ଏନ୍‌ଡିଏ ଛାଡ଼ିବ ଟିଡିପି

ଚନ୍ଦ୍ରବାବୁ ନାଇଡ଼ୁଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ: ଏନ୍‌ଡିଏ ସରକାରରୁ ଓହରି ଆସିବା ପାଇଁ ତେଲୁଗୁ ଦେଶମ ପାର୍ଟି ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆନ୍ଧ୍ର ପ୍ରଦେଶକୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଲଗାତାର ଉପେକ୍ଷା କରି ଆସୁଥିବା ଏବଂ ଚଳିତ ବଜେଟ୍‌ରେ ଆଶାନୁରୂପ ଆର୍ଥିକ ସହାୟତା ଘୋଷଣା କରାଯାଇନଥିବାରୁ ଏଥିରେ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏନ୍‌୍‌ଡିଏ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଦକ୍ଷିଣରେ ବିଜେପିର ସବୁଠାରୁ ବଡ଼ ସହଯୋଗୀ ଟିଡିପିର ଏହି ନିଷ୍ପତ୍ତି ଦଳ ପାଇଁ ଆଗକୁ ବଡ଼ ସଙ୍କଟ ସୃଷ୍ଟି କରିବ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି । ଏନ୍‌ଡିଏରେ ରହିବା ତେଲୁଗୁ ଦେଶମ ପାର୍ଟି (ଟିଡିପି) ପାଇଁ ଆଉ ସମ୍ଭବପର ନୁହେଁ ବୋଲି ନାଇଡ଼ୁ ସଙ୍କେତ ଦେଇଛନ୍ତି। ରାଜ୍ୟରେ ବିଜେପିର ମୁକାବିଲା ପାଇଁ ଦଳକୁ ଏକଜୁଟ୍‌ ରଖିବା ଏବଂ ଏ ସଂକ୍ରାନ୍ତ ରଣନୀତି ତୟାର କରିବା ନିମନ୍ତେ ଆଜି ନାଇଡ଼ୁ ଦଳର ଏକ ଜରୁରୀ ବୈଠକ ଡକାଇ ଆଲୋଚନା କରିଛନ୍ତି। ରବିବାର ଦିନ ଟିଡିପିର ସଂସଦୀୟ ବୋର୍ଡ ବୈଠକରେ ଏ ସଂକ୍ରାନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଟିଡିପି ସାଂସଦ ଟି.ଜି. ଭେଙ୍କଟେଶ କହିଛନ୍ତି ଯେ ବିଜେପି ବିରୋଧରେ ରାଜ୍ୟରେ ଆର୍‌ପାର ଲଢ଼େଇ ପାଇଁ ଦଳ ତୟାର ରହିଛି। ୨୦୧୯ ସାଧାରଣ ନିର୍ବାଚନ ଦଳ ଏକାକୀ ଲଢ଼ିବ ଏବଂ ଏଥିପାଇଁ ଦଳରେ ସହମତି ପ୍ରକାଶ ପାଇଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନାଇଡ଼ୁଙ୍କୁ ସାକ୍ଷାତ ପାଇଁ ମଧ୍ୟ ସମୟ ଦେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟାଳଟୁଳ ନୀତି ଧରିବା ଆମକୁ ଗଭୀର ଆଘାତ ଦେଇଥିଲା ବୋଲି ସେ କହିଛନ୍ତି। ଏହା ସହିତ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ମଧ୍ୟ ବଜେଟ୍‌ରେ ରାଜ୍ୟ ସଂକ୍ରାନ୍ତ କେତେକ ଜରୁରୀ ପ୍ରସ୍ତାବକୁ ସାମିଲ କରିବା ପାଇଁ କରାଯାଇଥିବା ଅନୁରୋଧକୁ ମଧ୍ୟ ଗ୍ରହଣ କରାଯାଇନାହିଁ ବୋଲି ସେ କହିଛନ୍ତି।

ଆଜି ଚନ୍ଦ୍ରବାବୁ ନାଇଡ଼ୁ ଦଳୀୟ ସାଂସଦଙ୍କୁ କହିଛନ୍ତି ଯେ ବଜେଟ୍‌ରେ ଆନ୍ଧ୍ର ପ୍ରଦେଶ ପାଇଁ ପାଣ୍ଠି ଆବଣ୍ଟନ ନେଇ ସେ ଗଭୀର ଅସନ୍ତୁଷ୍ଟ ଏବଂ ଏ ବାବଦରେ ବିଜେପି ତାର ନୀତି ସ୍ପଷ୍ଟ କରିବା ଆବଶ୍ୟକ । ରାଜ୍ୟବାସୀଙ୍କୁ ସେ ଏନ୍‌୍‌ଡିଏ ସରକାରଙ୍କ ଉପେକ୍ଷା ସଂପର୍କରେ ଅବଗତ କରାଇବେ ବୋଲି ନାଇଡ଼ୁ କହିଛନ୍ତି। ଚଳିତ ରେଳ ବଜେଟ୍‌ରେ ମଧ୍ୟ ଆନ୍ଧ୍ର ପ୍ରଦେଶର ଦାବି ପ୍ରତି ସରକାର କର୍ଣ୍ଣପାତ କରିନାହାନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ମହାରାଷ୍ଟ୍ର ଓ କର୍ଣ୍ଣାଟକ ପାଇଁ ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ବିଜେପି ସହିତ ମେଣ୍ଟ ଜାରି ରଖିବା ନେଇ ଆମେ ପୁନର୍ବିଚାର କରିବୁ ବୋଲି ଆନ୍ଧ୍ର ପ୍ରଦେଶ କୃଷି ମନ୍ତ୍ରୀ ଏସ୍‌ ଚନ୍ଦ୍ର ମୋହନ ରେଡ୍ଡି କହିଛନ୍ତି। ଆନ୍ଧ୍ର ପ୍ରଦେଶର ସହରାଞ୍ଚଳ ବିକାଶ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ସହଯୋଗ କରୁନାହାନ୍ତି ବୋଲି ଟିଡିପି ପ୍ରବକ୍ତା ପ୍ରଭାକର ରାଓ କହିଛନ୍ତି। ଏନ୍‌୍‌ଡିଏ ଛାଡ଼ିବା ପାଇଁ ଶିବସେନା ପୂର୍ବରୁ ଘୋଷଣା କରିଥିବା ବେଳେ ଏବେ ଟିଡିପିର ଏଭଳି ଆଭିମୁଖ୍ୟ ପରେ ବିଜେପିର ରଣନୀତି କ’ଣ ହେବ ତାହାକୁ ଅପେକ୍ଷା କରାଯାଇଛି। ବିଜେପି ଅଧ୍ୟକ୍ଷ ଅମିତ ଶାହ ଏ ବାବଦରେ ନାଇଡ଼ୁଙ୍କୁ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ତେବେ ଆନ୍ଧ୍ର ବିଜେପିର ଏକ ବଡ଼ ଗୋଷ୍ଠୀ ମଧ୍ୟ ଟିଡିପି ସହ ସଂପର୍କ ଛିନ୍ନ କରିବା ସପକ୍ଷରେ ଅଛନ୍ତି। ନାଇଡ଼ୁ ଏକଚାଟିଆ ନିଷ୍ପତ୍ତି ନେଇ ମେଣ୍ଟ ଧର୍ମ ପାଳନ କରୁନାହାନ୍ତି ବୋଲି ବରିଷ୍ଠ ବିଜେପି ନେତାମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର