ଟ୍ବିଟାପ୍‌ଗ୍ରାମ ବୁକ୍‌: ତେଜସ୍ବୀଙ୍କୁ ସିଂହ କହି ହଟହଟା

ଅରବିନ୍ଦ ଦାସ

ତେଜସ୍ବୀଙ୍କୁ ସିଂହ କହି ହଟହଟା

ବେଳେବେଳେ ଲାଗେ, ସୋସିଆଲ ମିଡିଆର ନିର୍ଯାସ ସହ ବାସ୍ତବ ସ୍ଥିତି ବା ଚିତ୍ରର କୌଣସି ସମ୍ପର୍କ ନାହିଁ। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀଙ୍କ ମିମ୍ସକୁ ନେଇ କରାହୋଇଥିବା ପୋଷ୍ଟଟିର ଜବାବରେ ଟ୍ବିଟର୍ ଅନୁଗାମୀମାନେ ଯୋଉ ଭାଷାରେ ତାଙ୍କୁ ଗାଳିଗୁଲଜ୍ କରୁଛନ୍ତି, ତାକୁ ପଢ଼ିଲେ ଲାଲୁ ପରିବାରର ମାଲିକାନାରେ ଥିବା ଆର୍‌ଜେଡି ଏତେ ଭୋଟ୍‌ କେମିତି ପାଉଛି ବୋଲି ଯେ କେହି ଆଶ୍ଚର୍ଯ୍ୟ ହେବ। ସମୁଦାୟ ଉପାଖ୍ୟାନରେ ଭାଗ ନେଇ ମତମନ୍ତବ୍ୟ ରଖିଥିବା ଲୋକଙ୍କ ଭିତରେ ତୀବ୍ର ସମାଲୋଚକମାନେ ହେଲେ ନବେ ପ୍ରତିଶତ। ସେଥିରୁ ପ୍ରାୟ ସତୁରୀ ଭାଗ ଏହି ମର୍ମରେ ନିଜନିଜ ମତମନ୍ତବ୍ୟର ପ୍ରଥମ ବାକ୍ୟରେ ପ୍ରଶ୍ନ କରିଛନ୍ତି:- ‘‘ସିଂହ କ’ଣ ଚାରା ଖାଏ କି? ଚାରା ତ ଘୁଷୁରି ବି ଖାଏନି! ନିଜକୁ ସିଂହ କହୁଛ; ସେଇଥିପାଇଁ ତ ବିହାରକୁ ଏକ ହିଂସ୍ର ରାଜ୍ୟ କରିଦେଇଛ! ଲାଲୁ ଖାଲି ନକଲି ସିଂହ ନୁହନ୍ତି, ନକଲି ସମାଜବାଦୀ ବି। ବାପା ଚାରାଖାଉକୁ ପୁଅ ପ୍ଲଟ୍‌ଖାଉ। ଏହି ସର୍ବଗିଳା ଦୁର୍ନୀତିଗ୍ରସ୍ତ ପରିବାରଠାରୁ ୬୦୦ କୋଟି ଜବତ ହେବାରେ କେହି ଆଶ୍ଚର୍ଯ୍ୟ ହେବା ଉଚିତ ନୁହେଁ। ଏହା ଏକ ଐଶ୍ବରୀୟ କାର୍ଯ୍ୟ।’’ ଉପରୋକ୍ତ ମତମନ୍ତବ୍ୟ ସହ ‘ମାତ୍ର ନବମ ପାଠ ପଢ଼ିଲେ ହେଲେ ବିଶ୍ବବିଦ୍ୟାଳୟରୁ ସମ୍ମାନଜନକ ଡି.ଲିଟ୍ ଡିଗ୍ରି ହାତେଇବା ଭଳି ଘୋଟାଲା ବି କଲେ’ ଲେଖାଥିବା ଏକ ମିମ୍ସ ମଧ୍ୟ ଦୃଷ୍ଟି ଆକର୍ଷଣ କରୁଛି। ୧୫୦ କୋଟି ଟଙ୍କାର ବଙ୍ଗଳାକୁ ୪ ଲକ୍ଷରେ କିଣିଥିବା ଦେଖେଇଛ?

ଦେଶରେ କ’ଣ ଶସ୍ତା ଯୁଗ ଆସିଗଲା? ଏବେ କ’ଣ ଖାଉଛନ୍ତି ଜାଣେନା, ତେବେ ଆଗକୁ ଜେଲ୍‌ର ପବନ ଖାଇବାଟା ଥୟ। କେମିତି ସେଥିରୁ ବଞ୍ଚିବ ଆଗ ସେଇଟା ଦେଖ, ପରେ ନିଜକୁ ସିଂହ ଭାବିବ। ଅବଶ୍ୟ ଜେଲ୍‌ ଗଲେ ନିଜକୁ ବିରାଡ଼ି ବୋଲି ମାନିଯିବ ଯେ। ତେଜସ୍ବୀଙ୍କ ଏଇ ମିମ୍ସରେ କେବଳ ଗୋଟିଏ ଶବ୍ଦ ପରିବର୍ତ୍ତନ କଲେ ଯଥେଷ୍ଟ ହେବ:- ‘ଶେର୍’ ବଦଳରେ ‘ଚୋର୍’ ଲଗେଇଦିଅ। ଆମେ ତ ଭାବୁଥିଲୁ ଇଏ ଲାଲୁ ଯାଦବଙ୍କ ପୁଅ, ସିଂହର ଛୁଆ କେବେଠୁ ହେଲେ? (ଏହି ସନ୍ଦର୍ଭରେ ଆଉ ଯାହାସବୁ ଲେଖାହୋଇଛି ତାହା ପ୍ରକାଶଯୋଗ୍ୟ ନୁହେଁ। ସେପରି ଅତ୍ୟନ୍ତ ଅରୁଚିକର ମତମନ୍ତବ୍ୟଗୁଡ଼ିକୁ ବାଦ୍‌ଦେବା ପାଇଁ ଏକ ବ୍ୟବସ୍ଥା ରହିବା ବିଧେୟ) କାଳେ ଯଦି ସର୍କସର ସିଂହ ହେଇଥିବେ! ଆମେ ଜାଣିନୁ। ଏକଦା ସାହସର ସହ କହୁଥିଲେ, ସିବିଆଇ-ଇଡିର ହିମ୍ମତ ଥିଲେ ଆମ ଘରେ ଆସିକି ଅଫିସ ଖୋଲ। ଏବେ ଦୁଇ କେନ୍ଦ୍ରୀୟ ସଂସ୍ଥାକୁ ରାଜ୍ୟରେ ପୂରାଇ ନ ଦେବା ପାଇଁ ବିଧାନସଭାରେ ବିଧେୟକ ଆଣିବା କଥା ଚିନ୍ତା କଲେଣି। କୁଆଡ଼େ ଗଲା ସେ ସାହସ?

ସାମାଜିକ ଗଣମାଧ୍ୟମରେ ଅନେକ ଭଲ କଥା

ସାମାଜିକ ଗଣମାଧ୍ୟମରେ ବହୁତ ଭଲ କଥା ବି ଅଛି। ଅନେକ ଏପରି ତଥ୍ୟଭିତ୍ତିକ ପୋଷ୍ଟମାନ କରନ୍ତି ଯାହା ଜ୍ଞାନବୃଦ୍ଧି‌ରେ ସହାୟକ ହୁଏ। ସେଭଳି ପୋଷ୍ଟରେ କାଁଭାଁ ଜଣେ ଦି’ଜଣଙ୍କୁ ଛାଡ଼ିଦେଲେ ପ୍ରାୟ ସମସ୍ତେ ପ୍ରଶଂସାସୂଚକ ମତମନ୍ତବ୍ୟ ଦିଅନ୍ତି। ଫେସ୍‌ବୁକ୍‌ରେ ସାମ୍ବାଦିକ ବିଦ୍ୟାଧର ପଣ୍ଡା ‘ଓଡ଼ିଆ ପ୍ରେମରେ ଇଂରେଜ’ ଶୀର୍ଷକ ପୋଷ୍ଟରେ ଇଂରେଜମାନେ ଓଡ଼ିଶା ଦଖଲ କରିବାର ମାତ୍ର ୨୮ ବର୍ଷ ମଧ୍ୟରେ ଆମୋସ୍ ସଟନ୍ ନାମକ ଜଣେ ଇଂରେଜ ବ୍ୟକ୍ତି ୧୮୩୧ ମସିହାରେ ପ୍ରାଥମିକ ଓଡ଼ିଆ ବ୍ୟାକରଣ ବହି ଛାପିଥିଲେ। ଏହାପରେ ଓଡ଼ିଶାରେ ମାତ୍ର ୧୦ ବର୍ଷ ରହିବା ଭିତରେ ନିଜେ ଓଡ଼ିଆ ହୋଇଯାଇଥିବା ଇ.ସି.ବି ହାଲାମ୍ ନାମକ ଜଣେ ପାଦ୍ରୀ ୧୮୭୨ରେ ବୃହତ୍ ଓଡ଼ିଆ ବ୍ୟାକରଣ ବହି ଲେଖିଥିଲେ। ସେଇ ଦୁଇ କୀର୍ତ୍ତି ଉପହାର ଦେଇ ଉପରୋକ୍ତ ଦୁଇ ଇଂରେଜ ବ୍ୟକ୍ତି ଯେ ଏ ଜାତିର ଅଶେଷ ହିତ ସାଧନ କରିଛନ୍ତି ତାହା ପ୍ରାୟ ସମସ୍ତେ ନିଜନିଜ ମତମନ୍ତବ୍ୟରେ ସ୍ବୀକାର କରିଛନ୍ତି। ଅତ୍ୟାଚାର ଓ ଶୋଷଣ ଇଂରେଜ ଶାସନର ପ୍ରମୁଖ ରୂପ ହୋଇଥିବା ବେଳେ ଏହିପରି କିଛି ଭଲ କାମ ମଧ୍ୟ ଇଂରେଜ ଶାସନରେ ହୋଇଥିବା ଉକ୍ତ ପୋଷ୍ଟରେ ଆଲୋଚିତ ହୋଇଛି।

ଭାଷାରେ ସଂଯମତା ରହୁ

ସେଲିବ୍ରିଟିମା‌ନଙ୍କୁ ଲୋକେ ଈର୍ଷା କରନ୍ତି ସିନା, ହେଲେ ସେମାନଙ୍କ ପ୍ରତିଟି କଥା, ଆଚରଣ-ଉଚ୍ଚାରଣକୁ ଅଣୁବୀକ୍ଷଣ ଯନ୍ତ୍ରର ସ୍ଲାଇଡ୍ ଉପରେ ରଖି ପ୍ରତି ମୁହୂର୍ତ୍ତରେ ପରୀକ୍ଷା କରୁଥା’ନ୍ତି। ଏଥର କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ପାଳି। ଫେସ୍‌ବୁକ୍‌ରେ ଅବିନାଶ ଷଡ଼ଙ୍ଗୀ ଲେଖିଛନ୍ତି, ଯାଜପୁର ପାଣିକୋଇଲି ଦୋଳ ମେଳଣ ମହୋତ୍ସବରେ ଶ୍ରୋତାଙ୍କଠୁ ଅଧିକ ତାଳି ପାଇବା ଆଶାରେ ଅସୀମା ସେମାନଙ୍କୁ କହିଲେ, ଘୋ-ଘା ନହେଲେ ଭଜନ ବା ପୁରୁଣା ଓଡ଼ିଆ ଗୀତ ଗାଇଦେବି। ଚିରସବୁଜ ଓଡ଼ିଆ ଭଜନ ବା ପୁରୁଣା ଗୀତକୁ ଅସୀମା ନ୍ୟୁନ ମନେକରିବା କଥାକୁ ନିଜ ପୋଷ୍ଟରେ ଅବିନାଶ ତୀବ୍ର ସମାଲୋଚନା କରିଛନ୍ତି। ଏତେ ଗର୍ବ କାହିଁକି? ଏବେ ଗାଉଥିବା ଧୁମ୍‌ଧଡ଼୍‌କା ଅତି ବେଶିରେ ବର୍ଷେ-ଦୁଇବର୍ଷ। ଭଜନ ଓ ପୁରୁଣା ଗୀତସବୁ କାଳଜୟୀ। ନିଜେ ଭଜନରୁ କ୍ୟାରିୟର ଆରମ୍ଭ କରି ଭଜନ ପ୍ରତି ଅସୀମାଙ୍କର ଏପରି ଆଭିମୁଖ୍ୟ କାହିଁକି? ଏହି ପୋଷ୍ଟଟିର ଉତ୍ତରରେ ସଂଗୀତପ୍ରେମୀମାନେ ଅସୀମାଙ୍କୁ ଘେରିଛନ୍ତି। କାଳଜୟୀ ପୁରୁଣା ଗୀତ ବୋଲିଥିବା କଣ୍ଠଶିଳ୍ପୀ ଏବକାର ଶସ୍ତା ଗୀତ ବୋଲିପାରିବେ, ଅଥଚ ଏବକାର ଶସ୍ତା କଣ୍ଠଶିଳ୍ପୀମାନେ ପୁରୁଣା କାଳଜୟୀ ଗୀତ ସେଭଳି ବୋଲିପାରିବେ ତ? ଅସୀମାଙ୍କ ଏ ରଂଗ ରହିଲେ ହେଲା। ଜଳିବେ ଯେତେ ଜୋର୍‌ରେ, ଲିଭିବେ ମଧ୍ୟ ସେହିଭଳି।

