ଜେରୁଜେଲମ୍ : ଇସ୍ରାଏଲ ଏବଂ ଗାଜା ମଧ୍ୟରେ ଚାଲିଥିବା ଯୁଦ୍ଧ ଏ ପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ଏହା ସହ ଆତଙ୍କବାଦୀ ଗୋଷ୍ଠୀ ହମାସ୍ ଏଯାଏ ସମସ୍ତ ଇସ୍ରାଏଲ୍ ବନ୍ଧକଙ୍କୁ ମୁକ୍ତ କରି ନାହିଁ। କିନ୍ତୁ ବର୍ତ୍ତମାନ ଇସ୍ରାଏଲ୍ କ୍ୟାବିନେଟ୍ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ହମାସ ସହିତ ଏକ ଚୁକ୍ତିନାମାକୁ ଅନୁମୋଦନ କରିଛି। ମଙ୍ଗଳବାର ରାତି ୮ଟାରେ (ଇସ୍ରାଏଲ୍ ସ୍ଥାନୀୟ ସମୟ) ଏନେଇ ଏକ ବୈଠକ ହୋଇଥିଲା। ବୈଠକରେ ଉଭୟ ପକ୍ଷ ମଧ୍ୟରେ ମାନବିକ ଅସ୍ତ୍ରବିରତି ପାଇଁ ରାଜିନାମା ହୋଇଛି । ଏହି ଚୁକ୍ତି ପରେ ହମାସ ଇସ୍ରାଏଲର ୨୪୦ ଜଣ ବନ୍ଧକଙ୍କ ମଧ୍ୟରୁ ପ୍ରାୟ ୫୦ ଜଣଙ୍କୁ  ମୁକ୍ତ କରିବ ଓ ଇସ୍ରାଏଲ ମଧ୍ୟ ପାଲେଷ୍ଟାଇନ୍ କଏଦୀମାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି।

Advertisment

ଟାଇମ୍ସ ଅଫ୍ ଇସ୍ରାଏଲ ଅନୁଯାୟୀ, ଇସ୍ରାଏଲ ୩୦୦ ପାଲେଷ୍ଟାଇନ ବନ୍ଦୀଙ୍କ ତାଲିକା ଜାରି କରିଛି। ୩୦୦ ଜଣ ବନ୍ଦୀଙ୍କ ମଧ୍ୟରୁ ମୋଟ ୨୮୭ ଜଣଙ୍କ ବୟସ ୧୮ ବର୍ଷରୁ କମ୍। ପଶ୍ଚିମ କୂଳ ଏବଂ ପୂର୍ବ ଜେରୁଜେଲମରେ ଦଙ୍ଗା ଓ ପଥରମାଡ଼ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା।

ତେବେ ଇସ୍ରାଏଲ ମୁକ୍ତ କରିବାକୁ ଥିବା ବନ୍ଦୀମାନଙ୍କ ମଧ୍ୟରେ ଜଣେ ୧୪ବର୍ଷୀୟ ବାଳକ ଥିବା ଜଣାପଡ଼ିଛି। ବାଳକର ନାମ ଆଦମ ଆବୁଦା ହସନ ଘେଇଟି ବୋଲି ଜଣାପଡ଼ିଥିବା ବେଳେ ତାକୁ ପୁଲିସ୍ ଉପରେ ଆକ୍ରମଣ କରିବା ଏବଂ ପଥରମାଡ଼ ଅଭିଯୋଗରେ ଗିରଫ କରାଯାଇଥିଲା।

ଇସ୍ରାଏଲ ଦ୍ୱାରା ମୁକ୍ତ ହେବାକୁ ଥିବା ୩୦୦ ପାଲେଷ୍ଟାଇନ ବନ୍ଦୀଙ୍କ ମଧ୍ୟରେ ମୋଟ ୧୫୦ ଜଣ ମହିଳା ଏବଂ ନାବାଳକ ଅଛନ୍ତି, ଯେଉଁମାନଙ୍କୁ ଇସ୍ରାଏଲ ୪ ଦିନର ଅସ୍ତ୍ରବିରତି ସମୟରେ ମୁକ୍ତ କରିବାକୁ ରାଜି ହୋଇଛି । ଏହାବ୍ୟତୀତ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ଅଭିଯୋଗରେ ୧୩ ଜଣ ମହିଳାଙ୍କୁ ଗିରଫ କରାଯାଇଛି।