ଦେଶରେ ଖାଲି ଅଛି ୧୦ ଲକ୍ଷ ୬୦ ହଜାର ଶିକ୍ଷକ ପଦବୀ

ନୂଆଦିଲ୍ଲୀ: ଦେଶର ସରକାରୀ ବିଦ୍ୟାଳୟରେ ବହୁ ସଂଖ୍ୟକ ଶିକ୍ଷକ ପଦବୀ ଖାଲି ଅଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସମଗ୍ର ଦେଶରେ ୧୦ ଲକ୍ଷ ୬୦ ହଜାର ୧୩୯ ଶିକ୍ଷକ ପଦ ଖାଲି ଅଛି | ଏହି ସୂଚନାକୁ ଲୋକସଭାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ପ୍ରଦାନ କରିଛନ୍ତି। ୨୦୨୦-୨୧ ସୁଦ୍ଧା ସମଗ୍ର ଦେଶରେ ୬୧ ଲକ୍ଷ ୮୪ ହଜାର ୪୬୪ ଶିକ୍ଷକ ପଦବୀ ମଞ୍ଜୁର ହୋଇଥିବା ବେଳେ ବିଭିନ୍ନ ରାଜ୍ୟରେ ମୋଟ ୧୦ ଲକ୍ଷ ୬୦ ହଜାର ୧୩୯ ପଦବୀ ଖାଲି ଅଛି।

ଲୋକସଭା ସାଂସଦ ଧରମବୀର ସିଂ ଶିକ୍ଷା ମନ୍ତ୍ରୀ ନିଶଙ୍କଙ୍କୁ ପ୍ରଶ୍ନ ପଚାରିଥିଲେ ଯେ, ସମଗ୍ର ଦେଶରେ କେତେ ଶିକ୍ଷକ ପଦବୀ ଖାଲି ଅଛି ? ଏହାର ଉତ୍ତରରେ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଶିକ୍ଷକ ନିଯୁକ୍ତି ଏକ ନିରନ୍ତର ପ୍ରକ୍ରିୟା ଏବଂ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଅବସର କାରଣରୁ ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେତୁ ଅତିରିକ୍ତ ଆବଶ୍ୟକତା ରହିଛି। ଶିକ୍ଷା ମନ୍ତ୍ରାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଖାଲି ପଦବୀ ପୂରଣ ଏବଂ ସେମାନଙ୍କ ନିୟୋଜନ ପାଇଁ ଅନୁରୋଧ କରିଛି ।

ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ବିହାର ଓ ଉତ୍ତରପ୍ରଦେଶରେ ଶିକ୍ଷକଙ୍କ ପଦବୀ ଅଧିକ ସଂଖ୍ୟାରେ ଖାଲି ରହିଛି | ବିହାରରେ ବର୍ତ୍ତମାନ ୨,୭୫,୨୫୫ ଏବଂ ଉତ୍ତରପ୍ରଦେଶରେ ୨,୧୭,୪୮୧ ଶିକ୍ଷକ ପଦବୀ ଖାଲି ଅଛି | ସେହିପରି ଆନ୍ଧ୍ରପ୍ରଦେଶରେ ୩୪୮୮୮, ଝାଡଖଣ୍ଡ ୯୫୮୯, କର୍ଣ୍ଣାଟକ ୩୨୬୪୪, ମଧ୍ୟପ୍ରଦେଶ ୯୧୯୭୨, ରାଜସ୍ଥାନ ୪୭୬୬୬ ଏବଂ ପଶ୍ଚିମବଙ୍ଗ ୭୨୨୨୦ରେ ଶିକ୍ଷକଙ୍କ ପଦବୀ ଖାଲି ଅଛି |

ସମ୍ବନ୍ଧିତ ଖବର