ସେ‌ ଯୋଉଠିକି ଗଲେ ଲୋକଙ୍କ ଉତ୍ସାହ ବଢ଼ାଇବା ପାଇଁ ସେଇ ଏକା କଥା କହନ୍ତି। ତେଣୁ କଥାଟିକୁ ଏତେ ଗୁରୁତ୍ବ କାହିଁକି ଦେବା? ପୋଷ୍ଟଟିରେ ଆହୁରି ମଧ୍ୟ କୁହାଯାଇଛି, ଦୋଳ ମେଳଣ ଏକ ଧର୍ମୀୟ ଉତ୍ସବ। ସେଥିରେ ଭଜନଟା କ’ଣ ପାପ? କ୍ଷୀର ଉତୁରିଲେ ଚୁଲିକୁ, ମଣିଷ ଉତୁରିଲେ ଗାତକୁ। ଅତି ଦର୍ପେ ଲଙ୍କା ହତ। ସବୁ ଦୋଷ ଆମ ଲୋକଙ୍କର। ଗୋଟିଏ କାର୍ଯ୍ୟକ୍ରମ ପାଇଁ ଏମାନଙ୍କୁ ୫୦-୬୦ ହଜାର ଫିଙ୍ଗିଦେଉଛନ୍ତି ଏମାନଙ୍କର ଏତେ ବହପ! ଦୋଷ ଏମାନଙ୍କର ନୁହେଁ। ମଞ୍ଚ ଉପରକୁ ଯାଇ ତଳେ ଥିବା ଜନସମୁଦ୍ରକୁ ଦେଖିଲେ ଏମାନେ ଏପରି ବ୍ୟବହାର କରିବା ପଛର କାରଣ ବୁଝିହେବ। ଯିଏ ପ୍ରକୃତ କଳାକାର ସେ କେବେ ପ୍ରଶଂସା ମାଗେନି। ଯଦି ନମିତା, ଈରା, ଶୈଳଭାମା, ତପୁ, ଗୀତା ଦାସଙ୍କ ଗୀତକୁ ନେଇ କେବେ ବିବାଦ ହେଉନଥିଲା, ୟାଙ୍କ ବେଳେ ଏତେ ବିବାଦ କାହିଁକି ସେ ନିଜକୁ ପ୍ରଶ୍ନ କରିବା ଦରକାର। (ଏପରି ପୋଷ୍ଟ ଓ ଗାଳିଗୁଲଜକୁ ଦେଖିଲେ ସଚେତନ ବର୍ଗର ବହୁଲୋକଙ୍କ ମନକୁ ସେଇ ଗୋଟିଏ କଥା ଆସୁଥିବ:- ଜଣେ କଳାକାରଙ୍କ ନିଜ ଉଚ୍ଚାରଣ-ଆଚରଣକୁ ନେଇ କେହି ସମଗ୍ର ସମାଜକୁ ଏପରି ଲେଖିବା ଭଳି ବିଷୟଗୁଡ଼ିକୁ ବାଦ୍ ଦେବାପାଇଁ ବ୍ୟବସ୍ଥା ରହୁ। ତା’ଛଡ଼ା, ଆମ ସମୟର ଜଣେ ଜନପ୍ରିୟ କଣ୍ଠଶିଳ୍ପୀଙ୍କ ଉଦ୍ଦେଶ୍ୟରେ ଏହି ପୋଷ୍ଟଟିରେ ଯେପରି ଶବ୍ଦମାନ ପ୍ରୟୋଗ ହୋଇଛି ତା’ର ଔଚିତ୍ୟକୁ ନେଇ ମଧ୍ୟ ସଚେତନ ବର୍ଗଙ୍କ ପକ୍ଷରୁ ପ୍ରତିକ୍ରିୟା ଆଶା କରାଯାଏ) ଅନ୍ୟ ପକ୍ଷରେ, ଏତେ ଗାଳି ଭିତରେ ଜଣେଦୁଇଜଣ ତାଙ୍କ ପ୍ରତି ସହାନୁଭୂତି ଜଣାଇ ଲେଖିଛନ୍ତି, ଦର୍ଶକଙ୍କ ମନୋରଂଜନ ପାଇଁ ମଜାଳିଆ ଢଙ୍ଗରେ ଏମିତି କିଛି କୁହାଯାଏ। ମଝିମଝିରେ ପୁରୁଣା ହିଟ୍‌ ଗୀତରୁ ଗୋଟିଏଦୁଇଟି ମୁଖଡ଼ା ଗାଇଦିଅନ୍ତି ଓ ‘ଓଲ୍‌ଡ ଇଜ୍‌ ଗୋଲ୍‌ଡ’ ବୋଲି ମଧ୍ୟ ଜୋର୍‌ ଦେଇ କହନ୍ତି। ତେଣୁ ଏସବୁକୁ ଏତେ ଗୁରୁତ୍ବ ଦିଅନି।

ସମ୍ବନ୍ଧିତ ଖବର