ଦୃଷ୍ଟିଶକ୍ତି ହରାଇଲେ ଆଳୁ ଫ୍ରେଞ୍ଚ୍‌ ଫ୍ରାଇଜ୍‌, ପ୍ରିଙ୍ଗ୍‌ଲ୍‌ ଆଳୁ ଚିପ୍‌ସ୍‌ ଏବଂ ମଇଦା ପାଉଁରୁଟି ଖାଇ ବଞ୍ଚିଥିବା ତରୁଣ

ଓ୍ଵାସିଂଟନ୍‌: ଫ୍ରେଞ୍ଚ୍‌ ଫ୍ରାଇଜ୍‌, ହ୍ଵାଇଟ୍‌ ବ୍ରେଡ୍‌ ଏବଂ ପ୍ରିଙ୍ଗଲ୍‌ସ୍‌ ଖାଇ ଜଣେ ତରୁଣ ଦୃଷ୍ଟିଶକ୍ତି ହରାଇଛନ୍ତି ବୋଲି ‘ଆନାଲ୍‌ସ୍‌ ଅଫ୍‌ ଇଣ୍ଟର୍‌ନାଲ୍‌ ମେଡିସିନ୍‌’ରେ ପ୍ରକାଶିତ ଏକ କେସ୍‌ ଷ୍ଟଡିରୁ ଜଣାପଡ଼ିଛି।

ଏ ଭଳି ଗୋଟାଏ ଅସ୍ୱାଭାବିକ କେସ୍‌କୁ ବ୍ରିଷ୍ଟୋଲ୍‌ ବିଶ୍ୱବିଦ୍ୟାଳୟର ଦଳେ ବୈଜ୍ଞାନିକ ଅନୁଧ୍ୟାନ କରିଥିଲେ।

ସେ ତରୁଣଙ୍କ କହିବା ଅନୁସାରେ, ଏଲିମେଣ୍ଟାରି ସ୍କୁଲ୍‌ରେ ପଢ଼ିବା ବେଳରୁ ଫିସ୍‌ ଆଣ୍ଡ୍‌ ଚିପ୍‌ ସପ୍‌ରୁ ସେ କେବଳ ଆଳୁଭଜା, ଆଳୁ ଚିପ୍ସ୍‍, ମଇଦା ନିର୍ମିତ ପାଉଁରୁଟି, ପ୍ରକ୍ରିୟାକୃତ ହାମ୍‌ ଓ ସସେଜ୍‌ ଖାଇ ବଞ୍ଚିଛନ୍ତି।

କ୍ଳାନ୍ତି ଲାଗିବାରୁ ସେ ପ୍ରଥମେ ୧୪ ବର୍ଷ ବୟସରେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ସେତେବେଳେ ସେ କୌଣସି ଔଷଧ ସେବନ କରୁ ନ ଥିଲେ, ଓଜନ ଓ ଉଚ୍ଚତା ମଧ୍ୟ ସ୍ୱାଭାବିକ ଥିଲା ଏବଂ ଅପପୃଷ୍ଟିର ସରବ୍ୟ ହୋଇଥିବାର ଲକ୍ଷଣ ବାରି ହେଉ ନ ଥିଲା।

କିନ୍ତୁ, ଡାକ୍ତରମାନେ ତାଙ୍କ ଠାରେ ଭିଟାମିନ୍‌ ବି୧୨ ସ୍ତର ହ୍ରାସ ଏବଂ ରକ୍ତହୀନତା ଥିବା ଜାଣିପାରିବା ପରେ ଭିଟାମିନ୍‌ ବି୧୨ ଇଞ୍ଜେକ୍‌ସନ୍‌ ଦେବା ସହ ସୁଷମ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥିଲେ।

ପୁଣି ବର୍ଷେ ପରେ ସେ ତରୁଣଙ୍କୁ କାନକୁ କମ୍‌ ଶୁଭିଲା ଏବଂ ଦୃଷ୍ଟିଶକ୍ତିରେ ସମସ୍ୟା ଉପୁଜିଲା, କିନ୍ତୁ ଏହାର କାରଣ ନିର୍ଦ୍ଧାରଣ କରିବାରେ ଡାକ୍ତରମାନେ ବିଫଳ ହୋଇଥିଲେ।

୧୭ ବର୍ଷ ବୟସ ବେଳକୁ ସେ ତରୁଣର ଆଖିକୁ ଆଉ ଦେଖାଗଲା ନାହିଁ। ଡାକ୍ତରମାନେ ଭିଟାମିନ୍‌ ବି୧୨, କପର୍‌ ଓ ସେଲିନିୟମ୍‌ ସ୍ତର ହ୍ରାସ, ଜିଙ୍କ୍‌ ସ୍ତର ବୃଦ୍ଧି, ଭିଟାମିନ୍‌ ଡି ଓ ହାଡ଼ର ସାନ୍ଦ୍ରତା ସ୍ତର ହ୍ରାସ ଆଦି ଜାଣି ପାରିଥିଲେ। ପରୀକ୍ଷା ପରେ ଜଣାପଡ଼ିଲା ସେ ତରୁଣ ପୋଷକତତ୍ତ୍ୱଜନିତ ଅପ୍‌ଟିକ୍‌ ନ୍ୟୁରୋପେଥି ରୋଗରେ ଆକ୍ରାନ୍ତ।

ଏହା ତାଙ୍କର ଖାଦ୍ୟାଭ୍ୟାସଜନିତ ସମସ୍ୟା ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଅଧିକାଂଶ କ୍ଷେତ୍ରରେ ଅନ୍ତଃନଳୀ ସମସ୍ୟା ଏବଂ ପୋଷକତତ୍ତ୍ୱ ବିଶୋଷଣ କରିବାରେ ଔଷଧପତ୍ର ବାଧା ଦେଲେ ଏ ଭଳି ସମସ୍ୟା ହୋଇପାରେ ବୋଲି ଡାକ୍ତରମାନେ ଜାଣିଥିଲେ। ଏହା ମଧ୍ୟ ବିକାଶଶୀଳ ଦେଶମାନଙ୍କର ସମସ୍ୟା। ସାଧାରଣତଃ ନିରାମିଷ ଆହାରିମାନେ ଭିଟାମିନ୍‌ ବି୧୨ ଖାଇବା ଉପରେ ଗବେଷକମାନେ ଗୁରୁତ୍ୱାରୋପ କରିଛନ୍ତି।

ସମ୍ବନ୍ଧିତ ଖବର