଗାଇବା କ୍ଷମତା ରାଜ୍ୟ ସରକାରଙ୍କର ନାହିଁ। ଓଡ଼ିଶା ସରକାର ବନାମ ଉତ୍କଳ ଡିଷ୍ଟିଲାରିଜ୍ ଲିମିଟେଡ୍ ମାମଲାରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏଲ୍ ନାଗେଶ୍ବର ରାଓ ଓ ବିଚାରପତି ଜଷ୍ଟିସ୍ ବିଆର୍ ଗଭାଇଙ୍କ ଖଣ୍ଡପୀଠ ଏହା କହିଛନ୍ତି। ‘ସିନ୍ଥେଟିକ୍ସ ଆଣ୍ଡ୍ କେମିକାଲ୍ସ ଲିମିଟେଡ’ ଓ ଅନ୍ୟମାନେ ବନାମ ଉତ୍ତର ପ୍ରଦେଶ ସରକାର ମାମଲାରେ ସୁପ୍ରିମକୋର୍ଟଙ୍କ ସାତ ଜଣିଆ ସାମ୍ବିଧାନିକଙ୍କ ବେଞ୍ଚଙ୍କ ରାୟ ଏବଂ ଉତ୍ତରପ୍ରଦେଶ ସରକାର ଓ ଅନ୍ୟମାନେ ବନାମ ମୋଦୀ ଡିଷ୍ଟିଲାରି ଓ ଅନ୍ୟମାନେ ମାମଲାରେ ତିନି ଜଣିଆ ବେଞ୍ଚଙ୍କ ରାୟକୁ ଏହି ଅବସରରେ ଅବତାରଣ କରାଯାଇଥିଲା। ମନୁଷ୍ୟ ବ୍ୟବହାର ଉପଯୋଗୀ ଆଲ୍କୋହଲଯୁକ୍ତ ମଦ ଉପରେ ରାଜ୍ୟ ସରକାରଙ୍କ ଟିକସ ଲଗାଇବା କ୍ଷମତା ରହିଛି ବୋଲି ରାୟ ଅବସରରେ କୁହାଯାଇଛି।
ଉତ୍କଳ ଡିଷ୍ଟିଲାରିକୁ ଓଡ଼ିଶା ସରକାର ଭାରତ ତିଆରି ବିଦେଶୀ ମଦ (ଆଇଏମ୍ଏଫ୍ଏଲ୍)ର ପ୍ରସ୍ତୁତି, ବଟଲିଂ, ବ୍ଲେଣ୍ଡିଂ ତଥା ରିଡକ୍ସନ ଅଫ୍ ଆଇଏମ୍ଏଫ୍ଏଲ୍ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାରଙ୍କ ଦ୍ବାରା ଦୁଇ ପ୍ରତିଶତ ଅପଚୟ (ୱେଷ୍ଟେଜ୍) ପାଇଁ ଅନୁମତି ଦିଆଯାଇଥିଲା। ହେଲେ ଏହି ପରିମାଣ ଠାରୁ ଅଧିକ ଅପଚୟ ହୋଇଥିଲା। ଉତ୍କଳ ଡିଷ୍ଟିଲାରିକୁ ଦୁଇ ପ୍ରତିଶତରୁ ଅଧିକ ଅପଚୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଡିମାଣ୍ଡ ନୋଟିସ୍ ପଠାଯାଇଥିଲା। ‘ୱିକ୍ ସ୍ପିରିଟ୍’ ଉପରେ ରାଜ୍ୟ ସରକାରଙ୍କ ଅବକାରୀ ଟିକସ ଆଦାୟ କରିବାର କୌଣସି କ୍ଷମତା ନାହିଁ ବୋଲି ଯୁକ୍ତି ଉପସ୍ଥାପନ ସହ ଉତ୍କଳ ଡିଷ୍ଟିଲାରି ଲିମିଟେଡ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଡିମାଣ୍ଡ ନୋଟିସ୍ ଉପରେ ହାଇକୋର୍ଟ ରହିତାଦେଶ ଲଗାଇବା ପରେ ରାଜ୍ୟ ସରକାର ଅପିଲରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ବେଞ୍ଚ ପୂର୍ବରୁ ଏଭଳି ମାମଲାର ଆଇନଗତ ଦିଗକୁ ସ୍ପଷ୍ଟ କରିସାରିଥିବାରୁ ହାଇକୋର୍ଟଙ୍କ ରାୟ ଓ ଆଦେଶ ଉପରେ ହସ୍ତକ୍ଷେପ କରିବା ପାଇଁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ରାଜ୍ୟ ସରକାରଙ୍କ ଅପିଲରେ କୌଣସି ବିଶେଷତା (ମେରିଟ) ନାହିଁ ବୋଲି ସୁପ୍ରିମକୋର୍ଟ କହିବା ସହ ରାଜ୍ୟ ସରକାରଙ୍କ ଅପିଲକୁ ଖାରଜ କରିଦେଇଛନ୍ତି।