୫ ଲକ୍ଷ ପ୍ରିମିୟମ୍ ଉପରେ ଟିକସ ଚିନ୍ତା

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ ବଜେଟ୍‌ରେ ବାର୍ଷିକ ୫ ଲକ୍ଷ ଟଙ୍କା ଟିକସ ଦିଆଯାଉଥିବା ଦାମୀ ବୀମା ପଲିସି ଉପରେ ଟିକସ ଲାଗୁ କରିବାର ପ୍ରସ୍ତାବ ବିଷୟରେ ଘୋଷଣା କରାଯାଇଛି। ସେହି ଟିକସ ପ୍ରସ୍ତାବକୁ ନେଇ ବୀମା ଶିଳ୍ପ ବେଶ ଚିନ୍ତିତ ହୋଇପଡ଼ିଛି। ବୀମା କଂପାନିଗୁଡ଼ିକର ପ୍ରତିନିଧିମାନେ ଭାରତୀୟ ଶିଳ୍ପ ସଂଘ (ସିଆଇଆଇ) ମାଧ୍ୟମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଛନ୍ତି। ଟିକସ ହିସାବ ପାଇଁ ବାର୍ଷିକ ପ୍ରିମିୟମ୍ ସୀମାକୁ ୫ ଲକ୍ଷ ଟଙ୍କାରୁ ବଢ଼ାଇ ୧୦ ଲକ୍ଷ କରିବାକୁ ସେମାନେ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବୀମା କଂପାନି ପ୍ରତିନିଧି
ପ୍ରିମିୟମ ସୀମା ୧୦ ଲକ୍ଷ କରିବାକୁ ଅନୁରୋଧ କଲେ

ବାର୍ଷିକ ୫ ଲକ୍ଷ ଟଙ୍କାର ପ୍ରିମିୟମ୍ ଦିଆଯାଉଥିବା ବୀମା ପଲିସି ଉପରେ କାହିଁକି ଟିକସ ଲଗାଯାଇଛି ତାହାର କାରଣକୁ ଅର୍ଥ ସଚିବ ଟିଭି ସୋମନାଥ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ବୀମା ଉତ୍ପାଦକୁ ଟାର୍ଗେଟ୍‌ କରି ଏହି ଟିକସ ଲାଗୁ କରାଯାଇନାହିଁ। କିଛି ଧନୀ ବ୍ୟକ୍ତି ବୀମା ବାହାନାରେ ନିବେଶ ବଢ଼ାଇ ଟିକସ ଛାଡ଼ ସୁବିଧା ପାଉଛନ୍ତି। ସେମାନେ ଆୟକର ନିୟମର ଧାରା ୧୦(୧୦ଡି)କୁ ବ୍ୟବହାର କରି ଏହି ଲାଭ ପାଉଛନ୍ତି। ତାହାର ପ୍ରମାଣ ସରକାରଙ୍କ ପାଖରେ ଅଛି। ବୀମା ଶିଳ୍ପ କିନ୍ତୁ ଅର୍ଥ ସଚିବଙ୍କ ମନ୍ତବ୍ୟକୁ ଗ୍ରହଣ କରିପାରୁନାହାନ୍ତି। ସେମାନେ କହିଛନ୍ତି ଯେ ଯେହେତୁ ବଜେଟ୍ ପ୍ରସ୍ତାବ ଆସନ୍ତା ଏପ୍ରିଲ୍ ୧ରୁ ଲାଗୁ ହେବ ତେଣୁ ସେହି ସମୟ ପର୍ଯ୍ୟନ୍ତ ଦାମୀ ଜୀବନ ବୀମା ପଲିସି ବିକ୍ରି ବଢ଼ିବ। ତା’ପରେ ‌‌ସେଭଳି ପଲିସିର ବିକ୍ରି ପ୍ରଭାବିତ ହେବ ଯାହା କଂପାନିଗୁଡ଼ିକର ଆୟକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। କିଛି ଘରୋଇ ବୀମା କଂପାନିର ମୋଟ ଆୟର ୬ରୁ ୧୦ ପ୍ରତିଶତ ବାର୍ଷିକ ୫ ଲକ୍ଷ ଟଙ୍କାରୁ ଅଧିକ ପ୍ରିମିୟମ୍ ଦିଆଯାଉଥିବା ପଲିସିରୁ ଆସୁଛି। ସେମାନଙ୍କ ବ୍ୟବସାୟ ପ୍ରଭାବିତ ହେବ।

ସମ୍ବନ୍ଧିତ ଖବର