୨୦୧୯ ବିଶ୍ୱକପ୍‌ କ୍ରିକେଟ ପାଇଁ ଟିମ୍‌ ଇଣ୍ଡିଆର ଖେଳାଳିମାନଙ୍କୁ ଇଂଲଣ୍ଡରେ ଦରକାର କଦଳୀ, ସଂରକ୍ଷିତ ରେଳ କୋଚ୍‌ ଓ ପତ୍ନୀଙ୍କ ସାଥ୍…

ହାଇଦ୍ରାବାଦ: ଆସନ୍ତା ୨୦୧୯ରେ ଇଂଲଣ୍ଡ ଠାରେ ଖେଳା ଯିବାକୁ ଥିବା ବିଶ୍ୱ କପ୍‌ କ୍ରିକେଟ ପାଇଁ ଏବେଠାରୁ ଆୟୋଜନ ଓ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଗଲାଣି। ଏହି କ୍ରମରେ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ ପାଇଁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ଟିମ୍‌ ମ୍ୟାନେଜ୍‌ମେଣ୍ଟ, କମିଟି ଅଫ୍‌ ଆଡ୍‌ମିନିଷ୍ଟ୍ରେଟର ସମ୍ମୁଖରେ କହିଛନ୍ତି ଯେ ୨୦୧୯ ବିଶ୍ୱକପ୍‌ ମ୍ୟାଚ୍‌ ସମୟରେ ଇଂଲଣ୍ଡରେ ସେମାନଙ୍କୁ କଦଳୀର ଆବଶ୍ୟକତା ରହିଛି। ଏଥିସହ ସେଠାରେ ଏକ ସଂରକ୍ଷିତ ରେଳ କୋଚ୍‌ ଓ ଇଂଲଣ୍ଡକୁ ସାଙ୍ଗରେ ନିଜ ନିଜର ପତ୍ନୀମାନଙ୍କୁ ନେବା ପାଇଁ ଅନୁମତିର ଆବଶ୍ୟକତା ରହିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ଜାଣିବାକୁ ମିଳିଛି ଯେ ଭାରତ ଓ େଓ୍ଵଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳା ଯିବା ପୂର୍ବରୁ ଗତ ସୋମବାର ଦିନ ହାଇଦ୍ରାବାଦ ଠାରେ ଟିମ୍‌ ଇଣ୍ଡିଆର ମ୍ୟାନେଜ୍‌ମେଣ୍ଟ ଓ କମିଟି ଅଫ୍‌ ଆଡ୍‌ମିନିଷ୍ଟ୍ରେଟରଙ୍କ ମଧ୍ୟରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଆଗାମୀ ବିଶ୍ୱକପ୍‌ ସଂପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ଟମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି, ଟେଷ୍ଟ କ୍ରିକେଟ ଭାଇସ୍‌ କ୍ୟାପ୍‌ଟେନ୍‌ ଆଜିଙ୍କ୍ୟ ରାହାଣେ, ଦିନିକିଆ ଭାଇସ୍‌ କ୍ୟାପ୍‌ଟେନ୍‌ ରୋହିତ୍‌ ଶର୍ମା, କୋଚ୍‌ ରବି ଶାସ୍ତ୍ରୀ ଏବଂ ସିଲେକସନ୍‌ କମିଟି ଚେୟାରମ୍ୟାନ୍‌ ଏମ୍‌ଏସ୍‌କେ ପ୍ରସାଦ ଯୋଗ ଦେଇଥିଲେ। ଏହି ଅବସରରେ କମିଟି ସମ୍ମୁଖରେ ଟିମ୍‌ ଇଣ୍ଡିଆ ପକ୍ଷରୁ ଉପରୋକ୍ତ ତିନିଟି ଦାବି ରଖା ଯାଇଥିଲା।

ଏପ୍ରକାର ଦାବି ଶୁଣି କିମିଟି ଆଶ୍ଚର୍ଯ୍ୟ ପ୍ରକଟ କରିଥିବା ବେଳେ ଟିମ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଥିଲା ଯେ ଇଂଲଣ୍ଡ କ୍ରିକେଟ ବୋର୍ଡ ଭାରତୀୟ ଖେଳାଳିମାନଙ୍କୁ ସେମାନଙ୍କ ପସନ୍ଦ ମୁତାବକ ଫଳ ଯୋଗାଇ ପାରୁନାହିଁ। ସେଥିପାଇଁ ସେମାନେ ବିଶ୍ୱକପ୍‌ ଟୁର୍‌ ପୂର୍ବରୁ କମିଟି ଆଗରେ ଏପ୍ରକାର ଦାବି ରଖିଛନ୍ତି। ଏହା ଶୁଣିବା ପରେ କମିଟି ଟିମ୍‌ ମ୍ୟାନେଜରଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଖେଳାଳିମାନଙ୍କ ପସନ୍ଦ ମୁତାବକ ଫଳ ବିସିସିଆଇ ଅର୍ଥରେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଖେଳାଳିମାନଙ୍କ ଅନ୍ୟ ଦୁଇଟି ଦାବି ସମ୍ପର୍କରେ ଯଥା ସମୟରେ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର