ନୂଆଦିଲ୍ଲୀ: ସରକାରୀ ଓ ଅନୁଦାନପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ଖୁସି ଖବର। ସପ୍ତମ ବେତନ ଆୟୋଗର ସୁପାରିସ ଅନୁସାରେ ଚଳିତବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ବୈଷୟିକ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀଙ୍କର ଦରମା ବୃଦ୍ଧି ହେବା ନେଇ ସୂଚନା ରହିଛି। ଚଳିତବର୍ଷ ଏପ୍ରିଲ୍‌ ପହିଲାରୁ ଦରମା ବୃଦ୍ଧି ହେବ ବୋଲି ମାନବ ସମ୍ବଳ ବିକାଶ(ଏଚ୍‌ଆର୍‌ଡି) ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Advertisment

publive-image

ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି ଯେ କାର୍ଯ୍ୟରତ ଶିକ୍ଷକମାନଙ୍କ ଦରମା ସପ୍ତମ ବେତନ କମିସନ ଲାଗୁ ହୋଇଥିବା ତାରିଖ ୨୦୧୬ ଜାନୁଆରି ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏ ସଂପର୍କରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ସ୍ପଷ୍ଟ କରିଛନ୍ତି। ଶିକ୍ଷକମାନେ ଯେଉଁ ଦରମା ପାଇବେ ସେଥିରୁ ଅଧା କେନ୍ଦ୍ର ସରକାର ବହନ କରିବା ବେଳେ ଆଉ ଅଧା ଅନୁଷ୍ଠାନ ବହନ କରିବ।

ଏଥିପାଇଁ ସରକାରଙ୍କ ପକ୍ଷରୁ ୧୨୪୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଶିକ୍ଷକ ଓ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ଏହି ସୁବିଧାର ଲାଭ ନିର୍ବାଚନ ପୂର୍ବରୁ ଉଠାଇ ପାରିବେ। ଲୋକସଭା ନିର୍ବାଚନ ପୂର୍ବରୁ ମାନବ ସମ୍ବଳ ବିକାଶ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିରେ ୨୯,୨୬୪ ଜଣ ଶିକ୍ଷକ ଓ ଅନ୍ୟ କର୍ମଚାରୀ ଉପକୃତ ହେବେ ବୋଲି ସୂଚନା ରହିଛି।