ଗାଧୋଇବା ପାଇଁ ଜିମ୍ବାୱେ ଗସ୍ତରେ ଥିବା ଭାରତୀୟ ଖେଳାଳିଙ୍କୁ ଏଭଳି ପରାମର୍ଶ ଦେଲା ବିସିସିଆଇ

ନୂଆଦିଲ୍ଲୀ: ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ‌ଖେଳିବାକୁ ଭାରତୀୟ କ୍ରିକେଟ୍‌ ଦଳ ଶନିବାର ଜିମ୍ବାୱେ ଗସ୍ତ କରିଛି। ‌କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଦଳ ହରାରେ ସ୍ପୋର୍ଟସ କ୍ଲବ୍‌ରେ ଅଗଷ୍ଟ ୧୮, ୨୦ ଓ ୨୨ ତାରିଖରେ ଏହି ୩ ମ୍ୟାଚ୍‌ ଖେଳିବ। ବିସିସିଆଇ ଶନିବାର ଏହାର ଟ୍ବିଟର୍ ଆକାଉଣ୍ଟ୍‌ରେ ଦଳର ଗସ୍ତ ସମ୍ପର୍କରେ ସୂଚନା ଦେଇଥିବା ବ‌େଳେ ଏବେ ଖେଳାଳିମାନଙ୍କୁ କମ ପାଣିରେ ଗାଧୋଇବା ପାଇଁ କହିଛନ୍ତି ବିସିସିଆଇ।

ଏବେ ହରାରେ ସମେତ ଜିମ୍ବାୱେର ଅଧିକାଂଶ ସହରରେ ଜଳ ସମସ୍ୟା ଦେଖାଦେଇଛି। ପାଣିର ଅଭାବ ଥିବା ଦେଖି ବିସିସିଆଇ ଭାରତୀୟ ଖେଳାଳିଙ୍କୁ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ବିସିସିଆଇ ଖେଳାଳିମାନଙ୍କୁ କହିଛି ଯେ, ଅଧିକ ପାଣି ବ୍ୟବହାର କର ନାହିଁ। ଯଦି ସମ୍ଭବ, ଦିନରେ କେବଳ ଥରେ ଗାଧାଅ, ତାହା ମଧ୍ୟ କମ୍ ପାଣି ସହିତ। ଖେଳାଳିଙ୍କୁ ପାଣି ନଷ୍ଟ ନକରିବାକୁ ବିସିସିଆଇ ନିର୍ଦ୍ଦେଶ ଦେଇଛି। ଏହା ବ୍ୟତୀତ ଅନେକ ପ୍ରତିବନ୍ଧକ ମଧ୍ୟ ଲାଗୁ କରାଯାଇଛି। ଏଭଳି ପରିସ୍ଥିତିରେ ଭାରତୀୟ ଖେଳାଳିଙ୍କୁ ପ୍ରାୟ ୩୦ଡିଗ୍ରୀ ଗରମରେ ପାଣି ସମସ୍ୟାର ସାମ୍ନା କରିବାକୁ ପଡିବ।

ତେବେ ଭାରତ ଗତ ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩-୦ରେ ଦିନିକିଆ ଶୃଙ୍ଖଳା ହରାରେ ଯାଇଛି। ଅନ୍ୟପକ୍ଷରେ ଜିମ୍ବାୱେ ଘରୋଇ ମାଟିରେ ବାଂଲାଦେଶ ବିପକ୍ଷରେ ଉଭୟ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ଆତ୍ମବିଶ୍ବାସରେ ରହିଛି। ଏହି ଶୃଙ୍ଖଳା ଆଇସିସି ବିଶ୍ବକପ୍ ସୁପର୍‌ ଲିଗ୍‌ ଅନ୍ତର୍ଗତ ହୋଇଥିବାରୁ ଜିମ୍ବାୱେ ପାଇଁ ଗୁରୁତ୍ବ ରଖିଛି। ଶୀର୍ଷ ୮ ମାନ୍ୟତା ଭିତରେ ରହିପାରିଲେ ଜିମ୍ବାୱେ ଆସନ୍ତା ବର୍ଷ ଭାରତରେ ଖେଳାଯିବାକୁ ଥିବା ଆଇସିସି ଦିନିକିଆ ବିଶ୍ବକପ୍‌ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିନେବ।

ଭାରତୀୟ ଦଳ ଏଥର କେଏଲ୍ ରାହୁଲଙ୍କ ନେତୃତ୍ବରେ ଦିନିକିଆ ଶୃଙ୍ଖଳା ଖେଳିବ। ପୂର୍ବରୁ ଶିଖର ଧାୱନଙ୍କ ନେତୃତ୍ବରେ ଦଳ ଘୋଷିତ ହୋଇଥିଲେ ମଧ୍ୟ ତାଙ୍କୁ ଏବେ ଉପ ଅଧିନାୟକ ଦାୟିତ୍ବକୁ ଖସାଇ ଦିଆଯାଇଛି।

ସମ୍ବନ୍ଧିତ ଖବର