ହାଇଦ୍ରାବାଦ: ଗତ ବଜେଟ୍‌କୁ ନେଇ ବିଜେପି ନେତୃତ୍ୱାଧୀନ ଶାସକ ଏନ୍‌ଡିଏର ସହଯୋଗୀ ଦଳ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି) ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ତାଙ୍କ ଦଳ ବିଜେପି ସହ ସମ୍ପର୍କ ଛିନ୍ନ କରିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ମାତ୍ର ସାମ୍ପ୍ରତିକ ସ୍ଥିତିରେ ଟିଡିପି ମେଣ୍ଟରୁ ଓହରିଯିବ ନାହିଁ ବୋଲି ଆଜି ଜଣାପଡ଼ିଛି। ଅପରପକ୍ଷେ, ତାଙ୍କ ଦଳର ସାଂସଦମାନେ ଆନ୍ଧ୍ରପ୍ରଦେଶ ଲାଗି କେନ୍ଦ୍ରଠାରୁ ଅଧିକ ଅନୁଦାନ ହାସଲ ପାଇଁ ସରକାରଙ୍କ ଉପରେ ବାରମ୍ବାର ଚାପ ପକାଇବାକୁ ଚନ୍ଦ୍ରବାବୁ ନିର୍ଦ୍ଦେଶ କରିଥିବା ଜଣାଯାଇଛି।

Advertisment

ଉଲ୍ଲେଖ ଥାଉ କି, ଚଳିତ ବଜେଟ୍‌ରେ ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀ ନିର୍ମାଣ ସମେତ ବିଭିନ୍ନ ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଆଶା ରଖିଥିବା ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ବଜେଟ୍‌ ଘୋଷଣା ପରେ ନିରାଶ ହେବାକୁ ପଡ଼ିଛି। ତେଣୁ ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାରକୁ ତାଙ୍କ ଦଳ ଦେଇଥିବା ସମର୍ଥନର ପୁନର୍ବିଚାର କରିବା ଲାଗି ସେ ଟିଡିପି ସଂସଦୀୟ ବୋର୍ଡର ଏକ ଜରୁରୀକାଳୀନ ବୈଠକ ଡାକିଥିଲେ। ରାଜଧାନୀ ଅମରାବତୀ ଠାରେ ଅନୁଷ୍ଠିତ ଏହି ବୈଠକରେ ଟିଡିପି ସାଂସଦ ତଥା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁଙ୍କ ବ୍ୟତୀତ ଅନ୍ୟ ସମସ୍ତ ସାଂସଦ ଏବଂ ବରିଷ୍ଠ ନେତାମାନେ ବିଭିନ୍ନ ବିକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ବର୍ତ୍ତମାନ ପରିସ୍ଥିତିରେ ଦଳ ଏନ୍‌ଡିଏ ସହ ସମ୍ପର୍କ ଛିନ୍ନ କରିବା ସପକ୍ଷରେ ନାହିଁ ବୋଲି ବୈଠକ ପରେ ଟିଡିପି ନେତା ତଥା ଆନ୍ଧ୍ରପ୍ରଦେଶର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଓ୍ଵାଇ ଏସ୍‌ ଚୌଧୁରି କହିଛନ୍ତି। ଅପରପକ୍ଷେ, ଆନ୍ଧ୍ର ପାଇଁ ଅଧିକ ଅନୁଦାନ ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ଚୌଧୁରି କହିଛନ୍ତି। ଏପରିକି ଆବଶ୍ୟକ ପଡ଼ିଲେ ଦଳର ସାଂସଦମାନେ ଏହି ପ୍ରସଙ୍ଗରେ ସଂସଦରେ ଶାଣିତ ସ୍ୱର ଉଠାଇବାକୁ ଚନ୍ଦ୍ରବାବୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।