ନ୍ୟୁୟର୍କ: ଇତିହାସ ପୃଷ୍ଠାରେ ଗୁରୁଙ୍କ ପାଇଁ ଶିଷ୍ୟଟିଏ କଣ କରିପାରେ ଆପଣ ଅନେକ କାହାଣୀ ପଢ଼ିଥିବେ | ଏକଲବ୍ୟ କିଭଳି ଗୁରୁ ଦକ୍ଷିଣା ପାଇଁ ଆଙ୍ଗୁଠି କାଟି ଦେଇଥିଲା ସେବାବଦରେ ତ ଜାଣିଥିବେ | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯେଉଁଠି ଜଣେ ଶିକ୍ଷକ ନିଜ ଛାତ୍ରଙ୍କ ଜୀବନ ବଞ୍ଚାଇବାକୁ ଆଗେଇ ଆସିଛନ୍ତି | ଏହି ଶିକ୍ଷକ ଜଣକ ନିଜ ଛାତ୍ରଙ୍କୁ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଆମେରିକାର ଓହିଓର ଜଣେ ଶିକ୍ଷକ ଏଡି ମେକାର୍ଥୀ ତାଙ୍କ ଛାତ୍ରଙ୍କୁ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁଯାୟୀ, ଆମେରିକାର ଓହିଓର ୧୫ ବର୍ଷ ବୟସ୍କ ଛାତ୍ରଙ୍କୁ ତୁରନ୍ତ କିଡନୀ ପ୍ରତିରୋପଣର ଆବଶ୍ୟକତା ଥିଲା | ଆଉ ଏହା ଜାଣିବା ପରେ ଛାତ୍ରଙ୍କ ଗଣିତ ଶିକ୍ଷକ ତାଙ୍କୁ କିଡନୀ ଦେବାକୁ ରାଜି ହୋଇଥିଲେ। ଶିକ୍ଷକଙ୍କ ଏହି ନିଷ୍ପତ୍ତିକୁ ନେଇ ଛାତ୍ର ଏବଂ ତାଙ୍କ ପିତାମାତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏଡି ମେକାର୍ଥୀ, ଓହିଓର ଟୋଲେଡୋସ୍ଥିତ ହ୍ୱିଟମର୍ ହାଇସ୍କୁଲର ଗଣିତ ଶିକ୍ଷକ ଥିବାବେଳେ ତାଙ୍କ ଶ୍ରେଣୀରେ ରୋମନ ନାମକ ଛାତ୍ର ଅଛନ୍ତି | ଯେତେବେଳେ ସେ ତାଙ୍କ ଛାତ୍ର ରୋମନଙ୍କ ଅବସ୍ଥା ବିଷୟରେ ଜାଣିଲେ ସେତେବେଳେ ସେ ଛାତ୍ରଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଡି ମେକାର୍ଥୀ ଆହୁରି ମଧ୍ୟ କହିଛନ୍ତି ଯେ ଦୁଇ ମାସ ପୂର୍ବେ ସେ ତାଙ୍କ ଛାତ୍ର ରୋମନଙ୍କ ଅବସ୍ଥା ବିଷୟରେ ଜାଣିଥିଲେ। ଏହା ପରେ ସେ ଗୁପ୍ତରେ ଡାକ୍ତରଖାନା ଯାଇ ଛାତ୍ରଙ୍କୁ କିଡନୀ ଦାନ କରିପାରିବେ କି ନାହିଁ ଯାଞ୍ଚ କରାଇଥିଲେ।
ଏଡି ମେକାର୍ଥୀଙ୍କୁ ଡାକ୍ତରମାନେ କହିଥିଲେ ଯେ ସେ ତାଙ୍କର କିଡନୀ ଦେଇପାରିବେ। ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ଅନୁଯାୟୀ, ରୋମନ ବ୍ରାଂକିଓଟୋରେନାଲ ସିଣ୍ଡ୍ରୋମ ନାମକ ବିରଳ ରୋଗରେ ପୀଡିତ ଅଛନ୍ତି | ଏହା ଟିସୁ ବିକାଶକୁ ପ୍ରଭାବିତ କରିଥାଏ ଓ କିଡନୀ ବିକୃତିର କାରଣ ହୋଇପାରେ | ନୂଆ କିଡନୀ ପ୍ରତିରୋପଣ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଡାଏଲିସିସ୍ କରିବାକୁ ପଡିବ ବୋଲି ଡାକ୍ତରମାନେ ଚେତାବନୀ ଦେଇଥିଲେ । ଏହାପରେ ତାଙ୍କ ପରିବାର ପ୍ରାୟ ଦୁଇ ବର୍ଷ ଧରି କିଡ଼ନୀଟିଏ ଖୋଜୁଥିଲେ। କିନ୍ତୁ ଏନେଇ ଶିକ୍ଷକ ଜଣକ ଜାଣିବା ପରେ ସେ କିଡନୀ ଦେବାକୁ ରାଜି ହୋଇଯାଇଥିଲେ |