ଏନ୍‌ଡିଏରୁ ଓହରିବ ଟିଡିପି

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଆଜି

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ଦାବିକୁ ଆଜି କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଦେବା ପରେ ଟିଡିିପି(ତେଲୁଗୁ ଦେଶମ୍‌ ପାର୍ଟି) ଏନ୍‌ଡିଏ ସରକାରରୁ ଓହରି ଆସିବାକୁ ନିଷ୍ପତ୍ତି ନେଇଛି। ଆଜି ରାତିରେ ଦଳ ସୁପ୍ରିମୋ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏ ବାବଦ ଘୋଷଣା କରିବା ସହ ଆସନ୍ତାକାଲି କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଟିଡିପିର ୨ ଜଣ ମନ୍ତ୍ରୀ ଇସ୍ତଫା ଦେବେ ବୋଲି କହିଛନ୍ତି। ଟିଡିପି ନେତା ଗଜପତି ରାଜୁ ଓ ଓ୍ଵାଇ ଏସ୍‌ ଚୌଧୁରୀ ଆସନ୍ତାକାଲି ଇସ୍ତଫା ଦେବେ। ପରିସ୍ଥିତିରେ କୌଣସି ପରିବର୍ତ୍ତନ ନହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏବେ ଲୋକସଭାରେ ତେଲୁଗୁ ଦେଶମ ପାର୍ଟିର ୧୬ ଜଣ ସାଂସଦ ଥିବା ବେଳେ ରାଜ୍ୟସଭାରେ ୬ ଜଣ ସାଂସଦ ଅଛନ୍ତି। ଟିଡିପି ଏନ୍‌ଡିଏରୁ ଓହରିଲେ କେନ୍ଦ୍ର ସରକାରଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି ହେବନାହିଁ। ଆଜି ଟିଡିପିର ଦୁଇ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଯୋଗଦେଇଥିଲେ ଏବଂ ବିବାଦର ସହଜ ସମାଧାନ ହେବ ବୋଲି ଆଶା କରାଯାଉଥିଲା। ତେବେ ସନ୍ଧ୍ୟାରେ ଟିଡିପିର ଜରୁରୀ ବୈଠକ ପରେ ଦଳ ଏନ୍‌ଡିଏରୁ ଓହରିବାକୁ ନିଷ୍ପତ୍ତି ହୋଇଥିଲା।

୨୦୧୪ ମସିହା ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଆଇନ୍‌ ମୁତାବକ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ଦାବିକୁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ପ୍ରତ୍ୟାଖ୍ୟାନ କରିବା ପରେ ଦଳର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ଟିଡିପି ବିଧାୟକ ଓ ସାଂସଦ ଏନ୍‌ଡିଏର ହାତ ଛାଡ଼ିବାକୁ ସର୍ବସମ୍ମତ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ନାଇଡ଼ୁ କହିଛନ୍ତି। ଦଳର ଏହି ନିଷ୍ପତ୍ତି ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଇବା ପାଇଁ ନାଇଡ଼ୁ ଫୋନ୍‌ରେ ଯୋଗାଯୋଗ କରିବାକୁ ପ୍ରୟାସ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ଫୋନ୍‌ରେ ଉପଲବ୍ଧ ନହେବାରୁ ଏହି ନିଷ୍ପତ୍ତି ସଂପର୍କରେ ଟିଡିପି ନେତାମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଇଥିଲେ। ସ୍ୱତନ୍ତ୍ର ପାହ୍ୟା ଦାବିନେଇ ଟିଡିପି ସାଂସଦମାନେ ସଂସଦରେ ଜୋର୍‌ଦାର ହଙ୍ଗାମା ଜାରି ରଖିଛନ୍ତି ଏବଂ କଂଗ୍ରେସ ସହିତ ଏକସ୍ୱରରେ ସରକାରକୁ ବିରୋଧ କରି ଆସୁଛନ୍ତି। ଏଭଳି ସ୍ଥିତିରେ ବିଜେପି ମଧ୍ୟ ଟିଡିପି ସହିତ ଆଉ ସାଲିସ୍‌ ମୁଡ୍‌ରେ ନଥିବା ଜଣାପଡ଼ୁଛି।

ଏନ୍‌ଡିଏର ସହଯୋଗୀ ଶିବସେନା ସରକାରକୁ ବିଭିନ୍ନ ପ୍ରସଙ୍ଗରେ କଟୁ ସମାଲୋଚନା କରି ଅଡ଼ୁଆରେ ପକାଉଥିବା ବେଳେ ଏବେ ସେହି ଧାରାରେ ଟିଡିପି ସାମିଲ ହୋଇଛି। ତେବେ ଏନ୍‌ଡିଏରୁ ସଂପୂର୍ଣ୍ଣ ଓହରି ଆସିବାକୁ ଦଳର ନିଷ୍ପତ୍ତି ସଂପର୍କରେ ଘୋଷଣା କରି ନାଇଡ଼ୁ ୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ଉପରେ ଚାପ ସୃଷ୍ଟି କରିଛନ୍ତି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ସହଯୋଗୀଙ୍କ ଅସନ୍ତୋଷ ବଢ଼ୁଥିବା ସତ୍ତ୍ୱେ ବିଜେପି କୌଣସି ଚାପକୁ ଭୃକ୍ଷେପ ନକରି ନିଜ ରାଜନୈତିକ ପତିଆରା ସାବ୍ୟସ୍ତ କରିବାକୁ ଚାହୁଛି। ଆନ୍ଧ୍ର ପ୍ରଦେଶ ବିଜେପି ନେତାମାନେ କହିଛନ୍ତି ଯେ ସେମାନେ ନାଇଡ଼ୁଙ୍କୁ ଶିକ୍ଷା ଦେବାକୁ ତୟାର ଅଛନ୍ତି ଏବଂ ଟିଡିପି ମେଣ୍ଟରୁ ଓହରିଯିବା ହିଁ ଦଳ ପାଇଁ ଶୁଭଙ୍କର ହେବ।

ଅର୍ଥମନ୍ତ୍ରୀ ଜେଟ୍‌ଲି ଟିଡିପିର ଦାବି ସଂପର୍କରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଯେ ସ୍ୱତନ୍ତ୍ର ପାହ୍ୟା ମାନ୍ୟତାରେ ଯେଭଳି ଆର୍ଥିକ ସହାୟତା ଆନ୍ଧ୍ର ପ୍ରଦେଶକୁ ମିଳିଥାନ୍ତା ସେହି ପରିମାଣର ଆର୍ଥିକ ସହାୟତା ଦେବାକୁ କେନ୍ଦ୍ର ପ୍ରସ୍ତୁତ ରହିଛି। ଆନ୍ଧ୍ରର ଆର୍ଥିକ ସଙ୍କଟକୁ ସୁଧାରିବା ପାଇଁ ଯେଉଁ ରଣନୀତି ସରକାର ପ୍ରସ୍ତୁତ କରିଛନ୍ତି ସେ ସଂପର୍କରେ ଟିଡିପି ଭଲଭାବେ ଅବଗତ ଅଛି ବୋଲି ସେ କହିଛନ୍ତି। ତେବେ ଜେଟଲିଙ୍କ ବୟାନକୁ ଖଣ୍ଡନ କରି ନାଇଡ଼ୁ କହିଛନ୍ତି ଯେ ରାଜ୍ୟ ବିଭାଜନ ପରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟର ମୁକାବିଲା ପାଇଁ କେନ୍ଦ୍ର ଯେଉଁ ପରିମାଣର ସହାୟତା ଦେବାକୁ ଚାହୁଛି ତାହା ପର୍ଯ୍ୟାପ୍ତ ନୁହେଁ ଏବଂ ରାଜ୍ୟବାସୀ ସେମାନଙ୍କ ଅଧିକାର ହାସଲ କରିବା ଦିଗରେ ପଛକୁ ହଟିବେ ନାହିଁ।

ସମ୍ବନ୍ଧିତ ଖବର