ୟୁଏନ୍‌ଏଚ୍‌ଆର୍‌ସିରେ କଶ୍ମୀର ପ୍ରସଙ୍ଗ ଉଠାଇବ ପାକିସ୍ତାନ : ମୁକାବିଲା ପାଇଁ ଭାରତର ଯୋଜନା, ଜୟଶଙ୍କର, ଡୋଭାଲ ଏବଂ ଶାହଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ : ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)ର ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଥିବା ବେଳେ ୯ରୁ ୧୨ ସେପ୍‌ଟେମ୍ବର ମଧ୍ୟରେ ଭାରତ ବିରୋଧରେ କଶ୍ମୀର ମାମଲା ଉଠାଇବାକୁ ପାକିସ୍ତାନ ଯୋଜନା କରିଛି। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସିଙ୍କ ନେତୃତ୍ବରେ ଏକ ଟିମ୍‌ ଏଥିପାଇଁ ନିୟୋଜିତ ଥିବା ଜଣାପଡ଼ିଛି। ତେବେ କଶ୍ମୀରକୁ ନେଇ ପାକିସ୍ତାନର ସବୁ ଚାଲ୍‌କୁ ୟୁଏନ୍‌ଏଚ୍‌ଆର୍‌ସିରେ ପଣ୍ଡ କରିବା ପାଇଁ ଭାରତର ଟିମ୍‌ ତୟାର ରହିଛି । ୟୁଏନ୍ଏଚ୍‌ଆର୍‌ସିର ଅଧିବେଶନ ୨୭ ସେପ୍‌ଟେମ୍ବର ପର୍ଯ୍ୟନ୍ତ ଚାଲିବ, କିନ୍ତୁ ପାକିସ୍ତାନ ଭାରତ ବିରୋଧରେ କୌଣସି ପ୍ରସ୍ତାବ ଆଣିବାକୁ ଥିଲେ ତାହା ୧୯ ସେପ୍‌ଟେମ୍ବର ପୂର୍ବରୁ ହିଁ ଆଣିବାକୁ ହେବ।

ଜେନେଭା ଏବଂ ଭାରତର କୂଟନୈତିକ ଏବ ସୁରକ୍ଷା ଅଧିକାରୀଙ୍କ ମୁତାବକ ଭାରତର ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ୪୭ ସଦସ୍ୟ ବିଶିଷ୍ଟ ୟୁଏନ୍‌ଏଚ୍‌ଆର୍‌ସିର ପ୍ରତ୍ୟେକ ସଦସ୍ୟଙ୍କ ସହିତ ସାକ୍ଷାତ ଆଲୋଚନା କରୁଛନ୍ତି। ଭାରତର ଆଭ୍ୟନ୍ତରୀଣ ମାମଲାରେ ପାକିସ୍ତାନ କିଭଳି ମୁଣ୍ଡ ପୂରାଇବାକୁ ଚେଷ୍ଟା କରୁଛି ଏବଂ କଶ୍ମୀରରେ ହିଂସା ପାଇଁ ଏହାର ଷଡ଼ଯନ୍ତ୍ର ସଂପର୍କରେ ବିଭିନ୍ନ ରାଷ୍ଟ୍ରକୁ ପ୍ରମାଣ ଦିଆଯାଉଛି । ଅନ୍ୟପକ୍ଷରେ କଶ୍ମୀରର ସୁରକ୍ଷା ସ୍ଥିତି ଉପରେ ନଜର ରଖିବା ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଦାୟିତ୍ବ ଦିଆଯାଇଛି। କଶ୍ମୀର ମାମଲାରେ ରାଜନୈତିକ ଗତିବିଧି ଏବଂ ସୁରକ୍ଷା ବାହିନୀ ଦ୍ବାରା ସ୍ଥିତି ନିୟନ୍ତ୍ରଣ ସଂକ୍ରାନ୍ତ ଦାୟିତ୍ବ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ରହିଛି ।

ପାକିସ୍ତାନ କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ହେଉଥିବା ନେଇ ମିଥ୍ୟା ଅଭିଯୋଗ ଆଣି ଭାରତକୁ ବଦନାମ କରିବା ପାଇଁ ଯୋଜନା କରୁଛି। ଏଥିପାଇଁ ଏକ ଜରୁରୀ ବିତର୍କ ପାଇଁ ପାକିସ୍ତାନ ପ୍ରସ୍ତାବ ଦେବାକୁ ଯୋଜନା କରୁଛି। ତେବେ ପାକିସ୍ତାନର ଏଭଳି ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ଯେତିକି ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ତାହା ପାକିସ୍ତାନକୁ ମିଳିବା ଏତେ ସହଜ ହେବନାହିଁ। ଜାତିସଂଘ ସମେତ ବିଶ୍ବର ଅନ୍ୟ କେତେକ ମଂଚରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ଏକଘରିଆ ହୋଇସାରିଛି। ଏଭଳି ସ୍ଥିତିରେ ୟୁଏନ୍‌ଏଚ୍‌ଆର୍‌ସିରେ କିଛି ହଟଚଟମ କରିବା ଲକ୍ଷ୍ୟରେ ପାକିସ୍ତାନ ରହିଛି। ଆମେରିକା, ଫ୍ରାନ୍‌ସ, ବ୍ରିଟେନ୍ ଏବଂ ରୁଷ୍‌ ଭଳି ପ୍ରମୁଖ ରାଷ୍ଟ୍ର ଭାରତ ସପକ୍ଷରେ ଥିବା ବେଳେ ପାକିସ୍ତାନ କେବଳ ଚୀନ୍‌ ଉପରେ ଭରସା କରି ରହିଛି। ଅନ୍ୟପକ୍ଷରେ ଚୀନ୍‌ରେ ଉଇଘର୍‌ ମୁସ୍‌ଲିମଙ୍କ ଉପରେ ହେଉଥିବା ନିର୍ଯାତନା ମାମଲା ନେଇ ଚୀନ୍‌ ମଧ୍ୟ ଏବେ ଅଡ଼ୁଆରେ ରହିଛି।

ସମ୍ବନ୍ଧିତ ଖବର