ସ୍କୁଲ ଫି ଦେଇନପାରିବାରୁ ଛାତ୍ରଙ୍କ କେଶ କାଟିଦେଲେ ଶିକ୍ଷକ!

ଲ‌କ୍ଷ୍ନୌ: ସ୍କୁଲ ଫି ଦେଇନପାରିବାରୁ ଛାତ୍ରଙ୍କ କେଶ କାଟିଦେଲେ ଶିକ୍ଷକ | ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ହୋଲି ଚାଇଲ୍ଡ ଏକାଡେମୀରେ ଫି ନଦେବା କାରଣରୁ ଦୁଇ ପିଲାଙ୍କ କେଶ କାଟି ଦିଆଯାଇଥିବାର ଘଟଣା ସାମ୍ନାକୁ ଆସିଛି | ଏହି ଘଟଣାକୁ ନେଇ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦୁଇ ଛାତ୍ରଙ୍କ ଅଭିଭାବକ ଦାବି କରିଛନ୍ତି | ମିଳିଥିବା ସୂଚନା ମୁତାବକ ବାଗପତ ଅଞ୍ଚଳର ମୋହନ ଧାମାଙ୍କ ପୁତ୍ର ଓ ନିଶାନ୍ତ ବର୍ମାଙ୍କ ପୁଅ ହୋଲି ଚାଇଲ୍ଡ ଏକାଡେମୀରେ ପାଠ ପଢ଼ନ୍ତି | ତେବେ ଉଭୟ ଅଭିଭାବକ ଅଭିଯୋଗ କରିଛନ୍ତି ଯେ ବିଦ୍ୟାଳୟରେ କ୍ଲାସ ଚାଲିଥିବାବେଳେ ଶିକ୍ଷକ ତାଙ୍କ ପୁଅମାନଙ୍କ କେଶ ସମସ୍ତଙ୍କ ସାମ୍ନାରେ କାଟିଥିଲେ। ଦୁଇମାସ ପାଇଁ ଦେୟ ବିଦ୍ୟାଳୟରେ ଜମା ହୋଇ ନଥିବାରୁ ଶିକ୍ଷକ ଏଭଳି କରିଥିବାର ଉଭୟ ଅଭିଯୋଗ କରିଛନ୍ତି |

କେବଳ ଏତିକି ନୁହେଁ, ଏକ ମାସ ପୂର୍ବରୁ, ଉଭୟ ଛାତ୍ରଙ୍କୁ ସ୍କୁଲର କୋଠରୀରେ ତାଲା ପକାଇ ଦେଇଥିଲେ | ଉଭୟ ଛାତ୍ରଙ୍କ ଅଭିଭାବକ ଏନେଇ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ତେବେ ଏହି ଘଟଣାକୁ ନେଇ ସ୍କୁଲ କର୍ତୃପକ୍ଷ କିଛି କହି ନଥିବା ବେଳେ ପୁଲିସ କହିଛି ଯେ ଏନେଇ ଅଭିଯୋଗ ହୋଇଛି | ଅନ୍ୟପଟେ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଘଟଣାକୁ ନେଇ କହିଛନ୍ତି ଯେ ଗଣମାଧ୍ୟମରୁ ଏ ବାବଦରେ ଜଣାପଡିଛି | କୌଣସି ଅଭିଯୋଗ ମିଳିନାହିଁ | ଘଟଣା ବାବଦରେ ଯାଞ୍ଚ କରାଯାଉଛି |

ସମ୍ବନ୍ଧିତ ଖବର