ଆଧାର ନଥିବାରୁ ନିସ୍ତୁକ ମାଡ଼ ଖାଇଲେ ୧୬ ବର୍ଷିଅ ଛାତ୍ର, ଶିକ୍ଷକ ଗିରଫ

ସିସିଟିଭିରୁ ଜଣାପଡ଼ିଲା ସତ୍ୟତା, ଶିକ୍ଷକଙ୍କୁ ବାହାର କରିବାକୁ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି

ମୁମ୍ବାଇ: ଏଠାରେ ଥିବା ଏକ ଘରୋଇ ସ୍କୁଲରେ ଜଣେ ଶିକ୍ଷକ ୧୬ ବର୍ଷିଅ ଛାତ୍ରଙ୍କୁ ନିସ୍ତୁକ ମାଡ଼ ଦେଇ ଜେଲ ଯାଇଛି। ଛାତ୍ରଙ୍କର ଭୁଲ ଥିଲା ଯେ, ତା’ପାଖରେ ଆଧାରକାର୍ଡ ନଥିଲା। ଏହି ମାମଲାରେ ଅଭିଭାବକ ଥାନାରେ ଅଭିଯୋଗ ଆଣିବା ପରେ, ଘଟଣା ଲୋକଲୋଚନକୁ ଆସିଛି। ଆହତ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଘାଟକୋପର ଅଞ୍ଚଳର ଅକ୍ସଫୋର୍ଡ ଇଂରାଜୀ ହାଇସ୍କୁଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୁକ୍ତ ଶିକ୍ଷକର ନାମ ଶ୍ୟାମ ବାହାଦୁର ବିଶ୍ୱକର୍ମା ବୋଲି ପୁଲିସ କହିଛି। ୧୬ ବର୍ଷିଅ ଛାତ୍ର ସୁହେଲ ଅନ୍‌ସାରୀଙ୍କ ମୁଣ୍ଡକୁ ଲକ୍ଷ୍ୟ ରଖି ଶିକ୍ଷକ ନିସ୍ତୁକ ପ୍ରହାର କରିଥିଲା। ସୁହେଲର ମୁଣ୍ଡରେ ପୂର୍ବରୁ ମଧ୍ୟ ଆଘାତ ଲାଗିଥିଲା। ସୁହେଲଙ୍କୁ ଗୁରୁତର ଅବସ୍ଥାରେ ସାଇନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତମାନ ସ୍ଥିତି ସ୍ୱାଭାବିକ ଅଛି।

ସିସିଟିଭିରୁ ଜଣାପଡ଼ିଲା ଘଟଣା
ପୁରା ମାମଲାକୁ ଶୁଣିବା ପରେ ପିଲାର ଅଭିଭାବକ ସ୍କୁଲ ପହଞ୍ଚି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କିନ୍ତୁ ଘଟଣା ସହିତ ଜଡ଼ିତ ଶିକ୍ଷକ ପ୍ରଥମେ ନିଜର ଦୋଷ ସ୍ୱିକାର କରି ନଥିଲା। ପରେ ସିସିଟିଭି ଫୁଟେଜ ଦ୍ୱାରା ସମସ୍ତ ଘଟଣା ଜଣାପଡ଼ିଥିଲା। ଭିଡ଼ିଓରୁ ଜଣାପଡ଼ିଥିଲା ଯେ ଅଭିଯୁକ୍ତ ଶିକ୍ଷକ ଲୁହା ଛଡ଼ରେ ସୁହେଲଙ୍କୁ ପିଟିଥିଲା।

ଶିକ୍ଷକକୁ ବାହାର କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି
ଅଭିଭାବକଙ୍କ ଅଭିଯୋଗକୁ ଆଧାର କରି ଘାଟକୋପର ପୁଲିସ ଥାନା ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ, ଶ୍ୟାମ ବାହାଦୁରକୁ ଗିରଫ କରିଛି। ଅନ୍ୟପକ୍ଷରେ ଏହି ମାମଲାକୁ ଗମ୍ଭୀର ରୂପେ ଦେଖିବାକୁ ଯାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଶିକ୍ଷକକୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର