ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ସଂଘର୍ଷ ଆଜି ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ସଂଘର୍ଷ ଅଧିକ ତୀବ୍ର ହେଉଛି। ଇସ୍ରାଏଲ ଟାର୍ଗେଟ୍‌ରେ ତେହରାନ ରହିଥି‌ବା ବେଳେ ଦିବାଲୋକରେ ଭୟଙ୍କର ବୋମାମାଡ଼ ଅତି ଜଟିଳ ସ୍ଥିତି ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଭାରତ ଏବେ ଇରାନରୁ ଏହାର ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛି। ଉତ୍ତର ପଶ୍ଚିମ ଇରାନର ଉର୍ମିଆ ଦେଇ ପ୍ରଥମ ବ୍ୟାଚ୍‌ରେ ପ୍ରାୟ ୧୧୦ ଭାରତୀୟ ଛାତ୍ର ଆର୍ମେନିଆ ଅତିକ୍ରମ କରିଛନ୍ତି। ଏହାପରେ ସେମାନଙ୍କୁ ଦିଲ୍ଲୀ ଆଣିବାପାଇଁ ବ୍ୟବସ୍ଥା କରାଯାଇଛି। ତେହରାନ ସ୍ଥିତ ଭାରତୀୟ ଦୂତାବାସ ବିଭିନ୍ନ ଅଂଚଳର ସୁରକ୍ଷା ସ୍ଥିତି ଯାଞ୍ଚ କରୁଛି ଏବଂ ଇରାନରୁ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରକ୍ରିୟା ତ୍ବରାନ୍ବିତ କରୁଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ଘୋଷଣା କରିଛି। 

Advertisment

ପ୍ରଥମ ବ୍ୟାଚ୍‌ରେ ୧୧୦ ଭାରତୀୟ ଛାତ୍ର ଆର୍ମେନିଆ ଅତିକ୍ରମ କରିଛନ୍ତି

ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟାରେ ସହଯୋଗ କରିବାପାଇଁ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର‌ ସୋମବାର ତାଙ୍କ ଆର୍ମେନୀୟ ପ୍ରତିପକ୍ଷ ଆରାରତ୍‌ ମିର୍ଜୋୟାନଙ୍କ ସହ କଥା ହୋଇଛନ୍ତି। କିଛି ‌କ୍ଷେତ୍ରରେ ଭାରତୀୟ ଦୂତାବାସ ସହଯୋଗରେ ଇରାନରେ ହିଁ ନାଗରିକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଉଛି। ତେବେ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ସହରରୁ ବାହାର କରିବା ପାଇଁ ସହଯୋଗ କରିବାକୁ ଭାରତୀୟ ଦୂତାବାସ ପକ୍ଷରୁ ଔପଚାରିକ ଭାବେ ଶିରାଜ ୟୁନିଭର୍ସିଟି ଅଫ୍‌ ମେଡିକାଲ ସାଇନ୍ସକୁ ଅନୁରୋଧ କରାଯାଇଛି। ଇତିମଧ୍ୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ମୁଖପାତ୍ର ଏଫି ଡେଫରିନ ଏକ ବିବୃତି ଜାରି କରି ନିଶ୍ଚିତ କରିଛନ୍ତି ଯେ ଇରାନରୁ ଭାରତୀୟ ନାଗରିକଙ୍କୁ ଖାଲି କରିବାପାଇଁ ତେଲ ଅଭିଭ୍‌ ପୂର୍ଣ୍ଣ ସମର୍ଥନ କରିବ। ଉଲ୍ଲେଖଯୋଗ୍ୟ, ଇରାନରେ ପ୍ରାୟ ୧୦ ହଜାର ଭାରତୀୟ ନାଗରିକ ଅଛନ୍ତି। ଏଥି ମଧ୍ୟରୁ ପ୍ରାୟ ୬ ହଜାର ଜଣ ହେଉଛନ୍ତି କେବଳ ଛାତ୍ର। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କାଶ୍ମୀରର। ଶ୍ରୀନଗରର ଛାତ୍ରମାନଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିବାରେ ସହଯୋଗ କରିବାପାଇଁ କିଛି ପରିବାର ସଦସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି।