ନୋଏଡ଼ା: ଗ୍ରେଟର ନୋଏଡ଼ାର ଏକ ଆପାର୍ଟମେଣ୍ଟରେ  ଗଞ୍ଜେଇ ଚାଷ କରି ଜଣେ ଯୁବକ ହରଡ଼ ଘଣାରେ ପଡ଼ିଛି। ପୁଲିସ ଚଢ଼ଉ କରି ଗଞ୍ଜେଇ ଗଛଗୁଡ଼ିକୁ ଜବତ କରିବା ସହ ଉକ୍ତ ଯୁବକକୁ ଗିରଫ କରିଛି। ସୂଚନାନୁସାରେ, ପାର୍ଶ୍ବନାଥ ପାନୋରମାର ପାଇ-୩ ରାଉଣ୍ଡାବାଉଟ୍‌ର ଏକ ଫ୍ଲାଟ୍‌ରେ ରାହୁଲ ଚୌଧୁରୀ ୮୦ଟି ଗଞ୍ଜେଇ ଗଛ ଲଗାଇଥିଲେ। ଏହାର ଆନୁମାନିକ ମୂଲ୍ୟ ୬୦ଲକ୍ଷ ଟଙ୍କା ହେବ। ଘର ଭିତରେ ବେଆଇନ ଗଞ୍ଜେଇ ଚାଷ କରିବା ଯେତିକି ଆଲୋଚନାର ପ୍ରସଙ୍ଗ ହୋଇଛି ରାହୁଲଙ୍କ ଗିରଫ ପଛର କାହାଣୀ ମଧ୍ୟ ସେତିକି ରୋଚକ ଅଟେ। କିଛିଦିନ ପୂର୍ବେ ବେଙ୍ଗାଲୁରୁର ଏକ  ଦମ୍ପତି ନିଜ ଛାତ ଉପରେ କରିଥିବା ଉଦ୍ୟନର ଭିଡିଓ  ଫେସ୍‌ବୁକ୍‌ରେ ଛାଡ଼ିଥିଲେ। ଏଥିରେ ଏକ ଫୁଲକୁଣ୍ଡରେ ଗଞ୍ଜେଇ ଗଛଟିଏ ଲାଗିଥିବା ଦେଖି କେତେକ ପ୍ରତିକ୍ରିୟା ଦେଇଥିଲେ। ଏହି ଭିଡିଓଟି ଶେଷରେ ପୁଲିସ  ନଜରକୁ ଆସିଥିଲା। ପରେ ଅନୁସନ୍ଧାନରେ ଗ୍ରେଟର ନୋଏଡାରେ ମଧ୍ୟ‌ ଏକ ଆପାର୍ଟମେଣ୍ଟରେ ବେଆଇନ ଗଞ୍ଜେଇ ଚାଷ ଓ କାରବାର ହେଉଥିବା ଜଣାପଡ଼ିଥିଲା।

Advertisment

ଏନେଇ ବିଟା-୨ ଓ ଇକୋଟେକ୍‌-୨ ଥାନା ପୁଲିସ ଏବଂ ନାର୍କୋଟିକ୍ସ ବିଭାଗର କର୍ମଚାରୀଙ୍କ ଯୁଗ୍ମ ଟିମ୍‌ ପାର୍ଶ୍ବନାଥ ପାନୋରାମାର ସେହି ଫ୍ଲାଟ୍‌ରେ ଚଢ଼ଉ କରିଥିଲେ।ଘର ଭିତରୁ  ୮୦ଟି ଗଞ୍ଜେଇ ଗଛ, ୧୬୩ ଗ୍ରାମ ଭାଙ୍ଗ, ଗଛଚାଷ ପାଇଁ ବ୍ୟବହୃତ ରସାୟନିକ ସାର, ମଞ୍ଜି, ସାମଗ୍ରୀ ଆଦି ଜବତ କରାଯାଇଥିଲା। ଡିସିପି ସାଦ୍‌ ମିଆ ଖନ୍ଦ କହିଛନ୍ତି, ଅଭିଯୁକ୍ତ ରାହୁଲ ଜଣେ ଉଚ୍ଚ ଶିକ୍ଷିତ। ମିରଟ ବିଶ୍ବବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ପାସ୍‌ କରିଛନ୍ତି। ଗଛଗୁଡ଼ିକ ନିମନ୍ତେ ଆବଶ୍ୟକ ଉତ୍ତାପ ରକ୍ଷା କରିବାକୁ ସେ  ୨୪ ଘଣ୍ଟା ଏସି ଚଳାଇ ରଖୁଥିଲେ। ଲୋକଙ୍କ ନଜର ଯେଭଳି ନପଡ଼ିବ, ସେଥିପାଇଁ ସର୍ବଦା ଝରକାକବାଟ ବନ୍ଦ କରି ରଖୁଥିଲେ।  ଗଛଗୁଡ଼ିକର ଆଲୋକ ସଂଶ୍ଲେଷଣ ପ୍ରକ୍ରିୟା ଜାରି ରଖିବାକୁ ସର୍ବଦା ଲାଇଟ୍‌ ଲଗାଇ ରଖୁଥିଲେ। ପ୍ରତିଗଛ ନିମନ୍ତେ ୫ରୁ ୬ହଜାର ଟଙ୍କା ଖର୍ଚ୍ଚ କରୁଥିଲେ। ପୂର୍ଣ୍ଣ ଗଛ ହେବା ନିମନ୍ତେ ୧୧୦ ଦିନ ଲାଗୁଥିଲା। ସମ୍ପୂର୍ଣ୍ଣ ବଢ଼ିଥିବା ଗଛରୁ ସେ ୭୫ରୁ ୮୦ହଜାର ଟଙ୍କା ପାଉଥିଲେ।  ‘ଡାର୍କୱେବ୍‌’ ଜରିଆରେ ସେ ଗ୍ରାହକ ଯୋଗାଡ଼ କରୁଥିଲେ। ଗତ ଦୁଇ ବର୍ଷ ପୂର୍ବେ ପ୍ରଥମେ ପରୀକ୍ଷାମୂଳକ ଭାବେ ଫୁଲକୁଣ୍ଡରେ ଗଞ୍ଜେଇ ଚାରା ଲଗାଇଥିଲେ। ୪-୫ ପୂର୍ବେ ଏହାକୁ ସେ ପୂର୍ଣ୍ଣ ବ୍ୟବସାୟର ରୂପ‌ ଦେଇଥିଲେ।