ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜାତୀୟ ରାଜନୀତି ସରଗରମ ହୋଇଉଠିଛି। ଏନଡିଏ ପକ୍ଷରୁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ପୂର୍ବତନ ସୁପ୍ରିମକୋର୍ଟ ଜଜ୍ ବି. ସୁଦର୍ଶନ ରେଡ୍ଡିଙ୍କୁ ପ୍ରାର୍ଥୀ କରାଯାଇଛି । ରାଧାକୃଷ୍ଣନ୍ ତାମିଲନାଡୁର ଲୋକ ହୋଇଥିବାବେଳେ ସୁଦର୍ଶନ ରେଡ୍ଡି ଆନ୍ଧ୍ରପ୍ରଦେଶର ଲୋକ ।
ଜଣେ ତାମିଲ ଲୋକ ହୋଇଥିବାରୁ ଏନଡିଏ ପ୍ରାର୍ଥୀ ରାଧାକୃଷ୍ଣନଙ୍କୁ ନେଇ ଦ୍ବିଧାରେ ପଡ଼ିଯାଇଛି ଡିଏମକେ । ଦଳ ଯଦି ଇଣ୍ଡିଆ ମେଣ୍ଟ ସପକ୍ଷରେ ଯାଏ ତେବେ ଜଣେ ତାମିଲ ଲୋକଙ୍କୁ ବିରୋଧ କରିବ । ପୁଣି ଯଦି ରାଧାକୃଷ୍ଣନଙ୍କୁ ଭୋଟ ଦିଏ ତେବେ ଇଣ୍ଡିଆ ମେଣ୍ଟରେ ଫାଟ ସୃଷ୍ଟି ହେବ । ଅନ୍ୟପକ୍ଷରେ ଏନଡିଏର ଏହି ମାଷ୍ଟରଷ୍ଟ୍ରୋକର ଜବାବ ଦେଇଛି ଇଣ୍ଡିଆ ମେଣ୍ଟ । କାରଣ ବି. ସୁଦର୍ଶନ ରେଡ୍ଡି ହେଉଛନ୍ତି ଆନ୍ଧ୍ରପ୍ରଦେଶର ଲୋକ । ଏହା ଏନଡିଏର ପ୍ରମୁଖ ସହଯୋଗୀ ଦଳ ଏନ.ଚନ୍ଦ୍ରବାବୁ ନାଇଡୁଙ୍କୁ ଦ୍ବିଧାରେ ପକାଇବ ।
କିନ୍ତୁ ନିଜର ସ୍ଥିତି ସ୍ପଷ୍ଟ କରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ସେ କହିଛନ୍ତି ଯେ ଏନଡିଏ ମେଣ୍ଟ ଏକାଠି ରହିଛି ଓ ତାଙ୍କ ଦଳରେ କୌଣସି ଦ୍ବିଧାରେ ପଡ଼ିନାହିଁ ।
"କୌଣସି ଅସ୍ପଷ୍ଟତା ନାହିଁ - କେବଳ ଉଷ୍ମତା, ସମ୍ମାନ ଏବଂ ସଂକଳ୍ପ ରହିଛି। ଏନଡିଏ ଏକ ରହିଛି," କହିଛନ୍ତି ଶ୍ରୀ ନାଇଡୁଙ୍କ ପୁଅ ନାରା ଲୋକେଶ, ଯିଏ କି ଟିଡିପିର ସାଧାରଣ ସମ୍ପାଦକ ଏବଂ ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ମଧ୍ୟ ଅଛନ୍ତି ।