ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କିଛିଦିନ ତଳେ ଜଣେ ଆଇଏଏସ ଅଧିକାରୀ ଡ୍ରାଇଭରଙ୍କୁ ‘ଔକାତ’ କ’ଣ ପଚାରିବା ମହଙ୍ଗା ପଡ଼ିଥିଲା। ଏହି ଘଟଣାରେ ଶାଜାପୁର ଜିଲ୍ଲାପାଳ କିଶୋର କନ୍ୟାଲଙ୍କୁ ଚାକିରିରୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନିଲମ୍ବନ କରି ଦେଇଥିଲେ। ପୁଣିଜଣେ ଅଧିକାରୀ ଜଣେ ଚାଷୀଙ୍କୁ ନିଚା ଦେଖାଇଥିବାର ଘଟଣା ସାମ୍ନାକୁ ଆସିଛି।
ସୋନକଚ୍ଛ ନିକଟସ୍ଥ କୁମାରିଆ ରାୱ ଗ୍ରାମରେ ଧାନ ଫସଲ ହୋଇଥିବା ଜମି ମଝିରେ ବିଜୁଳି ଖମ୍ଭ ପୋତିବାକୁ ନେଇ ଚାଷୀ ଓ ତସସିଲଦାର ଅଞ୍ଜଳି ଗୁପ୍ତାଙ୍କର କଥା କଟାକଟି ହୋଇଥିଲା। ଏହି ସମୟରେ ଜଣେ ଚାଷୀଙ୍କ ପୁଅ ଇଂରାଜୀରେ ତହସିଲଦାରଙ୍କୁ କହିଥିଲେ, ‘ୟୁ ଆର ରେସପନସିବଲ’।
ଏହି ଶବ୍ଦ ଶୁଣି ତହସିଲଦାର ରାଗି ଯାଇ କହିଥିଲେ, ‘ଦେଖ ପୁଅକୁ.. ଅଣ୍ଡାରୁ ବାହାରି ନାହିଁ କେତେ ବଡ଼ବଡ଼ କଥା କହୁଛି। ମୁଁ କାହିଁକି ରେସପନସିବଲ ହେବି। ମୁଁ କ’ଣ କହିଥିଲି ଏଠାରେ ବିଦ୍ୟୁତ ଖମ୍ଭ ବସାଯାଉ।’
ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି। ଯେଉଁଥିରେ ଅନ୍ୟ ଚାଷୀମାନେ କହୁଛନ୍ତି, ‘ଛୋଟଛୁଆ କ’ଣ କହି ଦେଇଛି। ତା’ କଥାକୁ ଆପଣ ଧରନ୍ତୁ ନାହିଁ। ଆମ ଭିତରେ ବୁଝାମଣା କରି ବିଦ୍ୟୁତ ଖମ୍ଭ କିପରି ବସିବ ସେବିଷୟରେ ଆଲୋଚନା କରିବା।
ତେବେ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ତହସିଲଦାର ଅଞ୍ଜଳି ଗୁପ୍ତା ସଫେଇ ଦେଇ କହିଛନ୍ତି, ‘ଧାନ ଜମିରେ ବିଦ୍ୟୁତ ଖମ୍ଭ ବସାଇବା ପୂର୍ବରୁ ମୁଁ ଚାଷୀ ଭାଇମାନଙ୍କ ସହ କଥା ହୋଇଥିଲି। ସମସ୍ତେ ରାଜି ଥିଲେ। କିନ୍ତୁ ଯେଉଁଦିନ ଆମେ ବିଦ୍ୟୁତ ଖମ୍ଭ ବସାଇବାକୁ ଯାଇଥିଲୁ ଚାଷୀଭାଇମାନେ ସମର୍ଥନ କରି ନଥିଲେ। ଜଣେ ଚାଷୀଙ୍କ ପୁଅ ମୋତେ ଇଂରାଜୀରେ ‘ୟୁ ଆର ରେସପନସିବଲ’ ବୋଲି କହିଥିଲେ। ମୁଁ ଏଥିରେ ରାଗି ଯାଇଥିଲି। ଯଦି ମୋ କଥା କାହାକୁ ଦୁଃଖ ଦେଇଥାଏ ସେଥିପାଇଁ କ୍ଷମା ମାଗୁଛି। ’