ନୂଆଦିଲ୍ଲୀ : ଗତ ଫେବ୍ରୁଆରୀ ୨୭ରେ ଜାମ୍ମୁ ଓ କାଶ୍ମୀର ନିୟନ୍ତ୍ରଣରେଖା ନିକଟରେ ପାକିସ୍ତାନ ଓ ଭାରତୀୟ ବାୟୁସେନା ମଧ୍ୟରେ ହୋଇଥିବା ମୁହାଁମୁହିଁ ପରିସ୍ଥିତି ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜନା ଏବେ ଥମିଯାଇଥିବା ସତ୍ତ୍ୱେ ଆଉ ଏକ ବିପଦ ରହିଯାଇଛି । ତାହା ହେଉଛି ପାକିସ୍ତାନ ବାୟୁସେନାର ଏଫ-୧୬ ବିମାନ ଦ୍ୱାରା ନିକ୍ଷେପ କରାଯାଇଥିବା କେତେକ ବୋମା ଅଫୁଟା ରହିଯାଇଛି । ତାହା ମେଣ୍ଢକ ସେକ୍ଟର ନିକଟରେ ଥିବା ସେନା କାର୍ଯ୍ୟାଳୟର ନିକଟବର୍ତ୍ତି ଏକ ସ୍ଥାନରେ ପଡିରହିଛି । ଏଗୁଡ଼ିକୁ ନିଷ୍କ୍ରିୟ କରିବା ପାଇଁ ବାୟୁସେନା ଓ ସେନାର ଏକ ମିଳିତ ବୋମାନିରୋଧୀ ଟିମ ଗଠନ କରାଯାଇଛି ।
ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରୀ ୧୪ରେ ପୁଲଓ୍ଵାମା ଆକ୍ରମଣ ପରେ ତାହାର ଜବାବ ଭାରତ ପାକିସ୍ତାନର ବାଲାକୋଟ ଉପରେ ବିମାନ ଆକ୍ରମଣ କରି କରିଥିଲା । ଏହା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ଭାରତ ଉପରେ ଚାପ ସୃଷ୍ଟି କରିବାକୁ ପାକିସ୍ତାନ ନିଜର ଏକମାତ୍ର କାର୍ଯ୍ୟକ୍ଷମ ବୁଡ଼ାଜାହଜକୁ ଭାରତର ପଶ୍ଚିମ ଉପକୂଳକୁ ପଠାଇଥିଲା । କିନ୍ତୁ ଏହା ଭାରତୀୟ ନୌସେନାର ସତର୍କ ପ୍ରହରାରୁ ବର୍ତ୍ତି ପାରିନଥିଲା । ଅଗତ୍ୟା ଏହା ଫେରିଯାଇଥିଲା ।