ସ୍କୁଲ୍‌ରେ ପାଣି ପାତ୍ର ଛୁଇଁବାରୁ ଛାତ୍ରକୁ ମାରିଦେଲେ ଶିକ୍ଷକ

ନୂଆଦିଲ୍ଲୀ: ରାଜସ୍ଥାନର ଜାଲୋର ଜିଲ୍ଲାର ସୁରାନା ଗାଁରେ ଥିବା ଏକ ଘରୋଇ ବିଦ୍ୟାଳୟରେ ପାନୀୟ ଜଳ ରଖା ଯାଇଥିବା ପାତ୍ରକୁ ଛୁଇଁବାରୁ ଦଳିତ ଛାତ୍ରଙ୍କୁ ଶିକ୍ଷକ ନିସ୍ତୁକ ପିଟିଲେ। ଜୁଲାଇ ୨୦ ତାରିଖରେ ଏହି ଘଟଣା ଘଟିଥିଲା। ଶିକ୍ଷକଙ୍କ ମାଡ଼ରେ ଗୁରୁତର ଆହତ ୯ ବର୍ଷୀୟ ଛାତ୍ର ଇନ୍ଦ୍ର ମେଘୱାଲଙ୍କୁ ଚିକିତ୍ସା ପାଇଁ ଅହମଦାବାଦର ଏକ ଡାକ୍ତରଖାନା‌କୁ ନିଆଯାଇଥିଲା। ଚିକିତ୍ସା ଚାଲିଥିବାବେଳେ ଶନିବାର ଛାତ୍ରଟିର ମୃତ୍ୟୁ ହୋଇଛି। ପୁଲିସ ଶିକ୍ଷକ ଚେଲ ସିଂ(୪୦)ଙ୍କୁ ଗିରଫ କରିଛି। ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ଏହି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବିଚ୍ଛିନ୍ନ କରାଯାଇଛି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ରାଜ୍ୟ ଶିକ୍ଷା ବିଭାଗ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ରାଜସ୍ଥାନ ଏସ୍‌ସି କମିସନ ଅଧ୍ୟକ୍ଷ ଖିଲାଡି ଲାଲ ବରୱା ଏହି ଘଟଣାର ତୁରନ୍ତ ତଦନ୍ତ ପାଇଁ ମାମଲାକୁ ଅଧିକାରୀ ନିଜ ଅଧୀନକୁ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଶିକ୍ଷା ବିଭାଗ ଦୁଇଜଣ ଅଧିକାରୀଙ୍କୁ ଏହି ଘଟଣାର ଅନୁସନ୍ଧାନ କରି ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରର ବାପା କହିଛନ୍ତି, ତା ମୁହଁ ଓ କାନରେ ଆଘାତ ଲାଗିଥିଲା। ଚେତାଶୂନ୍ୟ ହୋଇଯିବାରୁ ତାକୁ ଜିଲ୍ଲା ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ଡାକ୍ତର ତାଙ୍କୁ ଉଦୟପୁରର ଏକ ଡାକ୍ତରଖାନାକୁ ରେଫର କରିଥିଲେ। ସେଠାରେ ସେ ପ୍ରାୟ ଏକ ସପ୍ତାହ ଚିକିତ୍ସିତ ହେବା ପରେ ତାର ସ୍ବାସ୍ଥ୍ୟରେ ଉନ୍ନତି ନ ହେବାରୁ ଆମେ ତାକୁ ଅହମଦାବାଦକୁ ନେଇ ଯାଇଥିଲୁ। ସେଠାରେ ମଧ୍ୟ ତାଙ୍କ ଅବସ୍ଥା ସୁଧୁରି ନଥିଲା। ଚିକିତ୍ସା ଚାଲିଥିବାବେଳେ ଶନିବାର ତାର ମୃତ୍ୟୁ ହୋଇଛି ବୋଲି ବାଳକର ପିତା ଦେବରମ ମେଘୱାଲ କହିଛନ୍ତି।

ସମ୍ବନ୍ଧିତ ଖବର