ଏୟାର ଇଣ୍ଡିଆ ବିମାନରେ ବୈଷୟିକ ତ୍ରୁଟି: ଉଡ଼ାଣର ୧୦ ମିନିଟ ପରେ ମୁମ୍ବାଇ ଫେରିଲା ବିମାନ

ମୁମ୍ବାଇ: ଏୟାର ଇଣ୍ଡିଆର ଏକ ବିମାନରେ ଆଜି ସକାଳେ ବୈଷୟିକ ତ୍ରୁଟି ଦେଖାଦେଇଛି। ଫଳରେ ମୁମ୍ବାଇ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ୧୦ ମିନିଟ ପରେ ପୁଣି ଏହା ଅବତରଣ କରିଛି। ବିମାନଟି ମୁମ୍ବାଇରୁ କାଲିକଟ ଅଭିମୁଖେ ଯାତ୍ରା କରୁଥିଲା। ଏୟାର ଇଣ୍ଡିଆର ଏହି ବିମାନ (ଏଆଇ ୫୮୧)ରେ ୧୧୦ ଜଣରୁ ଅଧିକ ଯାତ୍ରୀ ଥିଲେ। ୬ଟା ୧୩ ମିନିଟରେ ବୈଷୟିକ ତ୍ରୁଟି ଦେଖାଦେବାରୁ ୬ଟା ୨୫ ମିନିଟରେ ଏହା ଫେରି ଆସିଥିଲା। ତେବେ ବିମାନକୁ ଇଞ୍ଜିନିୟରମାନେ ଯାଞ୍ଚ କରିବା ପରେ ବିମାନଟି ପୁଣି କାଲିକଟ ଅଭିମୁଖେ ଯାତ୍ରା କରିଥିଲା।

ପାଖାପାଖି ୩ ଘଣ୍ଟା ବିମାନ ବିଳମ୍ବ ହୋଇଛି। ଏୟାର ଇଣ୍ଡିଆ ସୁରକ୍ଷା ପ୍ରସଙ୍ଗକୁ ସର୍ବାଧିକ ଗୁରୁତ୍ବ ଦେଇଥାଏ। ତେଣୁ ବିମାନଟି ପୁଣିଥରେ ଉଡ଼ାଣ ପାଇଁ ଅନୁମତି ଦିଆଯିବା ପୂର୍ବରୁ ତାହାକୁ ଭଲଭାବେ ଯାଞ୍ଚ କରାଯାଇଥିଲା ବୋଲି ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି। ଗତ କିଛିମାସ ହେଲା ଅଧିକାଂଶ ସମୟରେ ବିମାନରେ ତ୍ରୁଟି ପରିଲକ୍ଷିତ ହେଉଛି। ଗତମାସରେ ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନରେ ନିଆଁ ବାହାରିବା କାରଣରୁ ତାହାକୁ ଦିଲ୍ଲୀ ବିମାନ ବନ୍ଦରକୁ ଫେରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର