ୱାସିଂଟନ: ମଧ୍ୟପ୍ରାଚ୍ୟରେ ବଢୁଥିବା ସଂଘର୍ଷ ମଧ୍ୟରେ ଇରାନର ତିନୋଟି ପରମାଣୁ ପ୍ରତିଷ୍ଠାନ ଉପରେ ଆମେରିକା ଏୟାର ଷ୍ଟ୍ରାଇକ୍ କରିବା ନେଇ ବିସ୍ଫୋରକ ସ୍ଥିତି ଉପୁଜିଛି।   ଆମେରିକାର ଏହି ପଦକ୍ଷେପ ଇସ୍‌ଲାମିକ ରାଷ୍ଟ୍ରଗୁଡ଼ିକରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ଏବଂ ଅନେକ ରାଷ୍ଟ୍ର ଏହାକୁ ଆମେରିକାର  ଆପରାଧିକ କାର୍ଯ୍ୟଭାବେ ଦର୍ଶାଇଛନ୍ତି।  ଇରାନ ଆମେରିକାକୁ ଚେତାବନୀ ଦେଇ କହିଛି ଯେ  ଆମେ ନିଜର ସାର୍ବଭୌମତ୍ୱ, ସ୍ୱାର୍ଥ ଏବଂ ଲୋକଙ୍କୁ ରକ୍ଷା କରିବା ପାଇଁ ସମସ୍ତ ବିକଳ୍ପ ସଂରକ୍ଷିତ ରଖିଛୁ। ସବୁ ସାମର୍ଥ୍ୟ ଖଟାଇ ଆମେ ପ୍ରତିଶୋଧ ନେବୁ ଏବଂ ଏହା ଦୀର୍ଘସ୍ଥାୟୀ ହେବ। ଆମେରିକା ଆଇନବିରୋଧୀ, ଆପରାଧିକ ଏବଂ ବି‌ପଜ୍ଜନକ ଆକ୍ରମଣର ପରିଣାମ ନିଶ୍ଚିତ ଭୋଗିବ ବୋଲି  ଇରାନ କହିଛି।  ଆମେରିକାର ଆକ୍ରମଣ ଅପ୍ରତ୍ୟାଶିତ ଓ  ଅଭୂତପୂର୍ବ ବୋଲି ଇରାନ କହିବା ସହ ଜାତିସଂଘ ନିରାପତ୍ତା ପରିଷଦ ଏବଂ ଅନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସି (ଆଇଏଇଏ) ଏହା ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛି।   ଇରାନର ଏଭଳି ଧମକକୁ ଦେଖି ଆମେରିକାର ପ୍ରମୁଖ ସହରଗୁଡ଼ିକରେ ବ୍ୟାପକ ସତର୍କତା ପଦକ୍ଷେପ ଅବଲମ୍ବନ କରାଯାଇଛି।
ନ୍ୟୁୟର୍କ, ୱାସିଂଟନ ସମେତ ବିଭିନ୍ନ ପ୍ରମୁଖ ସହରରେ ଧାର୍ମିକ, ସାଂସ୍କୃତିକ ଏବଂ କୂଟନୈତିକ ସ୍ଥଳଗୁଡିକରେ ଅତିରିକ୍ତ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି।  ସହଯୋଗୀ ରାଷ୍ଟ୍ରମାନଙ୍କ ସହିତ ସମନ୍ୱୟ ରକ୍ଷା କରି ଟ୍ରମ୍ପ ପ୍ରଶାସନ ବିଦେଶରେ ଅମେରିକୀୟଙ୍କ ସୁରକ୍ଷା ପାଇଁ  ମଧ୍ୟ ବ‌ିଶେଷ ପଦକ୍ଷେପ  ଗ୍ରହଣ କରିଛି। ଇରାନରେ ଆମେରିକାର ଆକ୍ରମଣ ପରିପ୍ରେକ୍ଷୀରେ ଉପୁଜିଥିବା ପରିସ୍ଥିତି ନେଇ ଆମେରିକୀୟ ନାଗରିକମାନେ ସତର୍କ ରହିବାକୁ ବିଭିନ୍ନ ମେଟ୍ରୋପଲିଟାନ୍ ପୁଲିସ ବିଭାଗ ଆଜି ବିବୃତି ଜାରି କରିଛନ୍ତି।  କଲମ୍ବିଆ ଜିଲ୍ଲାରେ ବାସିନ୍ଦା, ବ୍ୟବସାୟ ଏବଂ ପର୍ଯ୍ୟଟକଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବା ପାଇଁ  ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ଘୃଣା ହିଂସା ଏବଂ ଧାର୍ମିକ ଉଗ୍ରବାଦରେ ସଂପୃକ୍ତ ଲୋକଙ୍କୁ ଚିହ୍ନଟ କରି ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଆଜି ଇରାନର ଫୋର୍ଡୋ, ନାତାଞ୍ଜ ଏବଂ ଇସ୍ଫାହାନ୍  ପରମାଣୁ ଘାଟି ଉପରେ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ବିଶ୍ୱର ଏକ ନମ୍ବର ଆତଙ୍କବାଦ ପ୍ରୋତ୍ସାହନକାରୀ ରାଷ୍ଟ୍ର ବୋଲି ଅଭିହିତ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ତେହରାନ ଦ୍ୱାରା ସୃଷ୍ଟି ହୋଇଥିବା ପରମାଣୁ ବିପଦକୁ ରୋକିବା ଏହି ଆକ୍ରମଣ ପଛର ମୁଖ୍ୟ ଉଦ୍ଦେଶ୍ୟ।